ଡେସ୍କ: ବିଜୁ ପଟ୍ଟନାୟକ ରାଜ ନେତା ନ ଥିଲେ, ସେ ଥିଲେ ଲୋକଙ୍କ ନେତା ଓ ଜଣେ ନିର୍ଭିକ ଜନନାୟକ। ଏକଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଆଜି (ବୁଧବାର) ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି, ବିଜୁ ବାବୁ ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ଦେଖୁଥିଲେ, ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ।
ଉଦବୋଧନ ଦେବା ଅବସରରେ ଶ୍ରୀ ଘଡ଼ାଇ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଓ ବିଭିନ୍ନ କାର୍ଯ୍ୟାବଳୀର ବର୍ଣ୍ଣନା ଛଳରେ ତାଙ୍କ ଲୋକପ୍ରିୟତା, ସଫଳତା ଓ ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ କହିଥିଲେ। ଖଣି ନିଗମ ହେଉ କି ଫେରୋକ୍ରମ କାରଖାନା, ରାଜ୍ୟରେ ଶିଳ୍ପ ବିକାଶର ମୁଳୁଦୁଆ ରଖିଥିଲେ ବିଜୁ ପଟ୍ଟନାୟକ।
ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁବାବୁଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।



