www.samajalive.in
Friday, November 14, 2025
25.1 C
Bhubaneswar

ମହାନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ନିକଟ ମହାନଦୀ କୂଳରେ ବୁଧବାର ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡଙ୍ଗାଟି କୂଳ ନିକଟରେ ଓଲଟିବାରୁ ସେଥିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

କନ୍ଦରପୁର ପଞ୍ଚାୟତ ଅଧୀନ ମହାନଦୀ ଗର୍ଭରେ ଥିବା ପ୍ରାଚୀନ ଅମଙ୍ଗେଇ କୁଦରେ ଅମଙ୍ଗେଇ ଠାକୁରାଣୀଙ୍କ ସମେତ ବିଚିତ୍ରେଶ୍ୱର ମହାଦେବଙ୍କ ବିଜେସ୍ଥଳୀ। ଉକ୍ତ ପୀଠରେ ପ୍ରତିବର୍ଷ ପଞ୍ଚକ ସମୟରେ ଯଜ୍ଞ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୂତି ହୋଇଥାଏ । ଚଳିତବର୍ଷ ମଧ୍ୟ ଏହି ଯଜ୍ଞ ଓ ପୂର୍ଣ୍ଣାହୂତିରେ ଯୋଗଦେବାକୁ ଶହ ଶହ ଶ୍ରଦ୍ଧାଳୁ ଡଙ୍ଗାରେ ନଦୀ ପାର ହୋଇ ଅମଙ୍ଗେଇ କୁଦକୁ ଯାଇଥିଲେ । ଅପରାହ୍ନ ୩.୩୦ରେ ଅମଙ୍ଗେଇ କୁଦ ପଟରୁ ଏକ ଡଙ୍ଗାରେ ପ୍ରାୟ ୧୫-୧୬ ଜଣ ଯାତ୍ରୀ କନ୍ଦରପୁର ଘାଟକୁ ଫେରୁଥିଲେ । ଡଙ୍ଗାଟି କୂଳ ପାଖରେ ପହଞ୍ଚିବା ବେଳକୁ ସେଥିରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇବା ପୂର୍ବରୁ କୁଦ ପଟକୁ ଯିବା ଲାଗି ଅପେକ୍ଷାରତ ୫-୬ ଜଣ ଲୋକ ଡଙ୍ଗାର ଗୋଟିଏ ପାର୍ଶ୍ବରେ ଚଢି ଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗା ଓଲଟିଲା ବେଲକୁ ସେଥିରେ ପ୍ରାୟ ୯-୧୦ ଜଣ ଯାତ୍ରୀ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀ ଯୁବକ ତୁରନ୍ତ ପାଣି ଭିତରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଡଙ୍ଗାର କ୍ଷମତାଠାରୁ ଅଧିକ ଯାତ୍ରୀ ନ ଥିଲେ ଏବଂ ଅଧିକାଂଶ ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିଥିଲେ ବୋଲି ଜଣାପଡିଛି । ଏହି ଯଜ୍ଞ କାର୍ଯ୍ୟକ୍ରମ ପାଇଁ ସେଠାରେ ସକାଳୁ ଅଗ୍ନିଶମ ବାହିନୀର ଏକ ଦଳ ଗୋଟିଏ ଯନ୍ତ୍ରଚାଳିତ ଡଙ୍ଗା ସହ ନଦୀ ମଝିରେ ପଇଁତରା ମାରୁଥିଲେ । ତେବେ ଡଙ୍ଗା ବୁଡିବା ବେଳକୁ ଅଗ୍ନିଶମ ବାହିନୀର ଯନ୍ତ୍ରଚାଳିତ ଡଙ୍ଗାର ଇଞ୍ଜିନର ବୈଷୟିକ ତ୍ରୁଟି ଯୋଗୁଁ ତାହା ଷ୍ଟାର୍ଟ ହୋଇ ନ ଥିଲା। ତଥାପି ଅଗ୍ନିଶମ ବାହିନୀ ଅନ୍ୟ ଯାତ୍ରୀବାହୀ ଡଙ୍ଗାରେ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ଆଠଗଡ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାସଙ୍କ ଉଦ୍ୟମରେ ତୁରନ୍ତ ବାଙ୍କୀରୁ ଅଗ୍ନିଶମ ର ଆଉ ଏକ ଯନ୍ତ୍ରଚାଳିତ ରବର ଡଙ୍ଗା ଆସି ପହଞ୍ଚି ସେଠାରେ ଯାତ୍ରୀ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲା । ଡଙ୍ଗା ବୁଡି ଘଟଣା ସମ୍ପର୍କରେ ସୂଚନା ପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା ଓ ଆଇଆଇସି ସୁମତି ମହାନ୍ତି କନ୍ଦରପୁର ଘାଟରେ ପହଞ୍ଚି ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ନଦୀ ପାର ପାଇଁ ପଦକ୍ଷେପ ନେଇଥିଲେ। ହେଲେ ତା ପରଠାରୁ କନ୍ଦରପୁର ଘାଟରୁ ଅମଙ୍ଗେଇ କୁଦ ଆଡକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇନଥିଲା।  ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି ପରେ ୬.୩୦ ସୁଦ୍ଧା ଅମଙ୍ଗେଇ କୁଦ ପଟରେ ରହିଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବେ କନ୍ଦରପୁର ଘାଟକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା। ସେଠାରେ ମହାନଦୀର ଅମଙ୍ଗେଇ କୁଦ ଓ କନ୍ଦରପୁର ଘାଟ ମଧ୍ୟବର୍ତ୍ତୀ ସ୍ଥାନରେ ନଦୀର ଖୁବ ଗଭୀରତା ରହିଛି । ସୌଭାଗ୍ୟବଶତଃ ଏହି ଡଙ୍ଗା ବୁଡି ଘଟଣା ନଦୀ ମଝିରେ ନ ଘଟି ଠିକ୍ କୂଳରେ ଘଟିଥିବାରୁ ଏକ ବଡ ଅଘଟଣ ବର୍ତ୍ତିଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories