ମୁମ୍ବଇ: ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଥିବାବେଳେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଜାତୀୟ ଏବଂ ରାଜ୍ୟ ସ୍ତରରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ଏହା ମଧ୍ୟରେ ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଶାଇନା ଏନ୍. ସି. କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଶାଇନା ଏନ୍. ସି. କହିଛନ୍ତି, ଅଧିକାଂଶ ଆଗଧାଡ଼ିର ରାଜନୈତିକ ଦଳ, ଏପରି କି ତାଙ୍କ ଦଳ ମଧ୍ୟ ଲୋକସଭା ନିର୍ବାଚନ ଲାଗି ମହିଳା ପ୍ରାର୍ଥୀଙ୍କୁ ଯଥେଷ୍ଟ ଗୁରୁତ୍ଵ ଦେଇନାହାନ୍ତି। ଏହାକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪୧ ପ୍ରତିଶତ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛନ୍ତି। ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସାଯୋଗ୍ୟ। ଅନ୍ୟ ସବୁ ଦଳଗୁଡ଼ିକର ନିଦ୍ରା ଭଙ୍ଗ ହେବା ଉଚିତ। ସେମାନେ କେବଳ ମହିଳାଙ୍କ ବିକାଶ ଉପରେ ବଡ଼ ବଡ଼ କଥା କୁହନ୍ତି, କିନ୍ତୁ କିଛି କାମ କରନ୍ତି ନାହିଁ।
ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ମଧ୍ୟରୁ ମାତ୍ର ୧୩ ଜଣ ମହିଳାଙ୍କୁ ବିଭିନ୍ନ ଆଗଧାଡ଼ିର ଦଳ ପ୍ରାର୍ଥୀ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପି ୭ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ୩ ଏବଂ ଏନସିପି ଓ ଶିବସେନା ଜଣେ ଲେଖାଏ ମହିଳାଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ଜଣେ ସ୍ବାଧୀନ ବିଧାୟକଙ୍କ ପତ୍ନୀ ପ୍ରାର୍ଥୀ ହୋଇଛନ୍ତି। ଏତେ କମ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ରାଜ୍ୟରେ ବିତର୍କ ସୃଷ୍ଟି ହୋଇଛି। ଶାଇନା କହିଛନ୍ତି, ଦକ୍ଷତା ପ୍ରକାଶ ପାଇଁ ସୁଯୋଗ ଦରକାର। ମହିଳାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଦରକାର। ରାଜନୀତିରେ ନେତୃତ୍ଵ ନେବା ଲାଗି ଅଧିକ ସଂଖ୍ୟକ ମହିଳାଙ୍କୁ ସୁଯୋଗ ଦେବା ଆବଶ୍ୟକ। ଏ ଦିଗରେ ସବୁ ଦଳର ନିଦ ଭାଙ୍ଗିବା ଦରକାର।



