-ବାହାରିବନି କାଫେଲା ଶୋଭାଯାତ୍ରା, ହେବନି ଧର୍ମସଭା
-ପ୍ରଶାସନର ନିଷ୍ପତ୍ତି ଦୁଃଖଦାୟକ: ମୁସଲିମ ଜମାତ
ଭଦ୍ରକ : ଦେଢବର୍ଷ ତଳର ହିଂସାର ଭୂତ ଗୋଡାଉଛି ଭଦ୍ରକ ଜିଲା ପ୍ରଶାସନକୁ। ଆଇନଶୃଙ୍ଖଳାର ଦାୟିତ୍ୱ ନେବାର ଥିବା ପ୍ରଶାସନ ହାତ ଝାଡିଦେଇ ବସୁଛି। ଫଳତଃ ସହରର ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ବି ଲାଗୁୁଛି ଅଙ୍କୁଶ। ଭାଇଚାରର ସହରରେ ଉଭୟ ସଂପ୍ରଦାୟର ନେତୃସ୍ଥାନୀୟ ଲୋକେ ପ୍ରଶାସନକୁ ଯେତେ ବୁଝାଇଲେ, ଯେତେ ଗୁହାରି କଲେ ବି ପ୍ରଶାସନ କିଛି ଶୁଣିବାକୁ ନାରାଜ। ଶେଷରେ ମୁସଲିମ ଅଧ୍ୟୁଷିତ ଭଦ୍ରକ ସହରରେ ଆସନ୍ତାକାଲି ପବିତ୍ର ମହରମ ପର୍ବ ପାଳନ ଅବସରରେ ହେବାକୁ ଥିବା ଧାର୍ମିକ ଶୋଭାଯାତ୍ରା, ଧର୍ମସଭା ବାତିଲ ହୋଇଛି। ‘ଶୋଭାଯାତ୍ରା ଓ ଧର୍ମସଭା ଲାଗି ଭଦ୍ରକ ଜିଲା ପ୍ରଶାସନ ଅନୁମତି ନଦେବାରୁ ଆମେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲୁ’ ବୋଲି ଆଜି ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ଭଦ୍ରକ ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି। ‘ପ୍ରଶାସନର ଏହି ନିଷ୍ପତି ଆମକୁ ଗଭୀର ଦୁଃଖ ଦେଇଛି, ତଥାପି ପ୍ରଶାସନର ନିଷ୍ପତିକୁ ଆମେ ମାନିଲୁ, କୌଣସି ପ୍ରକାରେ ଆଇନକୁ ହାତକୁ ନେବା ଭଳି କାର୍ଯ୍ୟ ହେବ ନାହିଁ’ ବୋଲି ଜମାତର ସଭାପତି ‘ସମାଜ’କୁ କହିଛନ୍ତି। ମୁସଲିମ ଜମାତ ପକ୍ଷରୁ ଜାରି ପ୍ରେସ ବିବୃତିରେ ଦର୍ଶାଯାଇଛି ଯେ: ‘ଭଦ୍ରକ ସହରରେ ଆଦିକାଳରୁ ତାଜିଆ/କାଫେଲା
ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଆସୁଛି। ଆଜି ପର୍ଯ୍ୟନ୍ତ ମୁସଲିମ ସାମ୍ପ୍ରଦାୟର କୈାଣସି ଶୋଭାଯାତ୍ରାରେ ଗଣ୍ଡଗୋଳ ହେବାର ନଜିର ନାହିଁ। ଭଦ୍ରକରେ ଭାଇଚାରାରେ ବଜାୟ ରହୁ ବୋଲି ଆମ୍ଭେ ମାନେ ସବୁବେଳେ ଚେଷ୍ଟା କରୁ, ଏହାକୁ ଜିଲ୍ଲା ପ୍ରଶାସନ କେବେ ହେଲେ ଅସ୍ୱୀକାର କରିପାରିବ ନାହିଁ’ ବୋଲି ଜମାତ ପକ୍ଷରୁ କୁହାଯାଇଛି। ତେବେ ଚଳିତ ବର୍ଷ ମୋହରମ ତାଜିଆ /କାଫେଲାର ଶୋଭାଯାତ୍ରାର ଅନୁମତି ନିମନ୍ତେ ଅଗଷ୍ଟ ୨୮ ତାରିଖରେ ପ୍ରଶାସନ ନିକଟରେ ଆବେଦନ କରାଯାଇଥିଲା। ସେପ୍ଟେମ୍ବର ୫ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଭୟ ସମ୍ପ୍ରଦାୟର ସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି କମିଟିର ବୈଠକ ବସିଥିଲା। ବୈଠକରେ ଶୋଭାଯାତ୍ରା ସମୟରେ ଯେପରି ବିଦ୍ୟୁତ କାଟ ନହୁଏ ସେଥିପାଇଁ ନେସ୍କା କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ରାସ୍ତାର ଖାଲଖମାକୁ ୨୦ ତାରିଖ ପୁର୍ବରୁ ମରାମତି ସାରିବା ଲାଗି ପୂର୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ଡିଜେ ବ୍ୟବହାର ନକରିବା ଲାଗି ମୁସଲିମ ଜମାତକୁ କୁହାଯାଇଥିଲା। ସେପ୍ଟେମ୍ବର ୬ ତାରିଖ ସଂଧ୍ୟାରେ ସହରର ମଦିନା ମଇଦାନ ଠାରେ ମୁସଳିମ ଜମାତ ପକ୍ଷରୁ ସାହି ସର୍ଦ୍ଦାରମାନଙ୍କ ଏକ ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ ଶାନ୍ତି କମିଟିରେ ହୋଇଥିବା ନିଷ୍ପତିକୁ ଜଣାଇ ଦିଆଯାଇଥିଲା। କିନ୍ତୁ ପରବର୍ତୀ ଅବସ୍ଥାରେ ପ୍ରଶାସନର ହାବଭାବ ବଦଳିଥିଲା। ଶୋଭାଯାତ୍ରା ପାଇଁ ପ୍ରଶାସନ ଅନୁମତି ନଦେବା ଲକ୍ଷ୍ୟରେ ଥିବା ଜାଣିବାକୁ ପାଇ ମୁସଲିମ ଜମାତ ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବିଧାୟକ ଯୁଗଳ କିଶୋର ପଟନାୟକଙ୍କୁ ମଧ୍ୟ ଅବଗତ କରାଯାଇ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଥିଲା। ସେପ୍ଟେମ୍ବର ୧୨ ତାରିଖରେ ଉଭୟ ସଂପ୍ରଦାୟର ବ୍ୟକ୍ତିବିଶେଷ ପୁଣିଥରେ ପ୍ରଶାସନ ନିକଟରେ ଅନୁମତି ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଫାକ୍ସ ଯୋଗେ ଅବଗତ କରାଯାଇ ସାକ୍ଷାତ ପାଇଁ ସମୟ ମଗାଯାଇଥିଲା, କିନ୍ତୁ ସାକ୍ଷାତ ସମୟ ସମ୍ପର୍କରେ ଉତର ମିଳିଲା ନାହିଁ ବୋଲି ଜମାତର ସଭାପତି ଅବଦୁଲ ବାରି ଦର୍ଶାଇଛନ୍ତି। ଶେଷରେ ପ୍ରଶାସନ ୧୮ ତାରିଖ ସଂଧ୍ୟାରେ ଶୋଭାଯାତ୍ରା ଓ ଧର୍ମସଭା ଉପରେ ଅଙ୍କୁଶ ଲଗାଇଲା। ଏହା ଭଦ୍ରକ ମୁସଲିମ ସଂପ୍ରଦାୟକୁ ଧକ୍କା ଦେଇଛି ବୋଲି ଉକ୍ତ ପ୍ରେସ ବବିୃତିରେ ଦର୍ଶାଯାଇଛି।


