ବ୍ୟାଡମିଣ୍ଟନର ନୂଆ ଚେହେରା ‘ତନ୍‌ଭି’

ବଲାଙ୍ଗିର: ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର୍‌ ଷ୍ଟାଡିୟମ । ଷ୍ଟାଡିୟମ ପରିସରରେ ଚାଲିଛି ୧୫ ଓ ୧୭ ବର୍ଷ ବାଳକ-ବାଳିକା ବର୍ଗର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ । ଶନିବାର ଷ୍ଟାଡିୟମ ସାମ୍ନା ଗେଟ୍‌ରେ ଏକ ତାମିଲନାଡୁ ନମ୍ବର କାର୍‌ ଠିଆ ହୋଇଥିଲା । କାର୍‌କୁ ହଟାଇବାକୁ ଆୟୋଜକମାନେ କାର୍‌ ଚାଳକଙ୍କୁ ଖୋଜିଥିଲେ । ରବି ନାରାୟଣ ପତ୍ରି ନାମକ ଜଣେ ବ୍ୟକ୍ତି ଆସି କାର୍‌ ହଟାଇ ଷ୍ଟାଡିୟମ୍‌ ପରିସରକୁ ଚାଲିଗଲେ । ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୨ ବର୍ଷୀୟ ଝିଅ ତନଭି ପତ୍ରିଙ୍କୁ ସାଙ୍ଗରେ ଆଣି ଆସିଥିବା କହିଥିଲେ ରବି ନାରାୟଣ । ଷ୍ଟାଡିୟମ ପରିସରରେ ଥିବା ଅନ୍ୟ ପ୍ରତିଯୋଗୀ, କୋଚ୍‌ ଓ ଅଭିଭାବକଙ୍କ ଭଳି ଶ୍ରୀ ପତ୍ରି ବି ଜଣେ । କିନ୍ତୁ ତାଙ୍କ ସହ କଥା ହେବା ବେଳେ ଅନେକ ନୂଆ କଥା ସାମ୍ନାକୁ ଆସିଥିଲା ।

ବାଲେଶ୍ୱର ଜିଲା ମାର୍କୋଣାରେ ଶ୍ରୀ ପତ୍ରିଙ୍କ ଘର । ଶ୍ରୀ ପତ୍ରି ଓ ପତ୍ନୀ ଶୈଳବାଳା ପଣ୍ଡା ସଫ୍‌ଟୱେର ଇଂଜିନିୟର୍‌ । ଚୀନରେ ଉଭୟେ ଚାକିରି କରୁଥିଲେ । ସେଠାରେ ବ୍ୟାଡମିଣ୍ଟନ ଲୋକପ୍ରିୟ । ଶ୍ରୀ ପତ୍ରିଙ୍କର ଏକମାତ୍ର ଝିଅ ତନଭି । ସାଢେ ୭ ବର୍ଷ ବୟସରେ ତନଭି ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ଦେଖାଇଥିଲେ । ତାଙ୍କ ଆଗ୍ରହ ଦେଖି ବାପା-ମା’ ତାଙ୍କୁ ବ୍ୟାଡମିଣ୍ଟନ ତାଲିମ ପାଇଁ ଛାଡିଥିଲେ । ସପ୍ତାହରେ ୬ ଦିନ ତାଲିମ । ୩ଜଣ କୋଚ୍‌ ତାଙ୍କୁ ୨ ଦିନ କରି ତାଲିମ ଦେଉଥିଲେ । ୨୦୧୭ରୁ ୨୦୨୦ ମଧ୍ୟରେ ତନଭି ଚୀନର ୧୧ ବର୍ଷରୁ କମ୍‌ ବ୍ୟାଡମିଣ୍ଟନରେ ୯ଟି ସ୍ୱର୍ଣ୍ଣପଦକ ଜିତିଥିଲେ । କିନ୍ତୁ କରୋନା ଯୋଗୁଁ ବାପା-ମା’ ଚୀନ ଛାଡି ସ୍ୱଦେଶକୁ ଫେରି ଆସିଥିଲେ । ବେଙ୍ଗାଲୁରୁରେ ସ୍ୱାମୀ-ସ୍ତ୍ରୀ ସଫ୍‌ଟୱେର କମ୍ପାନୀରେ ଚାକିରି କରିଥିଲେ ।  ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକନଙ୍କ ବ୍ୟାଡମିଣ୍ଟନ ତାଲିମ କେନ୍ଦ୍ରରେ ଝିଅ ତନଭିକୁ ଭର୍ତ୍ତି କରିଥିଲେ । ସେଠାରେ ତନଭି ତାଲିମ ନେଉଛନ୍ତି । ଇତିମଧ୍ୟରେ ତନଭି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନର ବିଭିନ୍ନ ବୟସ ବର୍ଗରେ ଖେଳି ସାରିଛନ୍ତି । ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନରେ ତନଭି ୪ ଥର ଚମ୍ପିଆନ ହୋଇ ସାରିଲେଣି । ବରିଷ୍ଠ ବ୍ୟାଡମିଣ୍ଟନରେ ସେ ୧ ନମ୍ବର ର‌୍ୟାଙ୍କିଙ୍ଗରେ ଅଛନ୍ତି ।

ତନଭିଙ୍କ ବ୍ୟାଡମିଣ୍ଟନ ଭବିଷ୍ୟତ ଓ ତାଙ୍କ ବାପା ରବି ନାରାୟଣଙ୍କ ଭୂମିକା ଆନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଜୀବନ ଉପରେ ଆଧାରିତ ‘ସାଇନା’ ଫିଲ୍ମ ଭଳି । ସାଇନା ଫିଲ୍ମରେ ସାଇନା ନେହେୱାଲଙ୍କ ପଛରେ ମା’ଙ୍କ ଭୂମିକାକୁ ଦେଖାଯାଇଥିଲା । ଆଉ ତନଭିଙ୍କ କ୍ଷେତ୍ରରେ ବାପା ରବି ନାରାୟଣଙ୍କ ପ୍ରମୁଖ ଭୂମିକା ରହିଛି । କାରଣ, ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନରେ ଭାଗ ନେବା ପାଇଁ ତନଭିଙ୍କୁ ଧରି ବାପା ସୁଦୂର ବେଙ୍ଗାଲୁରୁରୁ ବଲାଙ୍ଗିରରେ ଆସିଛନ୍ତି । ନିଜେ ଗାଡି ଚଳାଇ ୧୪ଶହ କିଲୋମିଟର ଦୂରତା ଅତିକ୍ରାନ୍ତ କରିଛନ୍ତି । ୨୩ ତାରିଖରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଶେଷ ପରେ ସେ ପୁଣି ବେଙ୍ଗାଲୁରୁ ଫେରିଯିବେ । ଏହାପରେ ମୁମ୍ବାଇ, ଲକ୍ଷ୍ନୌରେ ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବେ । ସେହିପରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୧୫-୧୭ ବର୍ଷର ଜାତୀୟ ପ୍ରତିଯୋଗିତା ପାଇଁ ଝିଅ ତନଭିଙ୍କୁ ଧରି ଆସିବେ ବୋଲି ଶ୍ରୀ ପତ୍ରି କହିଛନ୍ତି । ଏଥିସହିତ ବ୍ୟାଡମିଣ୍ଟନ ଏକ ବ୍ୟୟବହୁଳ ଖେଳ । ୨ ମାସ ତାଲିମ୍‌ ନେବା ପରେ ତୃତୀୟ ମାସରେ ପଦକ ଆଶା କରିବା ଭୁଲ ବୋଲି ଶ୍ରୀ ପତ୍ରି ମତ ଦେଇଛନ୍ତି ।

Comments are closed.