ବିଲକିଶ ବାନୋ ମାମଲା: ଦୋଷୀ ପୁଲିସକୁ ୨ସପ୍ତାହରେ ଦଣ୍ଡ ଦିଅ – ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ୨୦୦୨ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ବିଲକିଶ ବାନୋ ମାମଲାରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୁଇ ସପ୍ତାହ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ, ୨୦୦୨ରେ ଗୁଜୁରାଟ ଦଙ୍ଗା ସମୟରେ ସାମୁହିକ ବଳତ୍କାରର ଶିକାର ହୋଇଥିବା ବିଲକିଶ ବାନୋ ମାମଲା ତଦନ୍ତରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁଜୁରାଟ ସରକାରଙ୍କୁ ସମୟ ଦେଇଛନ୍ତି।

ଅନ୍ୟ ପକ୍ଷରେ ବିଲକିଶ ବାନୋଙ୍କୁ ଅଧିକ କ୍ଷତିପୂରଣ ଦେବା ନେଇ ଆବେଦନର ଏପ୍ରିଲ ୨୩ରେ ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ବିଲକିଶ, ଗୁଜୁରାଟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୫ ଲକ୍ଷ ଟଙ୍କାର ସହାୟତା ଗ୍ରହଣ ନ କରିବା ପାଇଁ ଖଣ୍ଡପୀଠକୁ ମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୨ରେ କେତେକ ଦଙ୍ଗା ସୃଷ୍ଟିକାରୀ ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିଶ ବାନୋଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ସାମୁହିକ ବଳାତ୍କାର କରିଥିଲେ। ସେହି ଦଙ୍ଗାରେ ବିଲକିଶ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ହରାଇଥିଲେ। ସେହି ମାମଲାରେ ବମ୍ବେ ଉଚ୍ଚ ନ୍ୟାୟାଳୟ ୧୨ ଜଣକୁ ଆଜୀବନ କାରାଦଣ୍ଡ ଏବଂ ପାଞ୍ଚ ଜଣ ପୁଲିସ ଅଧିକାରୀ ଓ ଦୁଇଜଣ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Leave A Reply