ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା କଡେନାର ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୩ଟି ଆଇଇଡି ବୋମାକୁ ପୁଲିସ ନିଷ୍କ୍ରିୟ କରି ଜବତ କରିଛି। ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଗୋଟିଏ ବୋମା ଫୁଟିଥିବା ବେଳେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିବା ନାରାୟଣପୁର ଏସ୍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି। ସେହିପରି ଦନ୍ତେବାଡା ଜିଲା ପୁଲିସ ମଧ୍ୟ ୫ କେଜିର ବୋମା ଜବତ କରିଛି। ଏହି ବୋମା ନୂତନ ଭାବେ ନିର୍ମାଣ ହୋଇଥିବା ଟେଟମ କ୍ୟାମ୍ପ ନିକଟରେ ମିଳିଥିବା ସୂଚନା ମିଳିଛି। କ୍ୟାମ୍ପକୁ ବିରୋଧ କରି ଏହି ବୋମା ଖଞ୍ଜା ଯାଇଥିବା ପୁଲିସ ଅନୁମାନ କରିଛି।
ଅନ୍ୟ ଏକ ଘଟଣାରେ ଦନ୍ତେବାଡା ଜିଲାରେ ଲୋନ ବରାଟୁ ଅଭିଯାନକୁ ଦୃଷ୍ଟିରେ ରଖି ନୂତନ ଭାବେ ନିର୍ମାଣ ହୋଇଥିବା ଟେଟମ କ୍ୟାମ୍ପରେ ଆଜି ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମୟରେ ମାଓବାଦୀ ତିନୋଟି ବନ୍ଧୁକ, ତିନୋଟି ଆଇଇଡି ନେଇ ଆସିଥିଲେ। ଏହି ଲୋନ ବରାଟୁ ଅଭିଯାନରେ ବର୍ତ୍ତମାନସୁଦ୍ଧା ୧୯୯ ମାଓବାଦୀ ଆତ୍ମସମର୍ପଣ କରିସାରିଥିବା ସୂଚନା ମିଳିଛି।



