www.samajalive.in
Friday, December 12, 2025
16.1 C
Bhubaneswar

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ସୋମବାର ଦିନ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଛି।
ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା। ପରେ ନିକଟବର୍ତ୍ତୀ ଅଞ୍ଚଳର ବହୁ ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂକୀର୍ତ୍ତନ, ଘଣ୍ଟ,ଘଣ୍ଟା,କାହାଳି ଓ ଚାମର ସେବାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି ଶୋଭାଯାତ୍ରାରେ ନିଆଯାଇ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ ଠାକୁରଙ୍କର ସମସ୍ତ ରିତୀନିତୀ ସମାପନ ପରେ ପୀଠସ୍ଥ ପବିତ୍ର ଗୋଠ ଗାଡିଆ ଓ ମଠର କୂଅରୁ ୧୦୮ ପିତଳ ଗଡୁରେ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଅପରାହ୍ନରେ ଠାକୁର ମାନଙ୍କୁ ଗଜାନନ ବେଶ କରାଯାଇଥିବା ବେଳେ ରାତିରେ ଠାକୁର ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ଲକ୍ଷ୍ମୀଧର ପାଢୀ, ପଣ୍ଡିତ ମାନସରାମ ମିଶ୍ର, ନାରାୟଣ ରଥ, ପ୍ରହଲ୍ଲାଦ ମିଶ୍ର ଓ ସତ୍ୟଜିତ୍‍ ପାଢୀ, ରାମଚନ୍ଦ୍ର ପାଢୀଙ୍କ ଦ୍ୱାରା ସମସ୍ତ ନୀତି କରାଯାଇଥିଲା।ଏହି ଅବସରରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ, ପିପିଲି ଶାଖା ଓ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା।ଏହି ଅବସରରେ ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ନର୍ଥ ପକ୍ଷରୁ ମାଗଣା ହୋମିଓପାଥିକ ଚିକିତ୍ସା ଶିବିର କରାଯାଇ ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା। ଏଥିରେ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ,ଡାକ୍ତର ଅବନୀକାନ୍ତ ପାଟ୍ଟଯୋଶୀ, ଡାକ୍ତର ବନିତ କୁମାର ତ୍ରିପାଠୀ, ଡାକ୍ତର ରବିନ କର, ଡାକ୍ତର ସୁନାରାମ ସିଂ ଓ ଡାକ୍ତର ମାନସ ମିଶ୍ର ପ୍ରମୁଖ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା।

ପ୍ରତ୍ୟୁଷରୁ ରାତି ୧୦ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ଼ଃ ବିନାୟକ ରଥ, ଭାରତୀୟ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ସମାଜସେବୀ ଜୟପ୍ରକାଶ ମିଶ୍ର, ଆଇଆଇଟି ଖଡଗପୁରର ପ୍ରାକ୍ତନ ପ୍ରଫେସର ରମେଶ ଚନ୍ଦ୍ର କର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସେବାକାର୍ଯ୍ୟ କରିଥିଲେ। ସଂନ୍ଧ୍ୟାରେ ଅନୁଷ୍ଠିତ ସ୍ମୃତିସଭାରେ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ର ଚତୁର୍ଥ ବର୍ଷର ଦ୍ୱିତୀୟ ସଂଖାକୁ ଅତିଥିମାନେ ଉନ୍ମୋଚନ କରିବା ସହ ଭକ୍ତ ଦାସିଆଙ୍କ ସଂପର୍କରେ ଆଲୋକପାତ କରିଥିଲେ। ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଉପସଭାପତି ଡ଼ଃ ନରେନ୍ଦ୍ର ନାଥ ସାହୁ, ନ୍ୟାସ ମଣ୍ଡଳୀ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ହୃଷିକେଶ ଜେନା, ସରୋଜ କୁମାର ସାହୁଙ୍କ ସମେତ ବାଲିଗାଁ, ଆଳିସ, ପ୍ରହରାଜପୁର, ଆବଲପୁର, ପାଞ୍ଚବାଟିଆ, ଶ୍ରୀପତିପୁର ଆଦି ଗ୍ରାମର ଅଧିବାସୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories