www.samajalive.in
Sunday, December 14, 2025
23.1 C
Bhubaneswar

ଭକ୍ତ ଶିରୋମଣି ଦାସିଆଙ୍କ ଥିଲା ସରଳ ଭକ୍ତି ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ ବିଶ୍ୱାସ

ପିପିଲି:ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଅବସରରେ ତାଙ୍କର ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁ ଶୁକ୍ରବାର ଉତ୍ସବ ମୁଖରିତ ହୋଇଉଠିଥିଲା। ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ଠାରେ ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀରେ ସିଦ୍ଧ ସାଧକ ଭକ୍ତ ଦାସିଆଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଦାସିଆଙ୍କ ସମାଧି ପୀଠରେ ପୂଷ୍ପମାଲ୍ୟ ଅର୍ପଣ କରାଯିବା ସହ ବୈଦିକ ରୀତିରେ ପୂଜାର୍ଚ୍ଚନା, ଗୀତା ଓ ଭାଗବତ ପାଠ କରାଯାଇଥିଲା। ପୀଠ ପରିସରରେ ଥିବା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ଚତୁର୍ଦ୍ଧାମୁର୍ତ୍ତୀର୍ଙ୍କ ପୂଜାର୍ଚ୍ଚନା କରାଯିବା ସହ ଅଖଣ୍ଡ ନାମଯଜ୍ଞ କରାଯାଇଥିଲା। ଏହି ଅବସରରେ ସେଠାରେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ, ପୀଠସ୍ଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ମହାକାର୍ତ୍ତୀକ ପହିଲି ଭୋଗ ଏବଂ ମଧ୍ୟାହ୍ନ ଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର (ନର୍ଥ) ପକ୍ଷରୁ ସେଠାରେ ମାଗଣା ହୋମିଓପ୍ୟାଥିକ ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା। ଦିବ୍ୟ ଦିଗନ୍ତ ସାମାଜିକ ଅନୁଷ୍ଠାନ ଓ ଓଡିଶା ସ୍ୱାସ୍ଥ୍ୟ ସେବା ସଂଘ ମିଳିତ ସହଯୋଗରେ ନିଶୁଳ୍କ ମର୍ମ ଚିକିତ୍ସା (ଆକ୍ୟୁପ୍ରେସର) ସେବା ଶିବିର ଆୟୋଜିତ ହୋଇଥିଲା। ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଇଂ. ଦେବ ନାରାୟଣ ପାଲ, ମୁଖ୍ୟବକ୍ତା ଭାବେ ଡ. ପ୍ରତିଭା ମହାରଥୀ, ସମ୍ମାନିତ ଅତିଥି ଭାବେ ପାରାଦ୍ୱିପ ବନ୍ଦରର ପ୍ରାକ୍ତନ ସଚିବ ପ୍ରଭାତ କୁମାର ନନ୍ଦ, ସୋଆ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡ.ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଭୁବନେଶ୍ୱର ଏସ୍‍ବିଆଇ ପ୍ରାକ୍ତନ ଜେନେରାଲ ମ୍ୟାନେଜର ବିବେକାନନ୍ଦ ମହାପାତ୍ର, ଇ. ଭକ୍ତିପ୍ରସାଦ ମହାପାତ୍ର, ସମାଜସେବୀ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ସରଳ ଭକ୍ତି ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ପ୍ରଗାଢ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ। ସ୍ମୃତି କମିଟିର ସଂପାଦକ ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଅର୍ଜ୍ଜୁନ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା “ଭାବକୁ ନିକଟ’ର ସପ୍ତମ ବର୍ଷର ଚତୁର୍ଥ ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍ମୃତି କମିଟିର ବରିଷ୍ଠ ସଭ୍ୟ ଇଂ. ରୋହିତ କୁମାର ସେଠୀ, ସରୋଜ କୁମାର ସାହୁ, ଚିତ୍ତରଞ୍ଜନ ସେନାପତୀ, ମନୋରଞ୍ଜନ ମହାନ୍ତି, ସ୍ୱୟଂପ୍ରକାଶ ପରିଡା, କୃଷ୍ଣଚନ୍ଦ୍ର ଲେଙ୍କା, ପ୍ରଫୁଲ୍ଲ ବିଶ୍ୱାଳ, ଅର୍ଜ୍ଜୁନ ମାଝୀ, ପବିତ୍ର ମଲ୍ଲିକ, ଲକ୍ଷ୍ମୀଧର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories