ବଲାଙ୍ଗିର: ସପ୍ତାହର ଶନିବାର ଓ ରବିବାର ସମ୍ପୁର୍ଣ୍ଣ ବନ୍ଦ ଥିବା ବେଳେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର। ଶ୍ରୀ କୁଶଲକର ନିଜେ ତାଙ୍କ ଟିମ ସହ ବିଭିନ୍ନ ଛକରେ ଅଟକି ରହିବା ସହ ଯାଞ୍ଚ କରୁଛନ୍ତି। ଲୋକେ ବିଭିନ୍ନ ବାହାନା ନେଇ ଘରୁ ପଦାକୁ ବାହାରୁ ଥିବା ବେଳେ କଡା କଡି ଯାଞ୍ଚ କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି। କାର୍ଯ୍ୟରେ ଥିବା ପୁଲିସ୍ ବାବୁମାନେ ଆରକ୍ଷୀ ଅଧୀକ୍ଷକଙ୍କ ଆସିବା ଦେଖି ତତ୍ପରତା ପ୍ରକାଶ କରିବା ସହ ହେଲମେଟ ମଧ୍ୟ ଯାଞ୍ଚ କରୁଥିବାର ପରିଲକ୍ଷିତ ହୋଇଛି।
ତୁଣ୍ଡି ପିନ୍ଧି ନଥିବା ଲୋକେ ତଣ୍ଡ ଗଣୁଥିବା ବେଳେ ସେମାନଙ୍କୁ ତୁଣ୍ଡି ଦେଇ କିଛି ପୁଲିସ୍ ବାବୁ ସଚେତନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ନିଜେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର ଲୋକେ ପିନ୍ଧିଥିବା ପରିଚୟ ପତ୍ର ଅସଲି ନା ନକଲି ତାହା ଯାଞ୍ଚ କରିବା ଆଲୋଚନାର ବିଷୟ ହୋଇଛି। ନିଜକୁ ସାମ୍ବାଦିକ ପରିଚୟ ଦେଇ ଅନେକ ନକଲି ସାମ୍ବାଦିକ ବୁଲୁଥିବା ବେଳେ ଏବେ ଆରକ୍ଷୀ ଅଧୀକ୍ଷକଙ୍କ ଏହି ଯାଞ୍ଚ ସେମାନଙ୍କ ପାଇଁ କାଳ ସାଜିଛି।



