ଅନୁମତି ନିୟମରେ ପରିବର୍ତ୍ତନ ; ଚିନ୍ତାରେ ଘରବାହୁଡ଼ା ଶ୍ରମିକ
– ଟ୍ରେନରେ ନେବାକୁ ପୁଣି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲା ସଂଘ
– ୨୧ଟି ବସ୍ରେ ଘରକୁ ଫେରିବା ପାଇଁ ଜିଲା ପ୍ରଶାସନକୁ ଅନୁମତି ମାଗିଲେ
ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଘୋଷଣା ସତ୍ତ୍ବେ ବ୍ୟତିବ୍ୟସ୍ତ ହୋଇ ଗତକାଲି ୫ଟି ବସରେ ଗଞ୍ଜାମ ଅଭିମୁଖେ ସୁରତରୁ ଓଡ଼ିଆ ଶ୍ରମିକମାନେ ବାହାରି ଯାଇଥିଲେ ହେଁ ସେଠାକାର ସରକାରଙ୍କ ଅନୁମତି ନିୟମରେ ଆଜି କଟକଣା ଯୋଗୁ ଆଉ ୨୧ଟି ବସରେ ଆସିବାକୁ ଥିବା ଶ୍ରମିକଙ୍କ ଘର ବାହୁଡା ଅନିଶ୍ଚିତ ହୋଇପଡିଛି। ନିଜ ଖର୍ଚ୍ଚରେ ଭିଟାମାଟି ଆସିଯିବାକୁ ସୁରତ ଓଡିଆମାନେ ବ୍ୟାକୁଳିତ ହୋଇ ଗତକାଲି ୫ଟି ବସରେ ପ୍ରାୟ ୩ଶହ ଶ୍ରମିକ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ଏଥିପାଇଁ ସେଠାକାର ଜିଲାପାଳଙ୍କଠାରୁ ଅନୁମତିପତ୍ର ହାସଲ କରିଥିଲେ। ଏହି ଧାରାରେ ଆଉ ୨୧ଟି ବସରେ ଗଞ୍ଜାମର ଶ୍ରମିକମାନେ ସେଠାରୁ ଫେରିବାକୁ ଲକ୍ଷ୍ୟ କରି ସେଠାକାର ଜିଲା ପ୍ରଶାସନ ନିକଟରେ ଅନୁମତି ପାଇବାକୁ ଆବେଦନ କରିଥିଲେ। କିନ୍ତୁ ଲକଡାଉନ ନିୟମର ଉଲ୍ଲଂଘନ କରି ଜିଲା ପ୍ରଶାସନ କିପରି ସାମାଜିକ ଦୂରତା ରକ୍ଷା କରାନଯାଇ ୫ଟି ବସରେ ଏତେ ସଂଖ୍ୟକ ଓଡ଼ିଆଙ୍କୁ ଯିବାକୁ ଅନୁମତି ଦେଲେ ତାହା ବିରୋଧରେ ସେଠାକାର କେତେକ ସଂଗଠନ ସ୍ବର ଉତ୍ତୋଳନ କରିବାରୁ
ଆଜି ସୁରତ ଜିଲା ପ୍ରଶାସନ ଅନୁମତି ପ୍ରଦାନ ନିୟମରେ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ ବସରେ ନିଜ ଖର୍ଚ୍ଚରେ ଯିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ସେଠାକାର ଆରଟିଓଙ୍କ ପାଖରେ ଆବେଦନ କରିବେ। ଆରଟିଓଙ୍କ ରିପୋର୍ଟ ଆଧାରରେ ଜିଲା ପ୍ରଶାସନ ଅନୁମତି ପ୍ରଦାନ କରିବ ବୋଲି ଆଜି ଘୋଷଣା କରିବା ପରେ ଆଉ ୨୧ଟି ବସରେ ଭିଟାମାଟି ଫେରିବାକୁ ଆତୁରତାର ସହ ଅପେକ୍ଷା କରିଥିବା ଶ୍ରମିକଙ୍କ ଫେରିବା ଅନିଶ୍ଚିତ ହୋଇପଡିଛି। ଦିନତମାମ ଆଜି ଶ୍ରମିକମାନେ ଅନୁମତିପତ୍ର ପାଇବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭିଡ ଜମାଇଥିଲେ। କିନ୍ତୁ ନୂତନ ନିୟମ ଘୋଷଣା ପରେ ସେମାନେ ଏକପ୍ରକାର ନିରାଶ ହୋଇ ପଡିଛନ୍ତି। ସରକଣାର ୯, ସାଇନରୁ ୨, ପିପଦରାରୁ ୪ ଏପରି ଅନ୍ୟାନ୍ୟ ଅଞ୍ଚଳରୁ ୨୧ଟି ବସରେ ଯାତ୍ରା କରିବାକୁ ଅନୁମତି ପାଇଁ ଆବେଦନ କରାଯାଇଥିଲା। ଏହାସହ ଆହୁରି ଅନେକ ବସ ବୁକ୍ ହୋଇଥିଲେ ମଧ୍ୟ ଆଜିଠାରୁ ଅନୁମତି କଟକଣା କାରଣରୁ ଏବେ ସେମାନଙ୍କ ସଅଳ ଘରବାହୁଡା ଅନିଶ୍ଚିତ ହୋଇପଡିଛି।
ଅନ୍ୟପକ୍ଷରେ ସୁରତରେ ଦୁର୍ଦିନରେ ରହିଥିବା ଓଡ଼ିଆଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ସାମାଜିକ ଦୂରତା ମଧ୍ୟରେ ଏଠାରୁ ନେବାକୁ ଶ୍ରମିକ ସେବା ସଂଘର ସଭାପତି ପୀତାମ୍ବର ପ୍ରଧାନ, ବେଲମା ସମାଜ ଗୁଜୁରାଟ ସଭାପତି ଅଜୟ ନାୟକ, ଉପସଭାପତି ସନାତନ ନାୟକ, ପାଟଖଣ୍ଡା ଗ୍ରୁପ ପକ୍ଷରୁ ଅମିତ ପୋଲାଇ, ଚିଣ୍ଟୁ ପାତ୍ର, ମନୋଜ ପାଢୀ, ପ୍ରକାଶ ପ୍ରଧାନ, ପୃଥିବୀ ପ୍ରଧାନ, ଶିବାଶିଷ ସ୍ବାଇଁ, ରବି ଚୌଧୁରୀ, ରାଜନାରାୟଣ ପ୍ରଧାନ ପ୍ରମୁଖ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ଲକଡାଉନ ଅବଧି ବୃଦ୍ଧି ଆଶଙ୍କା ସାଙ୍ଗକୁ ଅଖିଆପିଆ ରହିଥିବା ଶ୍ରମିକମାନେ ସରକାରୀ ଘୋଷଣାକୁ ନମାନି ନିଜ ଖର୍ଚ୍ଚରେ ସାମାଜିକ ଦୂରତା ରକ୍ଷା ନକରି ଓଡ଼ିଶା ଫେରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାଦ୍ବାରା ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିବ ବୋଲି ସେମାନେ ସୂଚାଇଛନ୍ତି। ଏହାସହ ଲକଡାଉନ ନିୟମକୁ ନମାନି ସୁରତ ଜିଲା ପ୍ରଶାସନ କିପରି ୫ଟି ବସକୁ ଓଡ଼ିଶା ଯିବାକୁ ଅନୁମତି ଦେଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏବେ ରହିଯାଇଥିବା ଅନ୍ୟ ଗରିବ ଶ୍ରମିକମାନେ ସରକାରୀ ବ୍ୟବସ୍ଥାରେ ଯିବାକୁ ଅପେକ୍ଷା କରିଛନ୍ତି। ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ସେମାନେ ନିବେଦନ କରିଛନ୍ତି।
Comments are closed.