ଓଡ଼ିଶାରେ ବିଷୁବ ସଂକ୍ରାନ୍ତିର ମହତ୍ତ୍ବ

ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପଣାସଂକ୍ରାନ୍ତି ଭାବେ ପରିଚିତ। ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିବସ। ଏହି ଦିନ ଓଡ଼ିଆ ପାଞ୍ଜି ଉନ୍ମୋଚିତ ହୁଏ ଏବଂ ଓଡ଼ିଆମାନେ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରନ୍ତି। ପ୍ରତିବର୍ଷ ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ସାରା ଭାରତରେ ପାଳନ କରାଯାଏ। କିନ୍ତୁ ଚଳିତ ବର୍ଷ ଏପ୍ରିଲ ୧୩ରେ ମହାବିଷୁବ ସଂକ୍ରାନ୍ତି ପାଳନ କରାଯିବ।

ମହାବ୍ରହ୍ମଚାରୀ, ଅତୁଳ ବଳଶାଳୀ ଭଗବାନ ହନୁମାନଙ୍କ ଜନ୍ମ ଦିବସ ହୋଇଥିବାରୁ ଏହି ଦିନ ତାଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ଦ୍ବାରା ବିଭିନ୍ନ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୁଏ। ସେହିପରି ଭଗବାନ ଶିବ, ଶକ୍ତି ଏବଂ ଶାଳଗ୍ରାମଙ୍କୁ ମଧ୍ୟ ପୂଜା କରାଯାଏ। ଓଡ଼ିଶାରେ ଏହି ଦିବସର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଏହି ଦିନ ନୂତନ ପାଞ୍ଜିର ଉନ୍ମୋଚନ ସହ ଓଡ଼ିଆ ନବବର୍ଷ ପାଳିତ ହୁଏ। ସାରା ଓଡିଶାରେ ଘରେ ଘରେ ଛତୁଆ ଓ ପଣା ଭୋଗ ହୋଇଥାଏ । ତୁଳସୀ ଚଉରାକୁ ନଡିଆ ବରଡାରେ ତିଆରେ ଚାଞ୍ଚରେ ଆଛାଦିତ କରାଯାଇଥାଏ ।

ଏହି ଦିନେ ଲୋକେ ପ୍ରଭାତରେ ବିଭିନ୍ନ ମନ୍ଦିରକୁ ଯାଇ ଦେବଦେବୀଙ୍କ ନିକଟରେ ପରିବାରର ମଙ୍ଗଳ ଓ ସୌଭାଗ୍ୟ ପ୍ରାର୍ଥନା କରନ୍ତି। ଏହି ଅବସରରେ ଠାକୁରଙ୍କୁ ସ୍ବାଦିଷ୍ଟ ପଣାର ନୈବେଦ୍ୟ ଅର୍ପଣ କରି ନିଜେ ଗ୍ରହଣ କରିବା ସହ ବନ୍ଧୁ, ପଡ଼ୋଶୀ ଏବଂ ଜ୍ଞାତି କୁଟୁମ୍ବଙ୍କୁ ଅର୍ପଣ କରନ୍ତି। ଏଥି ସହିତ ବିଭିନ୍ନ ସ୍ଥାନରେ ନାନାଦି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଏ।

ପଞ୍ଜାବରେ ପାଳିତ ହେଉଥିବା ‘ବୈଶାଖୀ’, ଆସାମର ‘ବୋହାଗ ବିହୁ’, ପଶ୍ଚିମବଙ୍ଗର ‘ପୋହେଲା ବୈଶାଖ’, ତାମିଲନାଡୁର ‘ପୁଥାଣ୍ଡା’, ଉତ୍ତରାଖଣ୍ଡର ‘ବିଖୋଟି’, କେରଳର ‘ଭିଷୁ’ ପର୍ବ ସହିତ ଓଡ଼ିଆ ପଣାସଂକ୍ରାନ୍ତିର ଯଥେଷ୍ଟ ସାମଞ୍ଜସ୍ୟ ରହିଛି।

Comments are closed.