-୭୦୦ କୋଟିର ଉଦ୍ଘାଟନ,-୩୩୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶିଳାନ୍ୟାସ, -ମହାନଦୀ ଦ୍ୱିତୀୟ ସେତୁ ଲୋକାର୍ପିତ
ସମ୍ବଲପୁର : ସାଧାରଣ ନିର୍ବାଚନ ମୁଣ୍ଡ ଉପରେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଗସ୍ତ କରି ୭୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଆହୁରି ଅନେକ ମନଲୋଭା ପ୍ରକଳ୍ପ ବର୍ଷା କରି ଦେଇଛନ୍ତି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମରେ ଶୁକ୍ରବାର ଅନୁଷ୍ଠିତ ବିଜୁ ଯୁବ ବାହିନୀର ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ୭୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ତା ସହିତ ୩୩୮ କୋଟି ଟଙ୍କାର ୧୪ଟି ନୂଆ ପ୍ରକଳ୍ପ ପାଇଁ ଶିଳନ୍ୟାସ କରିଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା ମହାନଦୀ ଉପରେ ୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେଢ଼ କିଲୋମିଟର ଦୀର୍ଘ ବହୁ ପ୍ରତୀକ୍ଷିତ ସେତୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି। ନିର୍ବାଚନ ବର୍ଷରେ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ଅନୁଷ୍ଠିତ ସମାବେଶରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ଅନୁଗୋଳ ଜିଲାର ବିଜୁ ଯୁବ ବାହିନୀର ହଜାର ହଜାର କର୍ମୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ବିିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି କହିଲେ ଯେ ‘ଆଜି ସମ୍ବଲପୁରରେ ବିଜୁ ଯୁବ ବାହିନୀର ସମାବେଶ ହେଉଛି; ଆପଣମାନେ ଖୁସି ତ! ଆଜି ସମ୍ବଲପୁରରେ ୭ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛି, ଆପଣମାନେ ଖୁସି ତ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମାବେଶରେ ଉପସ୍ଥିତ ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି, ମାନବ ସେବା ହିଁ ଶ୍ରେଷ୍ଠ ଧର୍ମ। ରକ୍ତଦାନ ମହତ ଦାନ। ସେବା ଜରିଆରେ ଶାନ୍ତି,ଏକତା ଓ ସମୃଦ୍ଧି ସମ୍ଭବ। ବିଜୁ ଯୁବବାହିନୀ ଏଥି ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ବିଜୁ ବାବୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧି ଓ ସ୍ୱାମୀ ବିବେକାନନ୍ଦ ଯୁବଗୋଷ୍ଠୀକୁ ହିଁ ସବୁଠାରୁ ବେଶୀ ପ୍ରାଧାନ୍ୟ ଦେଇଥିଲେ। ଭାରତ ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଜୁ ବାବୁ ସେବା ଓ ସାହସର ପରାକାଷ୍ଠା ଦେଖାଇଛନ୍ତି। ପାରାଦୀପ ବନ୍ଦର ବିଜୁ ବାବୁଙ୍କ ଅମଳରେ ପ୍ରତିଷ୍ଠା ହୋଇଥିଲା। ଭିମସାରରେ କାର୍ଯ୍ୟରତ ସେବିକା ନିବାସ ନିର୍ମାଣ, ଅନୁଚିକିତ୍ସା ଛାତ୍ର ନିବାସ ନିର୍ମାଣ, ସମ୍ବଲପୁରରେ ଔଷଧ ପରୀକ୍ଷାଗାର, ଭୂତାପଡ଼ା-ଧନକଉଡ଼ା ରାସ୍ତାର ଚାରି ଟିକିଆକରଣ, ନାରୀ ସେବା ସଦନରୁ ଜେଲ ଛକ ରାସ୍ତାର ଧୋବିଯୋର ନାଳ ଉପରେ ଉଚ୍ଚ ସେତୁ ନିର୍ମାଣ, ହୀରାକୁଦ-ରେମେଡ଼ ରାସ୍ତାରେ ଓଭରବ୍ରିଜ, ସମ୍ବଲପୁର ଓ ହୀରାକୁଦ ରେଳ ଷ୍ଟେସନ ମଧ୍ୟରେ ଦୁର୍ଗାପାଲିଠାରେ ଓଭରବ୍ରିଜ, ବଡ଼ସିଂହାରି ଓ ପରମାଣପୁରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୃହ, ଭିସୁଟ୍ରେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶିଳାନ୍ୟାସ କରିବା ସହିତ ୩.୦୦୭ କୋଟି ଟଙ୍କାରେ ଜିଲା ମୁଖ୍ୟଚିକିତ୍ସାଳୟର ପ୍ରଶାସନିକ କୋଠା, ୬.୩୩ କୋଟି ଟଙ୍କାରେ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ହୀରାକୁଦ ଗାନ୍ଧୀମୀନାରରୁ ଜବାହାର ଉଦ୍ୟାନ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପ-ୱେ ଓ ପଡ଼ିବାହାଲ ସବ୍ଷ୍ଟେସନ୍ ପ୍ରକଳ୍ପ ଆଜି ଲୋକାର୍ପଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସୂଚନା ଦେଇଥିଲେ। ସମାବେଶ ନେତୃବର୍ଗଙ୍କୁ ମଞ୍ଚ ତଳେ ଆସନ ମିଳିଥିଲା। ମଞ୍ଚରେ ଉପସ୍ଥିତ ବିଜୁ ଯୁବ ବାହିନୀର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅରୂପ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ବିଜୁ ଯୁବବାହିନୀର ଆଶିଷ କୁମାର ପ୍ରଧାନ ଓ ରାକ୍ଷୀ ମୁଣ୍ଡା ପ୍ରମୁଖ କର୍ମକର୍ତ୍ତା ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।



