ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ରାଷ୍ଟ୍ରୀୟ ସମ୍ମାନ ସହ ଆସନ୍ତାକାଲି ନିମାପଡ଼ାରେ ଅନ୍ତିମ ସଂସ୍କାର

ଭୁବନେଶ୍ବର: ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ବୋର୍ଡ଼ ସଭାପତି ଦୀପକ ମାଲବ୍ୟ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ନିମାପଡ଼ାରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

 

ଦେଶ ଜଣେ କର୍ମଯୋଗୀଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଭବାନୀଚରଣ ପଟ୍ଟନାୟକ କେବଳ ଜଣେ ଦେଶପ୍ରମେମୀ ନ ଥିଲେ, ତାଙ୍କର ଜୀବନ ସାଧାରଣ ଲୋକଙ୍କ ସେବାରେ ଅତିବାହିତ ହୋଇଥିଲା । ଗାନ୍ଧୀବାଦରେ ବିଶ୍ବାସ ରଖୁଥିବା ଏହି ନିରଳସ ମଣିଷଟି ବିଜୁବାବୁଙ୍କର ଘନିଷ୍ଠ ସହଯୋଗୀ ଭାବରେ ପରିଚିତ ଥିଲେ । ଶେଷ ପର୍ଯ୍ୟନ୍ତ ସେ ସକ୍ରିୟ ରହିଥିଲେ ଏବଂ ତାଙ୍କର ପରଲୋକରେ ରାଜ୍ୟ ତଥା ଦେଶ ଜଣେ କର୍ମଯୋଗୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।

 

 

ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟ ଅସ୍ତ ଘଟିଲା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଶୋକବାର୍ତାରେ କହିଛନ୍ତି ଯେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ବର୍ଗବାସ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଖୁବ୍ କମ ବୟସରେ ସେ ସ୍ବାଧୀନତା ସଂଗ୍ରାମରେ ନେତୃତ୍ବ ନେଇ ଭାରତଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ । ତିନିଥର ରାଜ୍ୟସଭା ସାଂସଦ ଥିବା ଭବାନୀବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ । ତାଙ୍କର ପରଲୋକରେ ଓଡ଼ିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କ ଅସ୍ତ ଘଟିଛି । ତାଙ୍କର ପରିବାରକୁ ଗଭୀର ସମବେଦନା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଶ୍ରୀପ୍ରଧାନ କହିଛନ୍ତି ।

ନୂଆପିଢ଼ି ନିମନ୍ତେ ଥିଲେ ପ୍ରେରଣାର ଉତ୍ସ: ଲୋକସେବକ ମଣ୍ଡଳ ଅଧ୍ୟକ୍ଷ ଦୀପକ ମାଲବ୍ୟ

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ । ଏକ ଶୋକବାର୍ତାରେ ସେ କହିଛନ୍ତି ଯେ ଜଣେ ଗାନ୍ଧୀବାଦୀ ଓ ସମାଜ ସଂସ୍କାରକ ଭାବରେ ଭବାନୀ ପଟ୍ଟନାୟକ ପରିଚିତ ଥିଲେ । ନ୍ୟୂନତମ ଆବଶ୍ୟକତାକୁ ଆଧାର କରି ସେ ଦୀର୍ଘ ଜୀବନ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ ଓ ଜୀବନର ଶେଷକାଳ ପର୍ଯ୍ୟନ୍ତ ଅନ୍ୟର ହିତ ନିମନ୍ତେ ସୃଜନାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଥିଲେ ଅଜାତଶତ୍ରୁ ଓ ନିରହଙ୍କାର ମାଟିର ମଣିଷ । ସାଂସଦ ଥିବା କାଳରେ  ଲୋକସେବକମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ମନୁଭାଇ ପଟେଲଙ୍କ ସହ ତାଙ୍କର ବେଶ୍ ଘନିଷ୍ଠତା ରହିଥିଲା । ଓଡ଼ିଶାର ଯୁବପିଢ଼ି ନିମନ୍ତେ ସେ ଥିଲେ ପ୍ରେରଣାର ଉତ୍ସ ଏବଂ ତାଙ୍କ ପରଲୋକ ସମଗ୍ର ଓଡ଼ିଶା ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରୀ ମାଲବ୍ୟ । ଏହା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି ।

 

ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଭବାନୀଚରଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବୈଜୟନ୍ତ କହିଛନ୍ତି ଯେ ମୋର ପିଲାଦିନରୁ ତାଙ୍କୁ ଦେଖି ଆସୁଛି ଏବଂ ଆମ ପରିବାର ସହ ତାଙ୍କର ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଥିଲା । ଗାନ୍ଧିବାଦରେ ବିଶ୍ବାସ ରଖୁଥିବା ଜଣେ ସ୍ବାଧୀନତା ସଂଗ୍ରାମୀ ଭାବରେ ତାଙ୍କର ପରିଚିତି ସର୍ବଦା ରହି ଆସିଥିଲା । ତାଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ବୈଜୟନ୍ତ କହିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ତାଙ୍କର ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Comments are closed.