www.samajalive.in
Friday, December 5, 2025
20.1 C
Bhubaneswar

କରୋନା ନେଲା ସରପଞ୍ଚଙ୍କ ଜୀବନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ

ଭଞ୍ଜନଗର: ପ୍ରଥମେ ଜ୍ବର ଏବଂ ତା’ପରେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ବେ କରୋନା ଯୋଦ୍ଧା ତଥା ଧୁମୁଛାଇ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜୀବନ ନେଇଛି କରୋନା। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବାବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।
ଧୁମୁଛାଇ ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ ଆଉ ନାହାନ୍ତି। ଗୁରୁବାର ରାତି ୧୦ଟା ୪୫ ମିନଟ ସମୟରେ ଭଞ୍ଜନଗର ମେଡିକାଲରେ ତାଙ୍କର ଦେହାନ୍ତ ହୋଇ ଯାଇଛି। ବହୁ ସଂଖ୍ୟାରେ ପ୍ରବାସୀଙ୍କୁ ନିଜ ପଞ୍ଚାୟତର କ୍ବାରେଣ୍ଟାଇନ କେନ୍ଦ୍ରରେ ରଖି ଉତ୍ତମ ପରିଚାଳନା କ୍ଷେତ୍ରରେ ସମଗ୍ର ଗଞ୍ଜାମ ଜିଲାରେ ବେଶ୍ ସୁନାମ ଅର୍ଜନ କରିଥିବା ଏହି ଯୁବ ସରପଞ୍ଚଙ୍କ ହଠାତ୍ ମୃତ ଖବର ସମଗ୍ର ଅଞ୍ଚଳବାସୀଙ୍କୁ ସ୍ୱବ୍ଧ କରିପକାଇଥିଲା ।


ପ୍ରାୟ ଏକ ସପ୍ତାହ ତଳେ ସେ ଜ୍ବରରେ ପୀଡିତ ହେବା ସତ୍ତ୍ବେ ପ୍ରବାସୀଙ୍କ ସେବା କାର୍ଯ୍ୟକୁ ଆଗେଇ ନେଇଥିଲେ। ପୂନର୍ବାର ରାତି ପ୍ରାୟ ୮ଟା ସମୟରେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଭାଇ ସରୋଜ ସହ ଅନ୍ୟ କେତକ ସହଯୋଗୀ ତାଙ୍କୁ ଭଞ୍ଜନଗର ସରକାରୀ ହାସପିଟାଲ ନେଇ ଆସିଥିଲେ। ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଧିକ ଯନ୍ତଣା ଅନୁଭବ କରିଥିଲେ। ଚିକିତ୍ସା ଆରମ୍ଭ ହେବା ମାତ୍ରେ ଶରୀର ଅକି୍ସଜେନ୍ ଗ୍ରହଣ କରି ନ ଥିଲା। କିଛି ସମୟ ପରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ। ସରପଞ୍ଚ ମନୋଜ କୁମାର ପ୍ରଧାନଙ୍କ କୋଭିଡ୍‌ ଟେଷ୍ଟ ହୋଇଥିଲା ଏବଂ ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ମନୋଜଙ୍କ ବୟସ ମୃତ୍ୟୁ ବେଳକୁୁ ତାଙ୍କୁ ୪୧ ବର୍ଷ ହୋଇଥିଲା। ସରପଞ୍ଚଙ୍କ ମୃତ୍ୟୁ ପରେ ଧୁମୁଛାଇ କ୍ଳଷ୍ଟର ସ୍ତରୀୟ କ୍ବାରେଣ୍ଟାଇନ କେନ୍ଦ୍ରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଗଲା। ବିଡିଓ ଶ୍ରୀ ମହାପାତ୍ରଙ୍କ ନିର୍ଦେଶକ୍ରମେ ଏଠାରେ ଥିବା ୪୧ ଜଣଙ୍କ ମଧ୍ୟରୁ ୨୫ ଜଣ ସଂଗରୋଧରୁ ନିଜ ଘରକୁ ଫେରିଥିବା ବେଳେ ବାକିତକ ୧୭ ଜଣଙ୍କୁ ନିକଟସ୍ଥ ଘୁ.ନୂଆଗାଁ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଘୁ.ନୂଆଗାଁ ସରପଞ୍ଚ ରାଜେନ୍ଦ୍ର କୁମାର ସାହୁ ଏହି ସବୁ ପ୍ରବାସୀଙ୍କ ଦାୟିତ୍ୱ ତୁଲାଇବାକୁ ଚିଠି କରିଥିଲେ। ମୃତ ସରପଞ୍ଚଙ୍କ ସମସ୍ତ ନିକଟତର ବ୍ୟକ୍ତିଙ୍କୁ ପ୍ରଥମେ କୋଭିଡ୍‌ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।
ଗୁରୁବାର ରାତିରୁ ମୃତ ଖବର ପ୍ରଚାରିତ ହେବା କ୍ଷଣି ଅସଂଖ୍ୟ ଶୁଭେଛୁ ମେଡିକାଲ ଅଭିମୁଖେ ସୁଅ ଛୁଟିଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ମେଡିକାଲ ଲୋକାରଣ୍ୟ ହୋଇ ପଡିଥିଲା। ଶୁକ୍ରବାର ଦିନ ପୂର୍ବାହ୍ନ ଗୋଟାଏ ପର୍ଯ୍ୟନ୍ତ ପ୍ରଶାସନ କଳ ଏଠାରେ ଉପସ୍ଥିତ ରହି କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଥିଲେ। କଫିନ୍ ଉପରେ ଜାତୀୟ ପତାକା ପକାଯାଇ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦା ପ୍ରଦାନ କରି ଏହି କରୋନା ଯୋଦ୍ଧାଙ୍କ କଫିନ୍ ଉପରେ ପତାକା ଓ ପୁଷ୍ଫ ଗୁଛ ରଖି ମୁଣ୍ଡ ନୁଆଇଁ ୨ ମିନଟ ନୀରବ ପ୍ରାର୍ଥନା କରିଥିଲେ। ଭଞ୍ଜନଗର କଭୋଡି ନିୟନ୍ତଣ ଦାୟିତ୍ୱରେ ଥିବା ଏଡିଏମ୍ ଭିସାଲ ସିଂ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ସୁଦୀପ୍ତ କୁମାର ସାହୁ, ଫାଣ୍ଡି ଅଧିକାରୀ ପ୍ରକାଶଚନ୍ଦ୍ର ସାହୁ, ମେଡିକାଲ ସୁପରିଟେଣ୍ଡ ସୀତାଂଶୁ ଶେଖର ଶତପଥି ଓ ପୂର୍ବତନ ବ୍ଳକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ୍ ସମେତ ପୁଲିସ୍ ଓ ପ୍ରଶାସନିକ କର୍ମଚାରୀମାନେ ଉପସ୍ଥିତ ରହି ଏହି କରୋନା ଯୋଦ୍ଧାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ମେଡିକାଲ ପରିସରରେ ମୃତ ସରପଞ୍ଚଙ୍କ ବହୁ ସଂଖ୍ୟାରେ ଶୁଭେଛୁ, ଆତ୍ମୀୟ ଓ ଗ୍ରାମବାସୀ ଉପସ୍ଥିତ ରହି ମନୋଜ ଭାଇ ଅମର ରହେ ଧ୍ୱନି ଦେଇଥିଲେ। ପରେ କଫିନ୍୍କୁ ମହାପ୍ରାୟଣ ଗାଡିରେ ଧୁମୁଛାଇ ଗ୍ରାମର ଶ୍ମଶାନ ଘାଟକୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ମହାପ୍ରାୟଣ ଗାଡି ପଛେ ପଛେ ପୁଲିସ୍, ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ବହୁ ସଂଖ୍ୟରେ ସମର୍ଥକଙ୍କ ଭଞ୍ଜନଗରରୁ ଧୁମୁଛାଇ ଗ୍ରାମ ପର୍ଯ୍ୟନ୍ତ ଲମ୍ବାଧାଡି ଲାଗିଥିଲା। ଜମିରେ ଧାନ ରୁଆ କାମ ଛାଡି ମୂଲିଆମାନେ ତାଙ୍କର ପ୍ରିୟ ସରପଞ୍ଚଙ୍କ ଅନ୍ତିମ ଦର୍ଶନ ପାଇଁ ଗାଁ ଦାଣ୍ଡକୁ ଦୌଡି ଆସିଥିଲେ। ମହାପ୍ରାୟଣ ଗାଡି ଗ୍ରାମରେ ପହଁଚିବା କ୍ଷଣି ପୂର୍ବରୁ ଅପେକ୍ଷା କରି ଦାଣ୍ଡରେ ଠିଆ ହୋଇ ରହିଥିବା ହଜାର ହାଜର ସଂଖ୍ୟାରେ ଗ୍ରାମ ପଞ୍ଚାୟତବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ। ପରିବାର ଓ ଆତ୍ମିୟ ଲୋକଙ୍କ ହୃଦବିଦାରକ ଓ ବୁକୁଫଟା କାନ୍ଦରେ କିଛି ପୁଳିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଆଖିରୁ ଲୁହ ଝରି ଆସିଥିଲା। ପୁଅକୁ ହରାଇଥିବା ବାପା ମାଆ, ସ୍ୱାମୀକୁ ହରାଇଥିବା ସ୍ତୀ ଓ ବାପକୁ ହରାଇଥିବା ୨ ଝିଅ ଓ ଏକ ପୁଅଙ୍କ କୋହଭରା ଦୁଃଖ କିଏ ବି ସମ୍ବାଳି ପାରି ନଥିଲେ। ସବୁଠିଥିଲା କାନ୍ଦକାଟର ଚିତ୍କାର। ଶ୍ମଶାନ ଘାଟରେ ଏଡିଏମଙ୍କ ସୖ ଅନ୍ୟ ସମସ୍ତ ପୁଳିସ୍ ଓ ପ୍ରଶାସନିକ ଅଧିକାରୀ ଅନ୍ତିମ ସତ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଠାରେ ପଞ୍ଚଭୂତରେ ଲୀନ ହୋଇ ଯାଇଥିଲା ତାଙ୍କର ପାର୍ଥବ ଶରୀର।
ସୂଚନା ଯୋଗ୍ୟ ଯେ ବେଲଗୁଣ୍ଠା ବ୍ଳକକୁ ଗଂଜାମ ଜିଲ୍ଲାର ସର୍ବାଧିକ ପ୍ରବାସୀ ଫେରୁ ଆସିଥିବା ବେଳେ ଧୁମୁଛାଇ ପଞ୍ଚାୟତର ଯୁବ ସରପଞ୍ଚ ମନୋଜ କୁମାର ପ୍ରଧାନ ପ୍ରାୟ ୯୦୦ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ଓ କିଟ୍ ପ୍ରଦାନ, ସ୍ୱଛ ପରିମଳ ଓ ଭାଇବନ୍ଧୁ କୁଟୁମ୍ବ ପରି ବ୍ୟବହାର କରି ଅତ୍ୟନ୍ତ୍ୟ ପ୍ରିୟପାତ୍ର ହୋଇଥିଲେ। ସମଗ୍ର ପଞ୍ଚାୟବାସୀଙ୍କ ସେ ମନୋଜ ଭାଇ ହୋଇଥିବା ବେଳେ ସମସ୍ତ ପ୍ରବାସୀଙ୍କ ମଧ୍ୟ ସେ ଆଦରର ମନୋଜ ଭାଇ ହୋଇ ଯିବା ବେଳେ ଅତ୍ୟନ୍ତ ଖୁସିରେ ମାଟିକୁ ମୁଣ୍ଡରେ ଲଗାଇ ବିଦାୟ ନେଉଥିଲେ। ଏକକାଳୀନ ଧୁମୁଛାଇ ପଞ୍ଚାୟତ ମୁଖ୍ୟ ଦପ୍ତର ସହ ପଞ୍ୁାୟତର ପାଟୁଳିସାହି, ଢିମିରିପଲ୍ଲି, କେ.ବ୍ରହ୍ମପୁର, କେବିରି ଓ ଉସ୍ତିଆ ପ୍ରଭୁତି ଗ୍ରାମ କେନ୍ଦ୍ରର ନିର୍ଗୁଣଭାବେ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ପ୍ରବାସୀଙ୍କୁ ଉତ୍ତମ ସେବା ଯୋଗାଇଥିବା ଯେଗୁଁ ବ୍ଳକ କାର୍ଯ୍ୟାଳୟ ତରଫରୁ ପୂନର୍ବାର ଏଠାରେ କ୍ଳଷ୍ଟର ସ୍ତରୀୟ କୁରେଣ୍ଟାଇନ କେନ୍ଦ୍ର କରାଯାଇଥିଲା। ଶୁକ୍ରବାର ସୁୁଦ୍ଧା ୪୨ ପ୍ରବାସୀ ଏଠାରେ ରହିଥିଲେ। ଗ୍ରାମର ତାଙ୍କର ବହୁ ଯୁବସାଂଗ ପ୍ରବାସୀଙ୍କୁ ଖାଦ୍ୟ ଯୋଗାଇବା ଓ ପରିଚାଳନା କ୍ଷେତ୍ରରେ ସହାୟତା କରି ଆସୁଥିବା ବେଳେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ବନ୍ୟା ଓ ବାତ୍ୟା ପରି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେ ଆଗଧାଡିର ଲଢୁଆ ଯୁବକ ଥିଲେ। ସେ ଅସହାୟ, ଗରୀବ ଓ ଦୁଃସ୍ଥ ଲୋକଙ୍କ ସେବାରେ ନିଜକୁ ଉର୍ତ୍ସୀକୃତ କରିଥିଲେ।
ସରପଞ୍ଚ ମନୋଜ କୁମାର ପ୍ରଧାନଙ୍କ ବିୟୋଗରେ ସମଗ୍ର ପଞ୍ଚାୟତର ଜନସାଧାରଣ ଓ ବ୍ଳକର ସମସ୍ତ ଜନପ୍ରତିନିଧିଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି। ପୂର୍ବତନ ବ୍ଳକ ଅଧକ୍ଷ ପ୍ରଶାନ୍ତ ନାୟକ, ପ୍ରଫେସର କୃତ୍ତିବାସ ବିଶ୍ୱାଳ ଓ ବରିଷ୍ଠ ଶିକ୍ଷାବିତ୍ ବିପ୍ରଚରଣ ରାଉତ ଓ ରଂଜନ କୁମାର ରାଉତ ପ୍ରମୁଖ ଏକ ଶୋକ ବାର୍ତ୍ତାରେ ଧୁମୁଛାଇ ପଞ୍ଚାୟତର ଏହି ଯୁବ ସରପଞ୍ଚଙ୍କ ବିୟୋଗରେ ଅପୂରଣୀୟ ଘଟି ଘଟିଲା ବୋଲି ବର୍ଣ୍ଣନା କରି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories