www.samajalive.in
Wednesday, December 10, 2025
14.1 C
Bhubaneswar

ଦୃଷ୍ଟିହୀନ ଦିନିକିଆ: ଅଜୟ ଓ ଅନୀଲଙ୍କ ଶତକ; ଲିଙ୍ଗରାଜଙ୍କ ଅଲ୍‍ରାଉଣ୍ଡ ସଫଳତା

ଜଗତପୁର : ଗୁରୁବାର ସ୍ଥାନୀୟ ନିମପୁର ସ୍ପୋର୍ଟସ କ୍ଲବ୍‍ ପଡ଼ିଆରେ ଖେଳା ଯାଇଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‍ରେ ଆୟୋଜକ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଚଳିତ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‍ର ୨ୟ ମ୍ୟାଚ୍‍ରେ ଭାରତ ୧୧୩ ରନ୍‍ର ବିପୁଳ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଧିନାୟକ ଅଜୟ ରେଡ୍‍ଡୀଙ୍କ ସହ ଅନୀଲ ଗରିୟା ଏହି ମ୍ୟାଚ୍‍ରେ ଶତକ ମାରିଥିଲେ। ଏହାସହ ଓଡ଼ିଆ ଅଲ୍‍ରାଉଣ୍ଡର ଲିଙ୍ଗରାଜ ରାଉତରା ମଧ୍ୟ ଚମତ୍କାର ସଫଳତା ହାସଲ କରିଛନ୍ତି। ଅଜୟ ଓ ଅନୀଲଙ୍କ ଅପରାଜିତ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ନିର୍ଦ୍ଧାରିତ ୪୦ ଓଭରରେ ୬ ୱିକେଟ ହରାଇ ବିଶାଳ ୪୬୪ ରନ୍‍ ସ୍କୋର୍‍ କରିଥିଲା। ପରେ ଶ୍ରୀଲଙ୍କା ୪୦ ଓଭର ଶେଷରେ ୮ ୱିକେଟ ହରାଇ ୩୫୧ ରନ୍‍ କରି ପାରିଥିଲା। ଏହି ବିଜୟ ସହ ଭାରତ ୨-୦ରେ ଆଗୁଆ ହେବା ସହ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଜିତିନେଇଛି। ଭାରତ ଗତ ୨୩ରେ ଦିଲ୍ଲୀରେ ପ୍ରଥମ ଦିନିକିଆ ଜିତିଥିବା ବେଳେ ୨୭ରେ କଲକାତାରେ ୩ୟ ତଥା ଅନ୍ତିମ ଦିନିକିଆ ଖେଳାଯିବ। କ୍ରିକେଟ ଆସୋସିଏସନ୍‍ ଫର ଦି ବ୍ଲାଇଣ୍ଡ (କାବି)ର ଓଡ଼ିଶା ଶାଖା ପକ୍ଷରୁ ଏହି ମ୍ୟାଚ୍‍ ଆୟୋଜନ କରା ଯାଇଥିଲା।
ଟସ୍‍ ଜିତି ଶ୍ରୀଲଙ୍କା ଫିଲ୍‍ଡିଂ ନେବା ପରେ ଭାରତୀୟ ଓପ୍‍ନର ଓଡ଼ିଶାର ଲିଙ୍ଗରାଜ ରାଉତରା ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ଅନ୍ୟ ଓଡ଼ିଆ ଖେଳାଳି ମହମ୍ମଦ ଜାଫର ଇକ୍‍ବାଲ ମାତ୍ର ୬ ରନ୍‍ରେ ଆଉଟ ହୋଇଥିଲେ। ଆର୍‍. ଭେଙ୍କଟେଶ୍ୱର ୨୦ ରନ୍‍ କରିଥିଲେ। ୧୭୦ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ଅଜୟ ରେଡ୍‍ଡୀ ଓ ଏସ୍‍. ରମେଶ ୮୮ ରନ୍‍ ଯୋଡ଼ିଥିଲେ। ରମେଶ ୧୦ଟି ଚୌକା ସହ ୫୮ ରନ୍‍କରି ଆଉଟ ହୋଇଥିଲେ। ପରେ ଆଉ ୱିକେଟ ପଡ଼ିନଥିଲା। ଅଜୟ ରେଡ୍‍ଡୀ ଓ ଅନୀଲ ଗରିୟା ଅବିଭାଜିତ ୭ମ ୱିକେଟ ପାଇଁ ୨୦୬ ରନ୍‍ ଯୋଗ କରିଥିଲେ। ଅଜୟ ୨୫ଟି ଚୌକା ସହ ୧୫୫ ଓ ଅନୀଲ ୧୮ଟି ଚୌକା ସହ ୧୧୨ ରନ୍‍କରି ଅପରାଜିତ ଥିଲେ। ଶ୍ରୀଲଙ୍କାର ଏସ୍‍. ସମ୍ପତ ୩ଟି ୱିକେଟ ପାଇଥିଲେ। ଶ୍ରୀଲଙ୍କା ୪୬୫ ରନ୍‍ର ପିଛା କରିଥିବା ବେଳେ ସି. ଦେଶପ୍ରିୟ ଶତକ ଅର୍ଜନ କରିଥିଲେ। ଦେଶପ୍ରିୟ ୧୯ଟି ଚୌକା ସହ ୧୦୧ ରନ୍‍ କରିଥିଲେ। କେ. କୁମାର ୬୨ ଓ କେ. ଶିବା ୩୬ ରନ୍‍ କରିଥିଲେ। ପି. କୁମାର ୪୧ ରନ୍‍କରି ଅପରାଜିତ ଥିଲେ। ଭାରତର ଡି. ମଲ୍ଲିକ ୨ଟି ଏବଂ ଅଜୟ ରେଡ୍‍ଡୀ, ଲିଙ୍ଗରାଜ ରାଉତରା, ଜାଫର ଇକ୍‍ବାଲ, ୱାଡାଗଲ ଓ ଭେଙ୍କଟେଶ୍ୱର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ଅଜୟ ରେଡ୍‍ଡୀ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ପୂର୍ବରୁ ଭାରତ ଟ୍ୱେଣ୍ଟି୨୦ ସିରିଜ୍‍କୁ ୫-୦ରେ ପୋଛିନେଇଛି।
ସକାଳେ ମ୍ୟାଚ୍‍କୁ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‍ଘାଟନ କରିଥିଲେ। ଅପରାହ୍‍ଣରେ ଉଦ୍‍ଯାପନୀ ଉତ୍ସବରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଭିନ୍ନକ୍ଷମ ସଶକ୍ତିକରଣ କମିଶନର ଡ. ମିନତି ବେହେରା, ଏଡିଏମ୍‍ ବିଜୟ ଖଣ୍ଡାୟତ ରାୟ ଏବଂ କର୍ପୋରେଟର ରଞ୍ଜନ ବିଶ୍ୱାଳ ଓ ଦୟାନିଧି ନାୟକ ଅତିଥି ଥିଲେ। ସଭାପତି ବିଭୂପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ନିମପୁର ସ୍ପୋର୍ଟସ କ୍ଲବ୍‍ର କର୍ମକର୍ତ୍ତାମାନେ ମ୍ୟାଚ୍‍ର ସୁପରିଚାଳନାରେ ସହଯୋଗ କରିଥିଲେ। ମ୍ୟାଚ୍‍କୁ ୩ ହଜାରରୁ ଅଧିକ ଦର୍ଶକ ଦେଖିଥିଲେ। ସୂଚନାଯୋଗ୍ୟ; କିଟ୍‍ରେ ଭାରତ-ନ୍ୟୁଜିଲାଣ୍ଡ ଦୃଷ୍ଟିହୀନ ବିଶ୍ୱକପ୍‍ ମ୍ୟାଚ୍‍ ପରେ ଓଡ଼ିଶାମାଟିରେ ଏହା ୨ୟ ଦୃଷ୍ଟିହୀନ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍ ଥିଲା। କମିଶନରେଟ୍‍ ପୁଲିସ ପକ୍ଷରୁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories