ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଓଡ଼ିଶାର ୩ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭର୍ତ୍ତୃହରି ମହତାବଙ୍କଉପରେ ଦଳ ଭରସା କରିଛି। ଏଠାରେ ବିଜେଡି ପ୍ରାର୍ଥୀ ସଂପ୍ତୃତ ମିଶ୍ରଙ୍କୁ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମୁକାବିଲା କରିବେ। ନିକଟରେ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ।
ସେହିପରି କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଛି। ଏଠାରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସହ ସୁକାନ୍ତଙ୍କ ଲଢ଼େଇ ହେବ। ସେହିପରି ଯାଜପୁର (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ) ଆସନରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି। ଏଠାରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସହ ରବୀନ୍ଦ୍ର ବେହେରାଙ୍କ ଲଢ଼େଇ ହେବ।




