ଭୁବନେଶ୍ୱର: ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ କେଦାର ନାଥ ଗବେଷଣା ପ୍ରତିଷ୍ଠାନର ସଭା ଗୃହରେ ଶର୍ମିଷ୍ଠା ପାଣିଗ୍ରାହୀଙ୍କ ‘ମହାର୍ଘ କାତରପଣ’, କବି ଭାଗିରଥି ବେହରାଙ୍କ ‘ସଜଲ ଶତକ’, କବି ନୀଳକଣ୍ଠ ସାହୁଙ୍କ ‘ମଉଳା ମୁହୂର୍ତ୍ତ’ ଓ ବ୍ୟଙ୍ଗକବି ବାଇଡଙ୍କ ବାବାଙ୍କ ‘ମଗଜ ମନ୍ଥନ’ ଉନ୍ମୋଚିତ ହୋଇଯାଇଛି। ପ୍ରେମାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଦେବୀ ପ୍ରସନ୍ନ ପଟ୍ଟନାୟକ ସ୍ଵତନ୍ତ୍ର ଅତିଥି, ରବି ନାରାୟଣ ସେନାପତି ମୁଖ୍ୟ ଅତିଥି, ସତ୍ୟ ନାରାୟଣ ମହାପାତ୍ର ଏବଂ ପ୍ରଭାସିନୀ ମହାକୁଡ଼ ବିଶିଷ୍ଟ ଅତିଥି, ରାଜେନ୍ଦ୍ର କୁମାର ବେହେରା ସମ୍ମାନିତ ଅତିଥି, ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନନୀୟ ବକ୍ତା ଓ ଦେବାଶିଷ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
ପ୍ରତ୍ୟେକ ପୁସ୍ତକ ଅମୃତ ବିନ୍ଦୁ ସହିତ ସମାନ ଓ ଉନ୍ମୋଚିତ ପୁସ୍ତକଗୁଡ଼ିକ ଓଡ଼ିଆ ଭାଷା ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ ପୁସ୍ତକ ସମୁହରୁ ରମେଶ ଚନ୍ଦ୍ର ପାଣି, ଦୁର୍ଗା ଚରଣ ଷଡ଼ଙ୍ଗୀ, ଜୟଶୀ ପଟ୍ଟନାୟକ, ଦେବଜ୍ୟୋତି ଅବିନାଶ, ମୀରାବାଇ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ ଓ ପ୍ରକାଶକ ରାଜ କିଶୋର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁପ୍ରିୟା ପଣ୍ଡା ସଂଯୋଜନା କରିଥିଲେ ଏବଂ କବି ଦୁର୍ଗାଚରଣ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ସାହିତ୍ୟିକ, ପାଠକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।



