ବଲାଙ୍ଗିର ରାଜନୀତିରେ ପୋଖତ ରାଜନେତାଙ୍କ ପରୀକ୍ଷା ପାଳି -ମଇଦାନକୁ ଓହ୍ଲାଇଲେ ଏୟୁ, ଯୋଗେନ୍ଦ୍ର ଓ ଆୟୁବ
ବଲାଙ୍ଗିର -ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ବଲାଙ୍ଗିର ଜିଲାର ଜଣାଶୁଣା ରାଜନେତାଙ୍କ ପୁଅମାନେ ମଇଦାନକୁ ଆସି ପ୍ରଚାର ଜୋରସୋର କରିଥିଲେ । କିନ୍ତୁ ପୁରୁଖା ରାଜନେତାମାନେ ନିବାଚନ ରାଜନୀତିରୁ ଦୂରେଇ ରହିଥିବା ବେଳେ କିଛି ଦିନ ହେଲା ସକ୍ରିୟ ହୋଇ ଉଠିଛନ୍ତି । ପ୍ରତ୍ୟକ୍ଷ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଭୋଟ୍ ଭିକ୍ଷା କରୁଛନ୍ତି । ଯାହାକୁ ନେଇ ପୁରୁଖା ରାଜନେତାଙ୍କ ପାଇଁ ବି ପରୀକ୍ଷା ପାଳି ବୋଲି ଆଲୋଚନା ହେଉଛି ବଲାଙ୍ଗିର ଜିଲାରେ ।
କନକ ବର୍ଦ୍ଧନ ସିଂହଦେଓ(କେଭି) । ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ହୋଇଥିବା କେଭି ରାଜ୍ୟ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ଥିଲେ । ଗତ ନିର୍ବାଚନରେ ପରାଜୟର ମୁହଁ ଦେଖିଥିଲେ । ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ । ସେ ଏବେ ବଲାଙ୍ଗିର ସାଂସଦ । ପୂର୍ବ ବିଧାୟକ କେଭି ଓ ବର୍ତ୍ତମାନର ସାଂସଦ ସଙ୍ଗୀତା ଦେବୀ ପାଟଣାଗଡ ନିର୍ବାଚନ ମଣ୍ଡଳୀ ସହ ଜିଲାର ଅନ୍ୟ ସ୍ଥାନରେ ମାରାଥନ ପ୍ରଚାର କରୁଥିଲେ । କିନ୍ତୁ ସାଂସଦ ହେବା ପରେ ଶ୍ରୀମତୀ ସିଂହଦେଓ ଗୁଡଭେଲା ପଞ୍ଚାୟତ ସମିତିର ମାଟି ମାଡି ନାହାନ୍ତି । ସେ ଏଠାରେ ଦଳୀୟ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କି ନାହିଁ ତାହା ଆଶଙ୍କାରେ ରହିଛି । ସେହିପରି ଅନ୍ୟତମ ପୁରୁଖା ରାଜନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ବୟସ ୮୨ ହେଲାଣି । ସେ ଆଗଲପୁର, ଲୋଇସିଂହା, ପୁଇଁନ୍ତଲାରୁ ବଲାଙ୍ଗିର ସଦର ଓ ଦେଓଗାଁ ପଞ୍ଚାୟତ ସମିତିରେ ମାରାଥନ ପ୍ରଚାର ଚଳାଇଛନ୍ତି । ଗାଁ ଗାଁ ବୁଲି ଭୋଟର୍ଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି । ଆଉ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଅନୁରୂପ ଭାବେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ପଞ୍ଚାୟତ ସମିତିରେ ମାରାଥନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ପୂର୍ବ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ପତ୍ନୀ ଓ ସାନ ପୁଅ ସମିତି ସଭ୍ୟ ପ୍ରାର୍ଥୀ । ତେଣୁ ସେ ବି ଭୋଟ୍ ପାଇଁ ଘୁରି ବୁଲୁଛନ୍ତି । ଜିଲା ରାଜନୀତିରେ ପୋଖତ କୁହାଯାଉଥିବା ଏହି ରାଜନେତାମାନେ ପଞ୍ଚାୟତ ନିର୍ବାଚନରେ ବେଶ ସକ୍ରୀୟ ରହିଛନ୍ତି ପ୍ରଥମରୁ । ସେମାନଙ୍କ ପୁଅ-ଝିଅ ମଧ୍ୟ ନିଜର ରାଜନୈତିକ ଦକ୍ଷତା ଦେଖାଇବାକୁ ପ୍ରଚାର ମଇଦାନରେ ପାଦ ଦେଇଛନ୍ତି ।
ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୨୫ ବର୍ଷ କ୍ରମାଗତ ଭାବେ ବିଧାୟକ ତଥା ରାଜ୍ୟ ସରକାରରେ ମନ୍ତ୍ରୀ ରହି ସାରିଥିବା ପୂର୍ବ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ(ଏୟୁ) । କିଡନୀ ପ୍ରତିରୋପଣ ପରେ ରାଜନୀତିରେ ଧୁରନ୍ଧର ଏୟୁ ଧିମେଇ ଯାଇଥିଲେ । ୨୦୧୪ରେ ରାଜ୍ୟସଭା ପାଇଁ ମନୋନୀତ ହୋଇ ବି ସେ ନରସିଂହ ମିଶ୍ରଙ୍କୁ ଟକ୍କର ଦେବା ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଇ ସାଧାରଣ ନିର୍ବାଚନକୁ ଆସି ପରାଜିତ ହେଲେ । ୨୦୧୯ରେ ଏୟୁଙ୍କ ସାନପୁଅ ଅର୍କେଶ ପ୍ରଥମ ପଦାର୍ପଣରେ ପରାଜୟର ମୁହଁ ଦେଖିଥିଲେ । ତେବେ ଏଥର ପଞ୍ଚାୟତ ନିର୍ବାଚନରେ ଏୟୁଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ସେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ସହ ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ମଇଦାନକୁ ଆସିଛନ୍ତି । ସହିପରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଓ ଶେଷରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ବିଧାୟକ ତଥା ପୂର୍ବ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ବି ଦୂରେଇ ରହିଥିଲେ ପଞ୍ଚାୟତ ନିର୍ବାଚନରୁ । ତେବେ ତାଙ୍କୁ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ପ୍ରଚାରରେ ଦେଖିବାକୁ ମିଳିଛି । ଆଉ ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ ୨୦୧୯ରେ ବିଧାୟକ ଟିକେଟ ନପାଇ ନିରାଶ ହୋଇଥିଲେ । ଏହାପରେ ସେ କାଁ ଭାଁ ହାତ ଗଣତି ଦଳୀୟ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିଲେ । ପଞ୍ଚାୟତ ନିର୍ବାଚନରେ ଏୟୁ, ଯୋଗେନ୍ଦ୍ର, ଆୟୁବଙ୍କ ପୁଅମାନେ ପ୍ରଚାର ମଙ୍ଗ ଧରିଛନ୍ତି । କିନ୍ତୁ ଶେଷ ପର୍ଯ୍ୟାୟରେ ଆୟୁବ ବି ମଇଦାନକୁ ଆସି ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
Comments are closed.