ଦିସ୍ପୁର: ସୋସିଆଲ ମିଡିଆ ଫେସ୍ବୁକରେ ଅପମାନଜନକ ସାମ୍ପ୍ରଦାୟିକ ମନ୍ତବ୍ୟ ପୋଷ୍ଟ କରିବା ଆସାମର ଜଣେ ବିଜେପି ଆଇଟି ସେଲ ସମ୍ପାଦକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଆସାମ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ନିତୁ ବୋରା। ସମାନ ଅଭିଯୋଗରେ ବିଜେପି ସହ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି।
ଆସାମର ମୋରିଗାଓଁ ଏସପି ସ୍ବପ୍ନିଲ ଡେକା କହିଛନ୍ତି, ନିତୁ ବୋରା ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧରେ ଫେସବୁକରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଆମେ ତାଙ୍କୁ ଗିରଫ କରିଛୁ। ସେହିପରି ଉଦାଲଗୁଡ଼ି ଜିଲା ଏସପି ଲଂଗ୍ନିତ ଟେରନ କହିଛନ୍ତି, ଜଣେ ଆଦିବାସୀ ମହିଳାଙ୍କୁ ଅନ୍ୟ ଏକ ସମ୍ପ୍ରଦାୟର ପୁରୁଷ ବଳାତ୍କାର କରିଥିବା ନେଇ ବିଜେପିର ଜଣେ ସମର୍ଥକ ଫେସବୁକରେ ମିଥ୍ୟା ଖବର ପୋଷ୍ଟ କରିଥିଲେ। ତାଙ୍କୁ ଡକାଇ ପଚରାଉଚରା କରାଯାଇଛି। ଏହାବ୍ୟତୀତ ଆଉ ଜଣେ ବିଜେପି ସମର୍ଥକ ଫେସବୁକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ପୁଲିସ ତାଙ୍କୁ ପଚରାଉଚରା କରିଥିବା ପୁଲି ଟିନସୁକିଆ ଏସପି ଶିଳାଦିତ୍ୟ ଚେତିଆ କହିଛନ୍ତି।



