ବାଂଲାଦେଶରେ ବ୍ୟାପୁଛି ‘ଭାରତ ବର୍ଜନ’ ଅଭିଯାନ

ଢାକା: ମାଳଦ୍ବୀପ ପରେ ବାଂଲାଦେଶରେ ଜୋର୍‌ ଧରିଛି ‘ବୟକଟ୍‌ ଇଣ୍ଡିଆ’ ବା ଭାରତ ବର୍ଜନ ଅଭିଯାନ। ଅନ୍‌ ଲାଇନ୍‌ରେ ଏହା ତୀବ୍ର ହୋଇଛି। ମହମ୍ମଦ ମୁଇଜୁ ମାଳଦ୍ବୀପର ନୂଆ ରାଷ୍ଟ୍ରପତି ହେବା ପରେ ତୀବ୍ର ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରିଆସୁଥିବାବେଳେ ‘ଇଣ୍ଡିଆ ଆଉଟ୍‌’ ବା ଭାରତୀୟ ସାମଗ୍ରୀ ଓ ଭାରତୀୟଙ୍କୁ ବିଦା କରିବା ଅଭିଯାନ ଚଳାଇଛନ୍ତି।

ସେହିପରି ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶେଖ୍‌ ହସିନା ପୁନର୍ବାର ବିଜୟୀ ହେବା ପରେ ବୟକଟ୍‌ ଇଣ୍ଡିଆ ଅଭିଯାନ ତୀବ୍ର ହୋଇଛି। ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍‌ପି) ଓ ଆଉ କେତେକ ବିରୋଧୀ ଦଳ ଏହି ଅଭିଯାନ​ରେ ସାମିଲ ହୋଇଛନ୍ତି। ସେମାନେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦେବା ସହ ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ନେଇ ଅତି ବିଷାକ୍ତ ଭାରତ ବିରୋଧୀ ପ୍ରଚାର ଚାଲିଛି। ଏହାକୁ ଅଧିକ ବଳ ଦେଉଛନ୍ତି ବିଦେଶରେ; ବିଶେଷ କରି ୟୁରୋପ ଓ ଆମେରିକାରେ ଅବସ୍ଥାନ କରୁଥିବା ବାଂଲାଦେଶୀମାନେ।

ପ୍ୟାରିସ୍‌ରେ ବାସ କରୁଥିବା ପିନାକୀ ଭଟ୍ଟାଚାର୍ଯ୍ୟ ଏହାର ନେତୃତ୍ବ ନେଉଥିବା ଜଣାପଡ଼ିଛି। ଭାରତ ବିରୋଧୀମାନେ ପ୍ରଧାନମନ୍ତ୍ରୀ ହସିନା ଓ ତାଙ୍କ ଦଳ ଆୱାମୀ ଲିଗ୍‌କୁ ସର୍ବବୃହତ୍ ଭାରତୀୟ ଉତ୍ପାଦ ବୋଲି ପ୍ରଚାର କରୁଛନ୍ତି। ନିକଟରେ ବିଏନ୍‌ପି ଯୁଗ୍ମ ସମ୍ପାଦକ ରୁହୁଲ କବୀର ରିଜ୍‌ଭି ଭାରତୀୟ ସାମଗ୍ରୀ ବର୍ଜନ ସ୍ବରୂପ ନିଜ କାଶ୍ମୀରୀ ଚଦର ଫିଙ୍ଗି ଦେଇଥିଲେ। ତାଙ୍କୁ ୬୩ଟି ଛୋଟ ଦଳର ନେତା ଓ କିଛି ଦେଶ ଭକ୍ତ ନାଗରିକ ସମର୍ଥନ କରିଥିଲେ।

ଢାକା ବଜାରରେ ବିଶେଷ ଭାବେ ଭାରତରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ଖାଇବା ତେଲ, ଗରମ ମସଲା, ପିଆଜ, ଅଦା ଓ ରସୁଣ, କସ୍‌ମେଟିକ୍‌, ପୋଷାକ, ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଉଥିବାବେଳେ ଭାରତ ବର୍ଜନ ଅଭିଯାନ ପରିପ୍ରେକ୍ଷୀରେ ଏସବୁର ଚାହିଦା ହ୍ରାସ ପାଇଛି। ବ୍ୟବସାୟୀମାନେ ଆଉ ପୂର୍ବପରି ଭାରତୀୟ ସାମଗ୍ରୀ କ୍ରୟ ପାଇଁ ବରାଦ ଦେଉନାହାନ୍ତି। ଅନେକ ନୂଆ ସାମଗ୍ରୀ ମଧ୍ୟ ଗ୍ରହଣ କରିବାକୁ ରାଜି ହେଉନଥିବାରୁ ଭାରତୀୟ ସାମଗ୍ରୀର ବିକ୍ରିବଟା ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି।

ଭାରତର ଦୃଢ଼ ସମର୍ଥକ ଭାବେ ପରିଚିତ ହସିନା ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ଅଭିଯାନକୁ ନେଇ ବିଶେଷ ପ୍ରତିକ୍ରିୟା ପ୍ରକାଶ କରୁନଥିଲେ ମଧ୍ୟ ରବିବାର କଡ଼ା ଜବାବ ରଖିଛନ୍ତି। ପ୍ରାୟତଃ ଭାରତୀୟ ଶାଢ଼ି ପିନ୍ଧୁଥିବା ହସିନା କହିଛନ୍ତି, ଭାରତୀୟ ସାମଗ୍ରୀ ବର୍ଜନ ଆହ୍ବାନ ଦେଉଥିବା ଲୋକେ ପ୍ରଥମେ ସେମାନେ ବ୍ୟବହାର କରୁଥିବା ଭାରତୀୟ ଶାଢ଼ିକୁ ପୋଡ଼ି ଦିଅନ୍ତୁ। ସେମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନେତାମାନେ ନିଜ ପତ୍ନୀ ବ୍ୟବହାର କରୁଥିବା ଭାରତୀୟ ଶାଢ଼ିକୁ ପୋଡ଼ି ଦିଅନ୍ତୁ ବୋଲି ହସିନା ଆହ୍ବାନ ଦେଇଛନ୍ତି।

ଭାରତ ବିରୋଧୀଙ୍କ ପତ୍ନୀମାନଙ୍କ ପାଖରେ କେତେ ଭାରତୀୟ ଶାଢ଼ି ଅଛି ତାହା ସେମାନେ ବୁଝନ୍ତୁ ବୋଲି ହସିନା କହିଛନ୍ତି। ଯେଉଁଦିନ ନିଜ ପତ୍ନୀଙ୍କ ଭାରତୀୟ ଶାଢ଼ି ପୋଡ଼ିବେ ସେହିଦିନ ହିଁ ସେମାନେ ପ୍ରକୃତରେ ଭାରତୀୟ ସାମଗ୍ରୀ ବର୍ଜନ ଚାହୁଁଥିବା ପ୍ରମାଣିତ ହେବ ବୋଲି ହସିନା କହିଛନ୍ତି। ବିଏନ୍‌ପି ନେତାମାନେ ଭାରତରୁ ଶାଢ଼ି କିଣି ବାଂଲାଦେଶରେ ବ୍ୟବସାୟ କରୁଛନ୍ତି।

ଏମିତିକି କ୍ଷମତାରେ ଥିବାବେଳେ ବିଏନ୍‌ପି ନେତାଙ୍କ ପତ୍ନୀମାନେ ଦଳ ଦଳ ହୋଇ ଭାରତ ଭ୍ରମଣରେ ଯାଉଥିବା ଏବଂ ଶାଢ଼ି ଓ ଭଳିକି ଭଳି ମସଲା ଆଣୁଥିଲେ ବୋଲି ସେ ଦେଖିଥିବା ହସିନା ଅଭିଯୋଗ କରିଛନ୍ତି। ଭାାରତ ବିରୋଧୀଙ୍କ ପତ୍ନୀମାନେ କିପରି ଭାରତରୁ ଆମଦାନୀ ମସଲା ବିନା ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବେ ? ସେମାନେ ବିନା ମସଲାରେ ପ୍ରସ୍ତୁତ ଖାଦ୍ୟ କେମିତି ଖାଇବେ ଦେଖିବା ବୋଲି ମଧ୍ୟ ସେ କହିଛନ୍ତି।

ବିଏନ୍‌ପି ଗତ ଜାନୁଆରୀରେ ଅନୁଷ୍ଠିତ ସାଧାରଣ ନିର୍ବାଚନକୁ ବର୍ଜନ କରିଥିଲା। ହସିନା ଓ ତାଙ୍କ ଦଳ ଭାରତର ସମର୍ଥନରେ ବିଜୟୀ ହୋଇଥିବା ବିଏନ୍‌ପି ଅଭିଯୋଗ କରିଥିଲା। ହସିନା କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଆସିଥିବାରୁ ସେମାନେ ଭାରତକୁ ବାଂଲାଦେଶର ଗଣତନ୍ତ୍ର ବଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ଏହାର ଜବାବରେ ବିଭିନ୍ନ ଦୃଷ୍ଟାନ୍ତ ଦେଇ ହସିନା ଭାରତକୁ ମହାନ ବନ୍ଧୁ ବୋଲି ଦର୍ଶାଇବା ସହ ରମଜାନ୍‌ ପରିପ୍ରେକ୍ଷୀରେ ଭାରତ ୫୦ହଜାର ଟନ୍‌ ପିଆଜ ପଠାଇଥିବା କହିଥିଲେ।

Comments are closed.