ବୌଦ୍ଧ : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ବିକାଶ ନିମନ୍ତେ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ବୌଦ୍ଧଜିଲ୍ଲାରେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ଯୋଜନାଗୁଡିକ ଠିକରେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହୋଇଆସୁଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଶିକ୍ଷକମାନଙ୍କର ପଦୋନ୍ନତି ହୋଇଥିବାବେଳେ ବୌଦ୍ଧ ଜିଲ୍ଲାରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ୧୯୯୪ ମସିହାରୁ ବଂଚିତ କରାଯାଇଛି। କିଛିଦିନ ତଳେ ସମାଜରେ ଜିଲ୍ଳାର ତିନିଗୋଟି ବ୍ଲକର ବିଇଓ ପଦବୀ ଖାଲି ପଡିଥିବାରୁ ଶିକ୍ଷା ବିଭାଗରେ ଅବ୍ୟବସ୍ଥା ନେଇ ଖବର ପ୍ରକାଶ ପାଇବା ପରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏହି ପଦବିଗୁଡିକ ପୂରଣ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ସରକାର ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଧୃବ ଚରଣ ଘିବେଲା, କଂଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଗାହକ ସେଠ୍ ଓ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଦେବରାଜ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ସମଗ୍ର ଶିକ୍ଷା ଅଭିଯାନର ଡି.ପି.ସି ସହିତ ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ଭାରପ୍ରାପ୍ତ ଭାବେ ଚାଲିଛି। ବୌଦ୍ଧ ସହରର ପ୍ରମିୟର ଶିକ୍ଷାନୁଷ୍ଠାନ କୁହାଯାଉଥିବା ସରକାରୀ ବାଳିକା ଓ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ଜଣାପଡିଛି। ଦୀର୍ଘବର୍ଷ ଧରି ସମସ୍ତ ଏମ୍.ଇ. ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହୋଇପାରୁନାହିଁ। ଜିଲ୍ଲାରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆ ଯାଉ ନଥିବାରୁ ଅଭିଭାବକମାନେ ନିଜର ପୁଅଝିଅମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ବାଧ୍ୟ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଥିବାବେଳେ ସରକାରଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା ଜିଲ୍ଲାରେ ବିପର୍ଯ୍ୟସ୍ଥ ହୋଇପଡିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସରକାର ପ୍ରତ୍ୟେକ ଗ୍ରାମରେ ବିଦ୍ୟାଳୟ ଖୋଲିଥିବାବେଳେ ମାଗଣାରେ ପୁସ୍ତକ, ମଧ୍ୟାହ୍ନ ଭୋଜନ, ପୋଷାକ, ସାଇକେଲ ଆଦି ଯୋଗାଇ ଦେଉଛନ୍ତି। ସେହିପରି ଗଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି। କିନ୍ତୁ ସ୍ୱାଧିନତାର ୭୪ ବର୍ଷ ପରେ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ଦେବାରେ ଶିକ୍ଷାବିଭାଗ ବିଫଳ ହୋଇଛି। ବୌଦ୍ଧ ଜିଲ୍ଲାରେ ୭୭୮ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଥିବାବେଳେ ମାତ୍ର ୨୫୯୨ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏକଶହରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ୮ଜଣ ଶିକ୍ଷକଙ୍କ ସ୍ଥାନରେ ୪/ ୫ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅନେକ ବିଦ୍ୟାଳୟରେ ୫ଜଣ ଶିକ୍ଷକ ସ୍ଥାନରେ ୨ଜଣ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। କିଛି ବିଦ୍ୟାଳୟରେ ତିନୋଟି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷାଦାନ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କର ବିକାଶ ହେବା ସ୍ଥାନରେ ଅବନତି ଘଟୁଛି। ଏହାଫଳରେ ସଚେତନ ଅଭିଭାବକମାନେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରାଥମିକ ଶିକ୍ଷାର ମାନବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନୂତନ ଶିକ୍ଷାନୀତି ପ୍ରଣୟନ କରି ଛତୁ ଫୁଟିବା ଭଳି ବିଦ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଘୋର ଅଭାବ ରହିଥିବାବେଳେ ନୂତନ ନିଯୁକ୍ତି ପ୍ରଦାନ ଓ ଶିକ୍ଷାଦାନକୁ ଗୁରୁତ୍ୱ ନଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବର୍ଷ ତମାମ ତାଲିମ ଓ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହା ଫଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ଘଟୁଛି। ଶିକ୍ଷାବିଭାଗର ନୂତନ ମାପଦଣ୍ଡରେ ୨୦ରୁ କମ୍ ଛାତ୍ରାଛାତ୍ରୀ ଥିବା ବିଦ୍ୟାଳୟ ଏବଂ ଏକ କିମି ଭିତରେ ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଏହି ନିୟମ କାର୍ଯ୍ୟକାରୀ କରିବା ଫଳରେ ପୂର୍ବରୁ ବୌଦ୍ଧଜିଲାରେ ୪୭ଗୋଟି ବିଦ୍ୟାଳୟ ବନ୍ଦ ହୋଇସାରିଥିବା ବେଳେ ଚଳିତ ବର୍ଷ ୧୩୫ଗୋଟି ବିଦ୍ୟାଳୟ ବନ୍ଦ କରାଯାଇଛି। ଯେଉଁଁ ବିଦ୍ୟାଳୟ ବନ୍ଦ କରାଯିବ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବା ସହିତ ସେମାନଙ୍କୁ ୩ହଜାର ଟଙ୍କା ଯାତାୟତ ଖର୍ଚ୍ଚ ଏବଂ ଉପସ୍ଥାନକୁ ଦେଖି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଜିଲାରେ ଅନେକ ବିଦ୍ୟାଳୟ ବନ୍ଦ ଯୋଗୁଁ କୋଠା ନିର୍ମାଣରେ ଖର୍ଚ୍ଚ ହୋଇଥିବା ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଛି। ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ଶିକ୍ଷକ ଶିକ୍ଷୟୀତ୍ରୀମାନେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାରୁ ବଂଚିତ କରାଯାଉଥିବା ବେଳେ ସେମାନଙ୍କର ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଶିକ୍ଷାର ମାନବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଥିବା ଜଣାପଡିଛି। ୨୦୧୪ ମସିହାରୁ ଲେବୁଲ ୪ ପଦୋନ୍ନତି ହୋଇ ନଥିବାବେଳେ ୧୯୯୪ ମସିହା ପରଠାରୁ ଲେବୁଲ ୩ ଶିକ୍ଷକ ପଦୋନ୍ନତି କରାଯାଇ ନାହିଁ। ଶିକ୍ଷକମାନଙ୍କର ପଦୋନ୍ନତି ହୋଇ ନଥିବାରୁ ଜିଲ୍ଲା ବାହାରର କନିଷ୍ଠ ଶିକ୍ଷକମାନେ ଉଚ୍ଚ ପଦପଦବୀରେ ନିଯୁକ୍ତି ହୋଇ ଆସୁଥିବା ଜଣାପଡିଛି। ଜିଲାପାଳଙ୍କ ଉଦ୍ୟମକ୍ରମେ କିଛିଦିନ ତଳେ ଜିଲାର ବିଇଡି ତାଲିମପ୍ରାପ୍ତ ୨୪୦ଜଣଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ୨୩୯ ଜଣ ମେଟ୍ରିକ ସିଟି ଓ ଆଇଏ ସିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। କିନ୍ତୁ ଏହାର ସୁଯୋଗ ନେଇ ନୂତ୍ତନ ପଦୋନ୍ନତି ନାମରେ ଶିକ୍ଷା ବିଭାଗର କିଛି ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଅଛି। ତେବେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ଆଜି ପର୍ଯ୍ୟନ୍ତ ପଦୋନ୍ନତି ଦିଆଯାଇନାହିଁ ବୋଲି ଅଭିଯୋଗ ହେଉଅଛି। ତେଣୁ ଜିଲାରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ସହିତ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଗଲେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକମାନଙ୍କ ଆକର୍ଷଣ ବୃଦ୍ଧି ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



