nua o banner

ରାଜ୍ୟ ସରକାର ମିଲର ମାନଙ୍କର ଦଲାଲ ସାଜିଛନ୍ତି; ମାତ୍ର ୪୫.୫ % ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି : ବିଜେପି

BSKY banner  750×100

ଭୁବନେଶ୍ୱର:: ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି। ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ରାଜ୍ୟ ସରକାର ଚାଷୀ ମାରଣ ନୀତି ଆପଣାଇଛନ୍ତି। ରାଜ୍ୟରେ ୫୦ ପ୍ରତିଶତ ଚାଷୀଙ୍କ ଠାରୁ ଧାନ ଏଯାବତ୍‍ ଧାନ କିଣା ହୋଇନଥିବାବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅଧିକ ଧାନ କିଣିଛନ୍ତି କହି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ  ରାଜ୍ୟ ସରକାର ମିଲର ମାନଙ୍କର ଦଲାଲ ସାଜିଛନ୍ତି। ରାଜ୍ୟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଦୌ ପ୍ରଚେଷ୍ଟା ନାହିଁ। କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି। ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜିି ପର୍ଯ୍ୟନ୍ତ ଧାନ କାଟୁଛନ୍ତି। କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଓଡିଆ ଚାଷୀ ପାଇବାରୁ କାହିଁକି ବଂଚିତ ରହୁଛି ? ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଂଚିତ ରହିଛନ୍ତି। ଓଡିଶାର ବାକି ଥିବା ୮,୧୭,୨୨୦ ଚାଷୀଙ୍କ ଠାରୁ ରାଜ୍ୟ ସରକାର କେବେ ଧାନ କିଣିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

୨୪ ଜାନୁଆରୀ ୨୦୨୧ ସୁଦ୍ଧା ସମଗ୍ର ରାଜ୍ୟରୁ ମାତ୍ର ୪୫.୫ ପ୍ରତିଶତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିଛନ୍ତି ରାଜ୍ୟସରକାର। ସମଗ୍ର ରାଜ୍ୟରେ ରାଜ୍ୟ ସରକାର ୧୪,୯୯,୬୬୧ ଚାଷୀଙ୍କ ମଧ୍ୟରୁ ୬,୮୨,୪୪୧ ଚାଷୀଙ୍କ ଧାନ କିଣିଛନ୍ତି, ବାକି ୮,୧୭,୨୨୦ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇନାହିଁ। ଯାହା ହେଉଛି ମାତ୍ର ୪୫.୫ ପ୍ରତିଶତ। ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ୧,୩୯,୬୪୮ ଚାଷୀଙ୍କ ମଧ୍ୟରୁ ୩୫,୦୯୩ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି, ଯାହା ମାତ୍ର ୨୫ ପ୍ରତିଶତ ରହିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଜିଲ୍ଲାରେ ୬୨,୨୯୮ ଚାଷୀଙ୍କ ମଧ୍ୟରୁ ମାତ୍ର ୧୬,୪୩୭ ଚାଷୀଙ୍କ ଧାନ କିଣାଯାଇଛି,ଯାହା ମାତ୍ର ୨୬ ପ୍ରତିଶତ ରହିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ଜିଲ୍ଲାର ଚାଷୀଙ୍କ ଠାରୁ ପ୍ରଥମେ ଧାନ ଉଠାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପଶ୍ଚିମ ଓଡିଶାରେ ବରଗଡ ଜିଲ୍ଲାରେ ୧,୩୩,୦୯୩ ଚାଷୀଙ୍କ ମଧ୍ୟରୁ ୧୩,୦୦୦ ଚାଷୀଙ୍କ ଧାନ, ବଲାଙ୍ଗୀର ଜିଲ୍ଲାରେ ୬୬,୭୮୩ ଚାଷୀଙ୍କ ମଧ୍ୟରୁ ୪୨,୩୫୧ ଚାଷୀଙ୍କ ଧାନ, କଳାହାଣ୍ଡି ଜିଲ୍ଲାରେ ୮୪,୦୫୩ ଚାଷୀଙ୍କ ମଧ୍ୟରୁ ୬୬,୨୯୧ ଚାଷୀଙ୍କ ଧାନ, କୋରାପୁଟ ଜିଲ୍ଲାରେ ୩୪,୯୩୯ ଚାଷୀଙ୍କ ମଧ୍ୟରୁ ୨୬,୭୦୮ ଚାଷୀଙ୍କ ଧାନ, ନୂଆପଡା ଜିଲ୍ଲାରେ ୩୩,୭୪୧ ଚାଷୀଙ୍କ ମଧ୍ୟରୁ ୨୧,୪୨୬ ଚାଷୀଙ୍କ ଧାନ, ସମ୍ବଲପୁର ଜିଲ୍ଲାରେ ୫୩,୧୪୭ ଚାଷୀଙ୍କ ମଧ୍ୟରୁ ୪୯୨୧୮ ଚାଷୀଙ୍କ ଧାନ ରାଜ୍ୟ ସରକାର ଉଠାଇଛନ୍ତି। ପଶ୍ଚିମ ଓଡିଶାରେ ସମୁଦାୟ ୪,୦୫,୭୫୬ ଚାଷୀଙ୍କ ମଧ୍ୟରୁ ମାତ୍ର ୨,୧୮,୯୯୪ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି, ଯାହା କି ମାତ୍ର ୫୩.୯ ପ୍ରତିଶତ ରହିଛି। ଏବେବି ୧,୮୬,୭୬୨ଚାଷୀଙ୍କ ଧାନ ରାଜ୍ୟ ସରକାର ସଂଗ୍ରହ କରିନାହାଁନ୍ତି। ଏବେ ବି ପଶ୍ଚିମ ଓଡିଶାରେ ଲକ୍ଷ ଲକ୍ଷ କ୍ୱିଂଟାଲ ଧାନ ପଡିରହିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ଆଦିବାସୀ ବହୁଳ ମୟୁରଭଂଜ ଜିଲ୍ଲାରେ ୫୬,୯୫୪ ଚାଷୀଙ୍କ ମଧ୍ୟରୁ ୧୫୭୦୫ ଚାଷୀଙ୍କ ଧାନ, ସୁନ୍ଦରଗଡ ଜିଲ୍ଲାରେ ୪୭,୮୩୨ ଚାଷୀଙ୍କ ମଧ୍ୟରୁ ୧୯,୪୪୭ ଚାଷୀଙ୍କ ଧାନ, କେଉଁଝର ଜିଲ୍ଲାରେ ୫୧,୧୧୦ ଚାଷୀଙ୍କ ମଧ୍ୟରୁ ୧୬,୨୧୨ ଚାଷୀଙ୍କ ଧାନ, ଗଜପତି ଜିଲ୍ଲାରେ ୧୬,୦୭୮ ଚାଷୀଙ୍କ ମଧ୍ୟରୁ ୬,୨୯୮ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି। ସମୁଦାୟ ୧,୭୧,୯୭୪ ଚାଷୀଙ୍କ ମଧ୍ୟରୁ ୫୭,୬୬୨ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି,ଯାହା କି ମାତ୍ର ୩୩.୫ ପ୍ରତିଶତ ରହିଛି। ଏବେବି ଆଦିବାସୀ ବହୁଳ ଜିଲ୍ଲାରେ ୧,୧୪,୩୧୨ ଚାଷୀଙ୍କ ଧାନ ଧାନ ପଡିରହିଛି। ସେହିପରି ପୂର୍ବ ଓଡିଶାର ଭଦ୍ରକ ଜିଲ୍ଲାରେ ୬୯,୬୫୨ ଚାଷୀଙ୍କ ମଧ୍ୟରୁ ୧୭,୪୯୩ ଚାଷୀଙ୍କ ଧାନ, ବାଲେଶ୍ୱର ଜିଲ୍ଲାରେ ୭୯,୭୨୪ ଚାଷୀଙ୍କ ମଧ୍ୟରୁ ୨୪,୬୯୫ ଚାଷୀଙ୍କ ଧାନ ଏବଂ ପୁରୀ ଜିଲ୍ଲାରେ ୫୫,୬୫୧ ଚାଷୀଙ୍କ ମଧ୍ୟରୁ ମାତ୍ର ୬,୮୪୬ ଚାଷୀଙ୍କ ଧାନ ରାଜ୍ୟ ସରକାର ଉଠାଇଛନ୍ତି। ସମୁଦାୟ ୨,୬୭,୩୨୫ ଚାଷୀଙ୍କ ମଧ୍ୟରୁ ୬୫,୪୭୫ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି, ଯାହା କି ମାତ୍ର ୨୪.୪ ପ୍ରତିଶତ ରହିଛି। ଏବେ ବି ୨,୦୧,୮୫୦ ଚାଷୀଙ୍କ ଧାନ ରାଜ୍ୟ ସରକାର ଉଠାଇ ନାହାଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

Comments are closed.