ବୌଦ୍ଧକୁ ଫେରୁଛି କି କରୋନା ? ଘରେ ଘରେ ଜ୍ୱର, ଚିନ୍ତାରେ ପରିବାର

ବୌଦ୍ଧ : କରୋନା ନା ଶୁଣିଲେ ଏବେ ମଧ୍ୟ ଲୋକଙ୍କ ଛାତି ଥରି ଉଠୁଛି। ବୌଦ୍ଧ ଭଳି ଜିଲାରେ ଶତାଧିକ ଲୋକ କରୋନା ମହାମାରୀର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସରକାର କରୋନା କଟକଣା ଉଠାଇବା ପରେ ସାଧାରଣ ଜୀବନ ଯାତ୍ରା ଧିରେ ଧିରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ନୂଆ ଭେରିଏଣ୍ଟ ନେଇ ସରକାର ସତର୍କ କରାଇଲେଣି। ରାଜଧାନୀ ସମେତ ଅନେକ ସହରରେ ପୁଣିଥରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଗଲାଣି । ବୌଦ୍ଧଜିଲାରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ସେହିପରି କଣ୍ଟାମାଳ ବ୍ଲକର ଏକ ଗ୍ରାମରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାରେ କୋଭିଡ ସ୍ଥିତି ନେଇ ବୈଠକ କରିବା ସହିତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଥିବା ଜଣାଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରି ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଥିବା ଜଣାଯାଇଛି। ରୋଗୀ କଲ୍ୟାଣ ସମିତି ର ସଦସ୍ୟମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିବା ଜଣାଯାଇଛି। ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ ସମୟରେ ୪ ଜଣ ଡାକ୍ତର କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଜିଲାରେ ଘରେ ଘରେ ଏବେ ଲୋକମାନେ ଜ୍ୱରରେ ପୀଡିତ ହେଉଛନ୍ତି। ଚିକିତ୍ସାଳୟ ଓ ଔଷଧ ଦୋକାନମାନଙ୍କରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଅଛି। ଏପ୍ଣଙ୍କ କରୋନା କଟକଣାର ଚିହ୍ନବର୍ଣ୍ଣ କେଉଁଠାରେ ମଧ୍ୟ ନାହିଁ। ବର୍ତ୍ତମାନ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏକମାସ ପର୍ଯ୍ୟନ୍ତ ଲୋକମାନେ ସତର୍କ ରହିବା ଆବଶ୍ୟକ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି। ତେଣୁ ଥଣ୍ଡା ଜ୍ୱର ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଆବଶ୍ୟକ ଔଷଧ ସେବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.