www.samajalive.in
Saturday, December 6, 2025
17.1 C
Bhubaneswar

ବିବାହ ପୂର୍ବ ରାତିରେ ଗୁଳିମାଡ : ବୋମା ପରେ ଗୁଳି, ଖଲ୍ଲିକୋଟ ଅଞ୍ଚଳରେ କୋକୁଆ ଭୟ

ଖଲ୍ଲିକୋଟ: ରାତି ପାହିଲେ କରିଥାନ୍ତେ ବିବାହ। କିନ୍ତୁ ଦୁର୍ବୃତ୍ତଙ୍କ ଗୁଳିମାଡରେ ଗୁରୁତର ଆହତ ହୋଇ ବାହାବେଦୀ ବଦଳେ ବ୍ରହ୍ମପୁର ବଡ ମେଡିକାଲରେ ଜଣେ ଯୁବକ ଚିକିତ୍ସାଧୀନ ରହିବା ଘଟଣା ସମଗ୍ର ଖଲ୍ଲିକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗତ ଦୁଇଦିନ ହେଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କଥା କଥାକେ ଗୁଳି ଓ ବୋମା ଫୁଟୁଛି। ପୁଲିସ ଏହାର କାରଣ ଖୋଜୁଥିଲେ ମଧ୍ୟ ତଦନ୍ତରେ ଆଗେଇ ପାରିନି। ଗତକାଲି ଖଲ୍ଲିକୋଟ ସହର ସନ୍ନିକଟ ନିର୍ମଳଝର ଛକ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ରହିଥିବା ବ୍ୟାଗଭର୍ତ୍ତି ବୋମା ବିସ୍ଫୋରିତ ହେବାରୁ ଜଣକର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ। କେଉଁ ପରିସ୍ଥିତିରେ ଏବଂ କାହାକୁ ଟାର୍ଗେଟ କରି ଯୁବକ ଦ୍ବୟ ବୋମା ଧରି ବାଇକରେ ଯାଉଥିଲେ ତାହାର ରହସ୍ୟ ଉନ୍ମୋଚନ ହୋଇପାରିନି। ଏହାର ୫ ଘଣ୍ଟା ପରେ ଅର୍ଥାତ ଗତକାଲି ବିଳମ୍ବିତ ରାତିରେ ସେହି ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଗୁଳି ଫୁଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବିବାହ ପୂର୍ବ ରାତିରେ ଗୁଳି ଖାଇଥିବା ଯୁବକ ଜଣକ ଏବେ ଡାକ୍ତରଖାନାରେ।

ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ତୋଟା ସାହିରେ ଗତକାଲି ବିଳମ୍ବିତ ରାତିରେ ଗୁଳିଚାଳନା ହୋଇଥିଲା। ଯୁବକ ଜଣଙ୍କ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ଜିତେନ୍ଦ୍ର ବାରିକ ବୋଲି ଜଣାପଡିଛି। ଜିତେନ୍ଦ୍ର ମାଣିକପୁରସ୍ଥିତ ନିଜ ମଉସା ମଙ୍ଗୁଲୁ ଦୁହୁଡ଼ିଙ୍କ ଘରକୁ ଆସିଥିଲେ। ଆଜି କହେଁଇପୁରସ୍ଥିତ ଏକ ମନ୍ଦିରରେ ତାଙ୍କର ବିବାହ ସମ୍ପନ୍ନ ହୋଇଥାନ୍ତା। ମଙ୍ଗୁଳୁଙ୍କ ଘର ବାରଣ୍ଡାରେ ଜିତେନ୍ଦ୍ର ଛିଡା ହୋଇ ମୋବାଇଲରେ କଥା ହେଉଥିବା ବେଳେ ହଠାତ କଳାମୁଖା ପିନ୍ଧା ଦୁଇଜଣ ଦୁର୍ବୃତ୍ତ ଅତର୍କିତ ଭାବେ ବୋମାମାଡ କରିଥିଲେ। ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଧୂମମୟ ହୋଇଯିବାରୁ ତାହାର ସୁଯୋଗ ନେଇ ଦୁର୍ବୃତ୍ତ ଦ୍ବୟ ଜିତେନ୍ଦ୍ରକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇଥିଲେ। ବୋମା ମାଡ଼ରେ ଘର ଆଗ ଗୁହାଳରେ ବନ୍ଧା ଯାଇଥିବା ଏକ ଗାଈ ଆହତ ହୋଇଥିଲା। ଜିତେନ୍ଦ୍ରଙ୍କ ପେଟରେ ଗୋଟିଏ ରାଉଣ୍ଡ ଗୁଳି ବାଜି ପିଠି ଦେଇ ବାହାରି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପର୍କୀୟମାନେ ଜିତେନ୍ଦ୍ରକୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଜିତେନ୍ଦ୍ରଙ୍କ ଦୁଇଜଣ ମା’ ଥିବାରୁ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗୁଳି ଚାଳନା ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ଖୋକା ଜବତ କରିଛି।
ଖଲ୍ଲିକୋଟ ଥାନା ଅଞ୍ଚଳରେ କଥା କଥା କେ ବୋମା, ଗୁଳି ଓ ଅନ୍ୟ ମାରଣାସ୍ତ୍ର ବ୍ୟବହାର ହେଉଛି। ବୋମା ଓ ପିସ୍ତଲ କେଉଁ ଠାରୁ ଆସୁଛି ତାହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories