ବୌଦ୍ଧ: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ବୌଦ୍ଧ ଭୂମି। ଐତିହାସିକ ବୌଦ୍ଧ ଜିଲା ପର୍ଯ୍ୟଟନର ଗନ୍ତାଘର। ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭରି ରହିଛି ଜିଲା ଭିତରେ। ତା’ସାଙ୍ଗକୁ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ। ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ପ୍ରୟାସ ଅଭାବରୁ ଜିଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ। ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ଏବଂ ଜିଲାରେ ବୃଦ୍ଧି ପାଉଥିବା ଶିକ୍ଷିତ ବେକାରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା। ଜିଲାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଥିଲେ ମଧ୍ୟ ତାହାର ବିକାଶ ହୋଇପାରୁନାହିଁ। ପଶ୍ଚିମ ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ୫ ଟି ସଂରକ୍ଷିତ କିର୍ତ୍ତିରାଜୀ ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୁର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି। ରାଜ୍ୟରେ ରହିଥିବା ବୁଦ୍ଧ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧ ଜିଲାର ବୁଦ୍ଧ କୀର୍ତ୍ତିରାଜି ଅନ୍ୟତମ। ବୌଦ୍ଧ ରାଜପ୍ରାସାଦ ନିକଟରେ ଭୂମିସ୍ପର୍ଶ ମୁଦ୍ରାରେ ରହିଥିବା ବୁଦ୍ଧମୂର୍ତ୍ତି, ପରଗଳପୁର ଓ ଶ୍ୟାମସୁନ୍ଦରପୁର ସାଙ୍ଗକୁ ଜିଲାର ବିଭିନ୍ନ ସ୍ଥାନରେ ବୌଦ୍ଧପୀଠମାନ ରହିଛି। ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ବୁଦ୍ଧକୀର୍ତ୍ତି ସବୁର ଉନ୍ନତି କରାଗଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ପାରନ୍ତା ଏବଂ ଜିଲାର ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇପାରନ୍ତା। ସେହିପରି ହରଭଙ୍ଗା ବ୍ଲକର ବାମଣ୍ଡା ପଂଚାୟତର ପାତାଳୀଶ୍ରୀକ୍ଷେତ୍ର ନାୟକ ପଡ଼ା ଗୁମ୍ଫା ଓ କଣ୍ଟାମାଳ ରେଘାମୁଣ୍ଡା ଦେଢଭାଇବୋହୂ ପାହାଡର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି।
ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତପୀଠ ମା ଭୈରବୀଙ୍କ ମନ୍ଦିର, ରାମଗଡ଼ ଓ କରଡିଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ନୂଆପଡ଼ା ଓ ତଳଗାଁର ଡମକୁଚ ଡ୍ୟାମ,ଡମ୍ବରୁଗଡ଼ର ଔଷଧୀୟ ଉଦ୍ୟାନ, ଖଣ୍ଡିକନପାର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡ଼ାର ପଂଚୁପାଣ୍ଡବ ମନ୍ଦିର, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କୀର୍ତ୍ତିରାଜି ଜିଲାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ। ସେହିପରି ମହାନଦୀ ଭିତରେ ରହିଥିବା ଟାପୁ ମର୍ଜାକୁଦକୁ ସେତୁ ନିର୍ମାଣ ହୋଇସାରିଥିବାବେଳେ ଏଠାରେ ଇକୋ ଟୁରିଜିମ୍ର ବିକାଶ କରାଯାଇପରିବ। ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ଭରପୁର ସୁଯୋଗ ରହିଥିଲେ ମଧ୍ୟ ଏଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦିଆଯାଇନାହିଁ। ଜିଲାର ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଯୋଜନା ପ୍ରସ୍ତୁତ କରିବାସହ ସମସ୍ତ ପ୍ରାଚୀନ କୀର୍ତ୍ତିରାଜି ଏବଂ ପର୍ଯ୍ୟଟନ ସ୍ଥଳୀଗୁଡିକର ନାମଫକଳ ଜାତୀୟ ରାଜପଥ କଡ଼ରେ ଲଗାଗଲେ ତାହା ଯାତ୍ରୀମାନଙ୍କ ଦୃଷ୍ଟିରେ ଆସିବାସହ ଆକର୍ଷିତ କରିପାରନ୍ତା।



