ବଡ଼ବେରେଣା ପ୍ରାଣୀ ସହାୟକ କେନ୍ଦ୍ରରେ ୬ ବର୍ଷ ହେଲା ଝୁଲୁଛି ତାଲା
ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରେଣା ଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ୬ ବର୍ଷ ହେଲା ତାଲା ଝୁଲୁଥିବାର ଦେଖିବାକୁ ମିଳିଛି। ଫଳରେ ପଶୁ ପକ୍ଷୀ ଚିକିତ୍ସା କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ଚିକିତ୍ସା ଅଭାବରୁ ବହୁ ପଶୁ ପକ୍ଷୀ ମୃତ୍ୟୁ ମୁଖରେ ପଡୁଥିବାର ନଜିର ମଧ୍ୟ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକମାନେ ଏ ସଂକ୍ରାନ୍ତରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
୨୦୧୪ ମସିହାରେ ବଡ଼ବେରେଣା, ସିମୋର ପଞ୍ଚାୟତ ଏବଂ କଣ୍ଟାବାଡ଼ର ଦୁଇଟି ଗ୍ରାମ ସମେତ ପ୍ରାୟ୧୦ଟି ଗ୍ରାମରେ ଥିବା ପଶୁପକ୍ଷୀମାନଙ୍କର ତ୍ୱରିତ ଚିକିତ୍ସା ନିମନ୍ତେ ଏହି ପ୍ରାଣୀ ସହାୟକ କେନ୍ଦ୍ରଟି ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ଜଣେ ଏଲଆଇ ଏବଂ ଜଣେ ଗୋମିତ୍ରଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପଶୁ ପକ୍ଷୀମାନଙ୍କର ଚିକିତ୍ସା କରାଯାଉଥିଲା। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠାରେ ତିନୋଟି ରୁମ ବିଶିଷ୍ଟ ଏକ କୋଠା ପୁରାତନ ସଂସ୍କୃତ ହାଇସ୍କୁଲ ନିକଟରେ ନିର୍ମାଣ କରାଯାଇଥିଲା। ୨୦୧୬ ମସିହା ପର୍ୟ୍ୟନ୍ତ ଏଠାରେ ନିରଵଛିନ୍ନଭାବରେ ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯାଉଥିଲା।
୨୦୧୬ ମସିହା ନଭେମ୍ବର ମାସରୁ ଏଠାରେ କାର୍ୟ୍ୟରତ କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ସେହିଦିନ ଠାରୁ ଉକ୍ତ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ଝୁଲୁଛି। ଫଳରେ କେତେକ ସରକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ଅକାମୀ ହୋଇ ସେହି ଘରେ ପଡି ରହି ନଷ୍ଟ ହେଉଛି ।ଦୀର୍ଘ ଦିନ ହେବ ଉକ୍ତ ଘରେ ତାଲା ପଡି ରହିବା ଯୋଗୁଁ ଘର ଭିତରେ ଏବଂ ବାରଣ୍ଡାରେ ଉଇ ହୁଙ୍କା ହୋଇଗଲାଣି। କବାଟ ଝରକା ମଧ୍ୟ ନଷ୍ଟ ହୋଇଗଲାଣି। କୋଠା ପରିସର ଏବଂ କାନ୍ଥରେ ଗଛ ଲତା ଉଠି ଘରଟି ନଷ୍ଟ ହେବାକୁ ବସିଲାଣି। ଏପରିକି ଘରଟି ଏବେ ସରୀସୃପ ମାନଙ୍କର ଆଶ୍ରୟସ୍ଥଳ ପାଲଟିଛି । ତେଣୁ ଉକ୍ତ ପ୍ରାଣୀ ସହାୟକ କେନ୍ଦ୍ରଟି ଯଦି ତୁରନ୍ତ ଖୋଲା ନଯାଏ ତାହେଲେ ଘରଟି ନଷ୍ଟ ହେବା ସହିତ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ମାଟିରେ ମିଶିଯିବ। ଲୋକମାନେ ଏବେ ପଶୁପକ୍ଷୀଙ୍କର ଚିକିତ୍ସା ଉପଯୁକ୍ତ ସମୟରେ କରି ପାରୁ ନ ଥିବାବେଳେ ଟୀକାକରଣ ମଧ୍ୟ ଠିକ ସମୟରେ ହୋଇପାରୁନାହିଁ। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ପ୍ରାଣୀ ସହାୟକ କେନ୍ଦ୍ରଟି ଖୋଲିବା ଦିଗରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।
Comments are closed.