ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲ ଭାବେ ଫଳିଥାଏ। ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ବ ମଧ୍ୟ ରହିଛି।
ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ସହଜରେ ହଜମ ହୋଇଥାଏ। ବାଇଗଣ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବାରମ୍ବାର ଗରମ କରି ଖାଇଲେ ମଧ୍ୟ ତାହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଉନଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ।
ଏହି ପରିବାରେ ମହଜୁଦ୍ ଥିବା ପୋଷକତତ୍ତ୍ବ କର୍କଟ ହେବାର ଆଶଙ୍କା କମ୍ କରେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଉଥିବା ଲୋକଙ୍କଠାରେ କର୍କଟ ହେବାର ଆଶଙ୍କା ୫୦%ରୁ କମ୍ ଥାଏ।
ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏହି ପରିବା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ବାଇଗଣ ବ୍ୟଞ୍ଜନ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବାର ପ୍ରକାଶ। ହୃଦରୋଗର ଆଶଙ୍କା ମଧ୍ୟ ଏହି ପରିବା ଖାଇଲେ କମ୍ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ।
ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ରୋଗୀ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଇବା ଖୁବ୍ ଉପକାରୀ। ପ୍ରତ୍ୟହ ସେମାନେ ଏହା ଖାଇଲେ ହାଡ଼ ଓ ଗଣ୍ଠିକୁ ଶକ୍ତି ମିଳିଥାଏ।



