ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୭ରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୩୧ରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହେବ। ସେହିଦିନ ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ଏହି ଯାତ୍ରା ଆରମ୍ଭ ହେବ ଯେଉଁଥିରେ କଂଗ୍ରେସ ୨ ହଜାର ୨୫୦ କିମି ଅତିକ୍ରମ କରିବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦିଗବିଜୟ ସିଂହ ଉପସ୍ଥିତି ଥିଲେ।
ସୂଚନାଯୋଗ୍ୟ, ଏହି ଯାତ୍ରାରେ ଆଜି ଯାଏ କଂଗ୍ରେସ ୨୧୦ କିଲୋମିଟର ଅତିକ୍ରମ କରିଛି। ସାଢେ ପାଞ୍ଚ ମାସରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ସ୍ଥିରୀକୃତ ଏହି ଯାତ୍ରାରେ ପ୍ରତିଦିନ ୨୨ କିଲୋମିଟର ପଦଯାତ୍ରା ହେଉଛି। ଏହି ଯାତ୍ରାରେ ୩୦% ମହିଳା ପଦଯାତ୍ରା କରୁଛନ୍ତି। ପ୍ରତିଦିନ ସକାଳ ୭ରୁ ୧୦.୩୦ ଓ ସନ୍ଧ୍ୟା ୪ରୁ ୭.୩୦ ଯାଏ ପଦଯାତ୍ରା ହେଉଛି। କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ଏହି ପଦଯାତ୍ରା କରୁଛି।



