ବଲାଙ୍ଗିର: ବଲାଙ୍ଗିର ଜିଲାରେ ପୁଣିଥରେ ଉପର ମୁହାଁ ହୋଇଛି କରୋନା ସଂକ୍ରମଣ। ଗୁରୁବାର (୬ତାରିଖ) ତାଲିକା ଅନୁସାରେ ଜିଲାରେ ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ବଲାଙ୍ଗିର ପୌରାଞ୍ଚଳର। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟ ଗନ୍ଧମାର୍ଦ୍ଦନ ଛାତ୍ରାବାସର ଜଣେ ଅନ୍ତେବାସୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। ଯାହା ଫଳରେ ଛାତ୍ରାବାସରେ ରହୁଥିବା ଅନ୍ୟ ଅନ୍ତେବାସୀ ଭୟଭୀତ ଅବସ୍ଥାରେ। ଶୁକ୍ରବାର ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଛାତ୍ରମାନଙ୍କ ଆର୍ଟିପିସିଆର୍ ପରୀକ୍ଷା ପାଇଁ ସ୍ୱାବ ନମୂନା ସଂଗ୍ରହ କରିଛନ୍ତି। ଅନ୍ୟପଟେ ଆଗାମୀ ୨ ଦିନ ପାଇଁ ପାଠ ପଢା ବନ୍ଦ କରାଯାଇଛି।
ଗୁରୁବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସୂଚନା ପାଇଥିଲେ ଯେ, ଗନ୍ଧମାର୍ଦ୍ଦନ ଛାତ୍ରାବାସରେ ରହୁଥିବା ଜଣେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର କରୋନା ସଂକ୍ରମିତ। ଏହାପରେ ତାଙ୍କୁ ସଙ୍ଗରୋଧରେ ଛାତ୍ରବାସ କଠୋରୀରେ ରଖାଯିବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି। ଶୁକ୍ରବାର ପରିବାର ଲୋକେ ଆସି ସଂକ୍ରମିତଙ୍କୁ ଘରକୁ ନେଇଛନ୍ତି। ସେଠାରେ ସଙ୍ଗରୋଧରେ ରହି ସେ ଚିକିତ୍ସିତ ହେବେ ବୋଲି ସୂଚନା ମିଳିଛି। ତେବେ ଛାତ୍ରାବାସରେ ସ୍ନାତକୋତ୍ତର ଓ ଯୁକ୍ତ ତିନି ବର୍ଷର ଦେଢ ଶହ ଛାତ୍ର ରହୁଛନ୍ତି। ସେମାନଙ୍କ ପାଇଁ ସର୍ବସାଧାରଣ ଶୌଚାଳୟ ବ୍ୟବସ୍ଥା ରହିଛି। ତେଣୁ ଅନ୍ୟ କେହି ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି। ଛାତ୍ରାବାସ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଛି। ଅନ୍ତେବାସୀମାନେ ଭୟର ମାହୋଲରେ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ପହଞ୍ଚି ଛାତ୍ରମାନଙ୍କର ନମୂନା ସଂଗ୍ରହ କରିଛନ୍ତି। ଏହିକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର କହିଛନ୍ତି ଯେ, ସଂକ୍ରମିତ ଅନ୍ତେବାସୀଙ୍କୁ ଘରକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଭୟର ମାହୋଲକୁ ଦେଖି ଶୁକ୍ରବାର ଓ ଶନିବାର ପାଠପଢା ବନ୍ଦ କରିଦିଆଯାଇଛି। ଏହି ସମୟ ମଧ୍ୟରେ ସଂପୃକ୍ତ ଛାତ୍ରାବାସ ସହ ଅନ୍ୟ ଛାତ୍ରାବାସ ଓ ଶ୍ରେଣୀ ଗୃହ, ବିଭାଗଗୁଡ଼ିକରେ ବିଶୋଧନ କରାଯିବା ପାଇଁ ବ୍ୟବସ୍ଥା କରାଯିବ। ପରବର୍ତ୍ତୀ ସମୟରେ ପାଠ ପଢା ଅଧିକ ଦିନ ବନ୍ଦ ରଖାଯିବ ନା ସ୍ୱାଭାବିକ ଭାବେ ଚାଲିବ ତାହା ବିଚାର କରାଯିବ କହିଛନ୍ତି କୁଳପତି ପ୍ରଫେସର ମହାପାତ୍ର। ଏପରିକି ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିବା କୁଳପତି ଶୁକ୍ରବାର ସକାଳେ ସୂଚନା ପାଇଥିବା କହିଛନ୍ତି। କୋଭିଡ ଯେଉଁ ହାରରେ ବୃଦ୍ଧି ପାଉଛି ତାକୁ ଦୃଷ୍ଟିରେ ରଖି ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ଉଚିତ ବୋଲି ସେ ମତ ଦେଇଛନ୍ତି।
ବଲାଙ୍ଗିର ଜିଲାରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଉପର ମୁହାଁ ହେଉଛି। ୧ରୁ ଆରମ୍ଭ ହୋଇ ୧୪ ଜଣ ସଂକ୍ରମିତ ହୋଇଥିଲେ। ତେବେ ଗୁରୁବାର କରୋନା ପରୀକ୍ଷାରେ ଏକାଥରକେ ଜିଲାର ୫୪ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଆଗଲପୁର ବ୍ଲକ ଡୁଡୁକା, ରୋତରୁ ୨ଜଣ, ବଲାଙ୍ଗିର ସଦର ବ୍ଲକ ସଦାଇପାଲି ଓ ମନହିରାରୁ ୨ଜଣ, ଲୋଇସିଂହାରୁ ଜଣେ, ଟିଟିଲାଗଡ ପୌରାଞ୍ଚଳରୁ ୫ଜଣ, କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦରୁ ଜଣେ ରହିଛନ୍ତି। ବଲାଙ୍ଗିର ପୌରାଞ୍ଚଳରୁ ୪୩ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରୁ ସର୍ବାଧିକ ୯ଜଣ ଚିହ୍ନଟ ହୋଇଛନ୍ତି।



