ଜିଲାରେ ଯୋଜନା ଦିଗହରା; ୧୮ଛାତ୍ରୀ ନିବାସରୁ କାର୍ଯ୍ୟକ୍ଷମ ହେଉଛି ୩ ଛାତ୍ରୀ ନିବାସ
ବଲାଙ୍ଗିର: ଅନୁସୂଚିତ ଜାତି ଛାତ୍ରୀଙ୍କୁ ଉନ୍ନତମାନ ଓ ଉଚ୍ଚ ଶିକ୍ଷା ପ୍ରଦାନ ଦିଗରେ ସହାୟକ ହେବା ଲକ୍ଷ୍ୟରେ ବାବୁ ଜଗଜୀବନ ରାମ ଅନୁସୂଚିତ ଜାତି ଛାତ୍ରୀ ନିବାସ ଯୋଜନା ହୋଇଥିଲା । ଏହି ଯୋଜନାରେ ଜିଲାରେ ୧୮ଟି ଛାତ୍ରୀ ନିବାସ ତିଆରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୭ ମସିହାରେ ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟରେ ଉକ୍ତ ଛାତ୍ରୀ ନିବାସଗୁଡିକ ନିର୍ମିତ ହୋଇଛି । ମାତ୍ର ସେଥି ମଧ୍ୟରୁ କେବଳ ୩ଟି କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ୧୫ଟି ଅବ୍ୟବହୃତ ହୋଇ ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବାବୁ ଜଗଜୀବନ ରାମ ଅନୁସୂଚିତ ଜାତି ଛାତ୍ରୀ ନିବାସ ଯୋଜନାରେ କେନ୍ଦ୍ର ସରକାର ୨୦୦୭ ମସିହାରେ ବଲାଙ୍ଗିର ଜିଲାକୁ ଅର୍ଥ ଯୋଗାଇ ଦେଇଥିଲେ । ବଲାଙ୍ଗିର ଜିଲାରେ ୧୮ଟି ଛାତ୍ରୀ ନିବାସ ନିର୍ମିତ ହୋଇଥିଲା । କୋଠା ଘର ନିର୍ମାଣ ପାଇଁ ୨କୋଟି ୬୦ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଜିଲାର ବଲାଙ୍ଗିର ବ୍ଲକରେ ୩ଟି, ଲୋଇସିଂହାରେ ୨ଟି, ପାଟଣାଗଡରେ ଗୋଟିଏ, ଖପ୍ରାଖୋଲ ବ୍ଲକରେ ୨ଟି ଓ ଆଗଲପୁର ବ୍ଲକରେ ସର୍ବାଧିକ ୧୦ଟି ଛାତ୍ରୀ ନିବାସ ତିଆରି ହୋଇଛି । ଶୌଚାଳୟ, ପାଣି ଏବଂ ସୋଲାର ସିଷ୍ଟମ୍ ବ୍ୟବସ୍ଥା ରହିଛି । ତେବେ କେବଳ ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ମହାବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ, ଖପ୍ରାଖୋଲ ବ୍ଲକର ବେନ୍କେରା ଆଶ୍ରମ ବିଦ୍ୟାଳୟ ଓ ମାଲପଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ଅଛି । ନିର୍ମାଣ ହେବାର ୫ ବର୍ଷ ବିତିବାକୁ ବସିଲାଣି । ଅବଶିଷ୍ଟ ୧୫ଟି ଛାତ୍ରୀ ନିବାସ ଏଯାଏଁ ବ୍ୟବହୃତ ହୋଇ ନପାରି ଭୂତ କୋଠି ପାଲଟିଛି । କେତେକ ସ୍ଥାନରେ ବିଦ୍ୟାଳୟ ପକ୍ଷରୁ କୋଠାଗୁଡିକୁ ବ୍ୟବହାର କରାଯାଉଥିବା ଜଣାପଡିଛି । ଜିଲାର ଅନୁସୂଚିତ ଜାତି ଛାତ୍ରୀଙ୍କ ବିକାଶ ଉଦ୍ଦେଶ୍ୟରେ ହୋଇଥିବା ଏହି ଯୋଜନା ବଲାଙ୍ଗିରରେ ଦିଗହରା ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହିଥିବା କୋଠା ଘରଗୁଡିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ମରାମତିର ଆବଶ୍ୟକତା ଦେଖା ଦେଇଛି ।
ଜିଲା ମଙ୍ଗଳ ବିଭାଗର ସୂଚନା ମୁତାବକ, ଉକ୍ତ ଯୋଜନାରେ ତିଆରି ହୋଇଥିବା କୋଠା ଘରଗୁଡିକର ଅବସ୍ଥା ତଦାରଖ କରିବାକୁ ରାଜ୍ୟ ମଙ୍ଗଳ ବିଭାଗ ବୈଷୟିକ ପରାମର୍ଶଦାତା ଇଂ.ଜଗନ୍ନାଥ ପଟେଲ(ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ) ଅକ୍ଟୋବର ୧୮ ତାରିଖ ବଲାଙ୍ଗିର ଗସ୍ତରେ ଆସିଥିଲେ । ଜିଲା ସହକାରୀ ମଙ୍ଗଳ ଅଧିକାରୀ ମଳୟ କୁମାର ଶତପଥୀଙ୍କ ସହ ଜିଲାର ବିଭିନ୍ନ ବ୍ଲକରେ ନିର୍ମିତ କୋଠାଘର ଗୁଡିକୁ ୩ଦିନ ଧରି ପରିଦର୍ଶନ କରିଥିଲେ । ଭିତ୍ତି ଭୂମି ଓ କର୍ମଚାରୀ (ରୋଷେୟା ଓ ମେଟ୍ରନ୍) ଅଭାବ ଯୋଗୁଁ ଛାତ୍ରୀ ନିବାସ ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଜଣାପଡିଛି । ଜିଲାର ଆଗଲପୁର ବ୍ଲକରେ ସର୍ବାଧିକ ୧୦ଟି କୋଠା ରହିଛି । ଏଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଆଗଲପୁର ବିଡିଓ ୨୦୧୮ ମସିହାରୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସେହି ଅନୁସାରେ ଜିଲା ମଙ୍ଗଳ ବିଭାଗ ପକ୍ଷରୁ ଗତ ମେ’ ମାସ ଆଗଲପୁର ବ୍ଲକକୁ ୬୩ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିବା ଜିଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ କହିଛନ୍ତି । ଜିଲାର ଅନୁସୂଚିତ ଜାତି ଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଥିବା କୋଠାଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କଲେ ଅନୁସୂଚିତ ଜାତି ଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
Comments are closed.