ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ଚୋରା ଚାଲାଣ ବେଳେ ଏକ ସ୍କୋର୍ପିଓ ଗାଡି ସହ ଗଂଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଗୁରୁବାର ଦିନ ଏକ ସ୍କୋର୍ପିଓ ଗାଡି ( ଓଡି-୦୨ଏସ -୫୫୮୮) ଫୁଲବାଣୀ ପଟୁ ବୌଦ୍ଧ ଆଡକୁ ଗଂଜେଇ ନେଇ ଆସୁଥିବା ଖବର ପାଇ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଚାରିଛକ -ଫୁଲବାଣୀ ରାସ୍ତାର ଝାଡରାଜିଙ୍ଗ ଠାରେ ସକାଳୁ ସକାଳୁ ଜଗି ରହିଥିଲେ। ଗାଡିକୁ ରାସ୍ତା ଉପରେ ସନ୍ଦେହରେ ଅଟକ ରଖି ତଳାସି କରିବାରେ ଗାଡିରୁ ଏକ ବସ୍ତାରେ ଭର୍ତ୍ତି ହୋଇଥିବା ଗଂଜେଇ ବାହାରିଥିଲା। ଅବକାରୀ ବିଭାଗ ପକ୍ଷରୁ ଗାଡିରୁ ୨୧ ଗଂଜେଇ ସହ ଗାଡିଟିକୁ ଜବତ କରିଥିଲେ।
ଗାଡିରେ ଥିବା ବୌଦ୍ଧ ଜିଲା କୁଇଲିସୁତା ଗ୍ରାମର ଚନ୍ଦନ ବେହେରା(୨୭) , କମିରା ଗ୍ରାମର ବିରେନ୍ଦ୍ର ପ୍ରଧାନ (୫୧) ଓ ବାଗବର ଗ୍ରାମର ଲବଣୀ ସେଠୀ(୨୮)ଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ଇନିସପେକ୍ଟର ସାଗରିକା ପ୍ରଧାନ, ସବଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଏଏସଆଇ ରୁପେଶ ମୁଖି , କନେଷ୍ଠେବଳ ପ୍ରିୟଜନ କହଁର, ପବିିତ୍ର କୁମାର ଜଗଦେବ ଓ କୈଳାସ ସେଠୀ ପ୍ରମୁଖ ସାମିଲ ଥିଲେ।



