ବେଗୁନିଆ : ସେ ଜନ୍ମରୁ ଅନ୍ଧ । ଅନ୍ଧତ୍ୱର ସାହାରା ପାଇଁ ଗୋଟିଏ ହାତରେ ବାଉଁଶର ଠେଙ୍ଗା ଅନ୍ୟ ଏକ ହାତରେ ଜରି ବ୍ୟାଗ । ନା ଅଛି ରାସ୍ତା ନା ଅଛି ଖାଲ ତାହାବି ଜଣାନାହିଁ । କାରଣ ସେ ଜଣେ ଅନ୍ଧ କିନ୍ତୁ ସ୍ୱାଭିମାନୀ । ଖଞ୍ଜଣୀ ବଜାଇ ସୁନ୍ଦର ଗୀତ ଗାଇ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରନ୍ତି । ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ତାଳତୁମ୍ବ ଗ୍ରାମର ମେରୁ ନାଏକ । ମେରୁଙ୍କର ଏକ ମାତ୍ର ସାହା ଭରସା ତାଙ୍କ ପତ୍ନୀ ଶ୍ରୀମତୀ ନାଏକ । ମେରୁଙ୍କର କୌଣସି ସନ୍ତାନ ଓ ସନ୍ତତି ନାହାନ୍ତି ଆଉ ବାପା ମାଆ ଆରପାରିରେ । ଏକାକୀ ସଂଘର୍ଷ କରୁଛନ୍ତି ମେରୁ । ଗାଁ ଗାଁ ବୁଲି ଯାହା ଭିକ୍ଷାମାଗି ଆଣନ୍ତି ସେଥିରେ ପରିବାର ପ୍ରତିପୋଷଣ କରିବାକୁ ଚେଷ୍ଟା କରନ୍ତି । ମେରୁ ଯେଉଁଦିନ ଭିକ୍ଷାବୃତ୍ତି କରିବା ପାଇଁ ଯାଇ ନ ପାରନ୍ତି ସେ ଦିନ ତାଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇଯାଏ । ଅନ୍ୟପଟେ ମେରୁ ନାଏକଙ୍କ ଦାରିଦ୍ର୍ୟ ଜୀବନର କଥା ନକହିବା ଭଲ । ଝାଟି ମାଟି ଘରର କାନ୍ଥ ଉପରେ ପଡ଼ିଛି ଛିଣ୍ଡା ଜରିପାଲ ଆଉ ଘରଭିତର ଦେଖିଲେ ଆଶ୍ଚର୍ୟ୍ୟ ହୋଇଯିବେ, ଘରର ଓରା ଶେଣୀ ମଧ୍ୟ ଭାଙ୍ଗି ଓହଳିଛି । ତଥାପି ଦାରିଦ୍ର୍ୟତା ଭିତରେ ରହିଥିବା ମେରୁ କେବେ ଭାଙ୍ଗି ପଡ଼ିନାହାନ୍ତି । ଆଉ ନିଜର ଆଖି ନଥାଇ ମଧ୍ୟ ନିଜର ପରିବାର ବୋଝ ନିଜେ ବୋହି ପାରୁଛନ୍ତି । ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ସେସବୁ ଯୋଜନା ଯେମତି ମେରୁଙ୍କ ଦୃଷ୍ଟି ଆଗରେ ଫିକା ପଡ଼ିଯାଇଛି । ତେବେ ପ୍ରଶାସନ ପକ୍ଷରୁ ମେରୁ ନାଏକଙ୍କୁ କେବେ ସରକାରୀ ସାହାଯ୍ୟ ମିଳୁଛି ଆଉ କେବେ ମେରୁଙ୍କ ମୁହଁରେ ଟିକିଏ ହସ ଫୁଟିବ ତାହା ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ ଚାହିଁ ବସିଛନ୍ତି ।ଅନ୍ୟ ପଟେ ମେରୁ ସୁନ୍ଦର ଭଜନ ଗାଇ ବୁଲୁଥିବା ସମୟରେ ତାଙ୍କ ଉପରେ ସଙ୍ଗୀତ ପ୍ରଯୋଜକ ଭାସ୍କର ଚନ୍ଦ୍ର ରାଉତରାୟଙ୍କ ଦୃଷ୍ଟି ପଡିଥିଲା । ସେ ତାଙ୍କୁ ନେଇ ତାଙ୍କର ଥିବା ଆଦିତ୍ୟ ଟେଲିଭିଜନ ମ୍ୟୁଜିକ କମ୍ପାନୀରେ ଏବେ କିଛିଦିନ ତଳେ ଜଗନ୍ନାଥଙ୍କର ଭଜନ କେମିତି ସହିବ ଏ ଭକ୍ତଙ୍କ ଦୁଃଖ ଭଜନ ଗାଇବାର ସୁଯୋଗ ଦେବା ସହିତ କିଛି ଆର୍ଥିକ ସହାୟତା ଦେଇଛନ୍ତି । ଏହି ଭଜନଟିର ଲେଖକ ହେଉଛନ୍ତି ଜୟଶ୍ରୀ ରାଉତରାୟ । ଏବେ ମେରୁ ଜଣେ ଗାୟକ ହିସାବରେ ପରିଚୟ ପାଇଛନ୍ତି ।
Popular Categories



