www.samajalive.in
Saturday, December 6, 2025
17.1 C
Bhubaneswar

ରାଜସ୍ଥାନ ନିର୍ବାଚନ: ବିଜେପି-କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି!

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନକୁ ନେଇ ଚଳଚଞ୍ଚଳ ଦିଲ୍ଲୀ। କାରଣ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜସ୍ଥାନ ନିର୍ବାଚନକୁ ନେଇ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ପ୍ରକାଶ ପାଇବ। ଉଭୟ ଦଳ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଥିବାବେଳେ କଂଗ୍ରେସ ଆଶାୟୀ ସେମାନଙ୍କ ପ୍ରମୁଖ ସମର୍ଥକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି। ଅପରପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କରିବା ନିମନ୍ତେ ଆଜି ଅପରାହ୍ଣ ୫ଟାରେ କେନ୍ଦ୍ରୀୟ ଚୟନ କମିଟିର ବୈଠକ ଡାକରା ଦିଆଯାଇଛି।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମୀତ ଶାହ, ଅରୁଣ ଜେଟଲୀ, ନୀତିନ ଗଡ଼କରୀଙ୍କ ସମେତ ଏକାଧିକ ବଡ଼ ନେତା ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ନିର୍ବାଚନରେ ବିଜେପି ୮୫ରୁ ୯୦ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଟିକଟ ବାତିଲ କରିବାକୁ ସ୍ଥିର କରାଯାଇଛି। କେନ୍ଦ୍ରୀୟ ଚୟନ କମିଟିର ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ ତାଲିକା ନେଇ ସଂସଦୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ ବୈଠକ ପରେ ପ୍ରଥମ ପର୍ଯ୍ୟାୟର ୧୫୦ଟି ପ୍ରାର୍ଥୀ ତାଲିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ମୋଟ୍‍ ୨୦୦ଟି ଆସନ ରହିଥିବାବେଳେ ବିଜେପି ପକ୍ଷରୁ ଆଜି ଚୂଡ଼ାନ୍ତ ୧୫୦ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ଅମୀତ ଶାହ ଓ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବୈଠକ ଚାଲିଥିଲା। ଏହି ବୈଠକରେ ପ୍ରତିଟି ପ୍ରାର୍ଥୀଙ୍କୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅମୀତ ଶାହଙ୍କୁ ମିଳିଥିବା ସୂଚନା ଭିତ୍ତିରେ ପ୍ରସ୍ତୁତ ତାଲିକା ସହ ବସୁନ୍ଧରାଙ୍କ ତାଲିକାକୁ ତର୍ଜମା କରାଯିବା ପରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଚୟନ କମିଟି ସମ୍ମୁଖରେ ଉପସ୍ଥାପିତ ହେବ।
ଟିକଟ ବିତରଣକୁ ନେଇ ଅମୀତ ଶାହଙ୍କ ପକ୍ଷରୁ ରାଜ୍ୟ କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଥିବାବେଳେ ବସୁନ୍ଧରା ରାଜେ ପୃଥକ ଏକ ତାଲିକା ପ୍ରସ୍ତୁତ କରିଥିଲେ। ଶନିବାର ଦିନ ତମାମ ରାଜସ୍ଥାନ ପ୍ରଭାରୀ ପ୍ରକାଶ ଜାବଡ଼େକରଙ୍କ ଘରେ ବସୁନ୍ଧରା ରାଜେ ଓ ରାଜସ୍ଥାନର ଅନ୍ୟ ନେତୃମଣ୍ଡଳୀ ବୈଠକ କରିଥିଲେ।
କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ମଧ୍ୟ ଅନୁରୂପ ପରିସ୍ଥିତି ଦୃଶ୍ୟମାନ ହୋଇଛି। ରାଜସ୍ଥାନ କଂଗ୍ରେସର ୨ ଛାମୁଆ ନେତା ଗହଲୋତ ଓ ପାଇଲଟଙ୍କ ପ୍ରାର୍ଥୀ ଚୟନ ତାଲିକା ତର୍ଜମା ଆରମ୍ଭ ହୋଇଛି। ରାଜସ୍ଥାନ କଂଗ୍ରେସ ପକ୍ଷରୁ ଚୂଡ଼ାନ୍ତ ୧୬୫ଜଣ ପ୍ରାର୍ଥୀଙ୍କ ନାମ ପ୍ରସ୍ତୁତ ହୋଇଛି। ଏହି ଚୂଡ଼ାନ୍ତ ତାଲିକା ଆଜି ରାହୁଲ ଗାନ୍ଧିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଶନିବାର ଦିଲ୍ଲୀସ୍ଥିତ କଂଗ୍ରେସ ୱାର ରୁମରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ କୁମାରୀ ଶୈଲେଜା, ରାଜସ୍ଥାନ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସଚୀନ ପାଇଲଟ, ନେତା ପ୍ରତିପକ୍ଷ ରାମେଶ୍ୱର ଡୁଡୀ ଓ ରାଜସ୍ଥାନ ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ମିଳିତ ବୈକଠରେ ୧୬୫ଟି ନାମ ଚୂଡ଼ାନ୍ତ ହୋଇଛି। ଅବଶ୍ୟ ଶନିବାର ଅନୁଷ୍ଠିତ ବୈଠକରେ କଂଗ୍ରେସ ମହାସଚିବ ଅଶୋକ ଗେହେଲୋତଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଅବଶ୍ୟ ପରେ କଂଗ୍ରେସ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦିଆଯାଇ ଗେହେଲୋତଙ୍କୁ ରାଷ୍ଟ୍ରୀୟସ୍ତରରେ ମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସାକ୍ଷାତ ପାଇଁ କଂଗ୍ରେସ ପକ୍ଷରୁ ପଠାଯାଇ ଥିଲା। ତେବେ ଶ୍ରୀ ଗେହେଲୋତ ଫେରିବା ପରେ କୁମାରୀ ଶୈଲେଜା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସର ଆଭ୍ୟନ୍ତରୀଣ ମହଲରେ ଶ୍ରୀ ଗେହେଲୋତ ଓ ପାଇଲଟଙ୍କ ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ମତାନ୍ତର ଖବର ଶୁଣିବାକୁ ମିଳୁଛି। ଉଭୟ ନେତା ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚାହୁଁଥିବାବେଳେ ପରସ୍ପରର ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇବାକୁ ଉଦ୍ୟମ କରୁଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories