ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଉଦଯାପିତ
ବୌଦ୍ଧ: ବୌଦ୍ଧର ଗଣପର୍ବ ଶ୍ରୀରାମଲୀଳା ଉତ୍ସବ ସହିତ ବୌଦ୍ଧ କଚେରୀ ପଡିଆଠାରେ ୫ ଦିନ ଧରି ଚାଲିଥିବା ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ମହାସମାରୋହ ଉଦଯାପିତ ହୋଇଛି । ଜିଲ୍ଳା ସଂସ୍କୃତି ପରିଷଦର ସଭାପତି ତଥା ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ବୌଦ୍ଧର ପ୍ରାଚୀନ ଇତିହାସ ଓ ସଂସ୍କୃତି ମହାନ ବୋଲି କହିଥିଲେ । ମେଳା ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହିତ ସଂସ୍କୃତିର ବାର୍ତ୍ତା ବହନ କରିଥାଏ ।
ବୌଦ୍ଧର ରାମଲୀଳା ଯାତ୍ରା ଆଜି ରାଜ୍ୟରେ ପ୍ରସିଦ୍ଧି ଲାଭ କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ପ୍ରମୁଖ ଯୋଗଦେଇଥିଲେ । ସଭାପତି ଅଭିଭାଷଣରେ ଜିଲାପାଳ ଶ୍ରୀ ମିଶ୍ର ବୌଦ୍ଧର ରାମଳୀଳା ଯାତ୍ରାର ଭବିଷ୍ୟତ ଜିଲ୍ଲାବାସୀଙ୍କ ହାତରେ ବୋଲି କହିବା ସହ ଜିଲ୍ଳାବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।
ପ୍ରମୋଦ କୁମାର ପ୍ରଧାନ ସଂଯୋଜନା ଓ ବସନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମର୍ଜାକୁଦର ବାବା ଗୁପ୍ତେଶ୍ୱର ଦଣ୍ଡନୃତ୍ୟ ଓ ଗବେଷଣା କେନ୍ଦ୍ର ଦ୍ୱାରା ପତର ଶଉରା, ସଂକୀର୍ତ୍ତନ ଓ ଚଢେଇଆ ଚଢେଇଆଣୀ ସହିତ ସରସରାର ବାବା ବୈଦ୍ୟନାଥ କଳାପରିଷଦ ଦ୍ୱାରା ସୀତାଚୋରୀ ନାଟକ ପ୍ରଦର୍ଶିତ ହୋଇଥିଲା । ଏଥିସହିତ ଅନଗୁଳୁର ଅନୀତା ରାଜଗୁରୁ ଓ ସାଥୀଙ୍କ ଦ୍ୱାରା ଶିବତାଣ୍ଡବ, ବୌଦ୍ଧର ମା’ ରୁଦ୍ରଭୈରବୀ କ୍ଲବ ଦ୍ୱାରା ଆଦିବାସୀ ଲୋକନୃତ୍ୟ, ଆକୃତି ଅନୁଷ୍ଠାନ ଦ୍ୱାରା ଭାରତୀୟ ଲୋକନୃତ୍ୟ, ସମ୍ବଲପୁରର ରଙ୍ଗଫରୁଆ ପକ୍ଷରୁ ଢାପ ଓ ଲୋକନୃତ୍ୟ, ବୌଦ୍ଧର ସୃଷ୍ଟି ନୃତ୍ୟଦଳ ଦ୍ୱାରା ଲୋକନୃତ୍ୟ, ରେଢାଖୋଲ ସୁରୁଭୁଙ୍ଗୁ ଅନୁଷ୍ଠାନ ଦ୍ୱାରା ଲୋକନୃତ୍ୟ ଏବଂ ବୌଦ୍ଧର ତ୍ରିଶୁଳ ଏବଂ ସାଥୀମାନଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments are closed.