www.samajalive.in
Sunday, December 14, 2025
23.1 C
Bhubaneswar

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ସହ ସମ୍ପର୍କ ତୁଟାଅ : ବିସିସିଆଇ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନକୁ ଏକଘରକିଆ କରିବାକୁ ଭାରତ ସବୁସ୍ତରରେ ଉଦ୍ୟମ ଆରମ୍ଭ କରିଛି। ଏପରିକି ଆସନ୍ତା ଜୁନରେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଯେପରି ସମାଲୋଚିତ ଓ ନିନ୍ଦିତ ହେବ, ସେଥିପାଇଁ ବିସିସିଆଇ ଅଣ୍ଟା ଭିଡିଛି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ଛିନ୍ନ କରିବାକୁ ଆଇସିସି ଜରିଆରେ ସଦସ୍ୟ ରାଷ୍ଟ୍ରଗୁଡିକୁ ପ୍ରଭାବିତ କରିବାକୁୁ ବିସିସିଆଇ ସାନି ରଣନୀତି ପ୍ରସ୍ତୁତ କରିଛି। ବିସିସିଆଇ ପ୍ରଶାସକ କମିଟି ପକ୍ଷରୁ ଶୁକ୍ରବାର ଏହି ମର୍ମରେ ଆଇସିସିକୁ ଇ-ମେଲ ଜରିଆରେ ପତ୍ର ପଠାଯାଇଛି।
ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ପ୍ରଚ୍ଛନ୍ନ ହାତ ରହିଥିବାରୁ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ଭାରତରେ କେତେକ ଗୋଷ୍ଠୀ ପାକିସ୍ତାନ ସହ ମ୍ୟାଚକୁ ବର୍ଜନ କରିବାକୁ ଆହ୍ବାନ ଦେଇଥିବାବେଳେ ଆଉ କେତେକ ଗୋଷ୍ଠୀ ପାକିସ୍ତାନକୁ ବିଶ୍ବକପରୁ ବାସନ୍ଦ କରିବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ କିଭଳି ନିଷ୍ପତ୍ତି ନିଆଯିବ ସେଥିନେଇ ଉଭୟ ଭାରତ ସରକାର ଓ ବିସିସିଆଇ ଦ୍ବନ୍ଦ୍ବରେ ପଡିଛନ୍ତି। ଗୋଟିଏପଟେ ଦେଶବାସୀଙ୍କ ପ୍ରତିକ୍ରିୟା ଓ ଅନ୍ୟପଟରେ ଆଇସିସିର ନିୟମାବଳୀ ମଧ୍ୟରେ ହଠାତ ନିଷ୍ପତ୍ତି ନେବା ସମ୍ଭବ ହୋଇପାରୁନାହିଁ। ଶୁକ୍ରବାର ଏଠାରେ ବିସିସିଆଇ ପ୍ରଶାସକ କମିଟି ବୈଠକ ଅନୁଷ୍ଠିତ ହୋଇ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପାକିସ୍ତାନ ସହ ମ୍ୟାଚ ଖେଳାଯିବ କି ନାହିଁ, ସେ ସମ୍ପର୍କିତ ନିଷ୍ପତ୍ତିକୁ ଆପାତତଃ ସ୍ଥଗିତ ରଖାଯାଇଛି। ତେବେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ସହ ସମ୍ପର୍କ ଛିନ୍ନ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡିକୁ ନିର୍ଦେଶ ଦିଆଯାଉ ବୋଲି ବିସିସିଆଇ ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଛି। ପୁନଶ୍ଚ ଇଂଲଣ୍ଡରେ ବିଶ୍ବକପ ଆୟୋଜିତ ହେବାକୁ ଥିବାବେଳେ ଖେଳାଳିଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ବିସିସିଆଇ ପ୍ରଶ୍ନ ଉତ୍‌ଥାପନ କରିଛି। ଏହି ମର୍ମରେ ବିସିସିଆଇ ପ୍ରଶାସକ କମିଟି ପକ୍ଷରୁ ସିଇଓ ରାହୁଲ ଜୋହରିଙ୍କ ଦସ୍ତଖତରେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ନିକଟକୁ ପତ୍ର ପଠାଯାଇଛି। ଚିଠିର ନକଲ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍‌ ରିଚାର୍ଡସନଙ୍କ ସମେତ ବିଶ୍ବକପ ଆୟୋଜନ କମିଟି ନିର୍ଦେଶକ ଷ୍ଟିଭ୍‌ ଏଲୱର୍ଦି ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ଅଧ୍ୟକ୍ଷ କଲିନ ଗ୍ରେଭ୍‌ସଙ୍କୁ ମଧ୍ୟ ପଠାଯାଇଛି। ବିସିସିଆଇ ପ୍ରଶାସକ କମିଟି ଅଧ୍ୟକ୍ଷ ବିନୋଦ ରାୟଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ସିଇଓ ଜୋହରି ମଧ୍ୟ ଯୋଗଦେଇଥିଲେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ କ୍ରିକେଟ୍ ବିଶ୍ବକପ୍‌ରୁ ପାକିସ୍ତାନକୁ ବାଦ୍ ଦେବାକୁ ଆଇସିସି ନିକଟରେ ବିସିସିଆଇ ଦାବି ଜଣାଇବ। ତେବେ ଏଥିରୁ ବିସିସିଆଇକୁ ଲାଭ ମିଳିବା ସମ୍ଭାବନା ନାହିଁ। ବିଶ୍ବକପ୍‌ ନିମନ୍ତେ ଯୋଗ୍ୟତା ହାସଲ କରିଥିବା କୌଣସି ସଦସ୍ୟ ରାଷ୍ଟ୍ରକୁ ବାଦ୍‌ ଦେବା ବ୍ୟବସ୍ଥା ଆଇସିସି ସମ୍ବିଧାନରେ ନାହିଁ। ସୂଚନାଥାଉକି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନ ସହ ଖେଳିବାକୁ ଥିବା ବିଶ୍ବକପ୍‌ ମ୍ୟାଚ୍ ବର୍ଜନ ପାଇଁ ଭାରତୀୟ କ୍ରିକେଟର୍‌ ମହମ୍ମଦ ଆଝାରୁଦ୍ଦିନ ଓ ହରଭଜନ ସିଂହ ମତ ଦେଇଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍ ବର୍ଜନ କଲେ ଭାରତକୁ କୌଣସି ଲାଭ ମିଳିବ ନାହିଁ ବୋଲି ସୁନୀଲ ଗାଭାସ୍କର କହିଛନ୍ତି। ଭାରତ ଯଦି ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବର୍ଜନ କରେ, ତାହାହେଲେ ପାକିସ୍ତାନ ୨ ପଏଣ୍ଟ ପାଇବ। ଏ ପ୍ରସଙ୍ଗରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର କହିଛନ୍ତି ଯେ ପାକିସ୍ତାନ ହାତକୁ ୨ ପଏଣ୍ଟ ଟେକିଦେବା ପ୍ରସଙ୍ଗକୁ ସେ ଘୃଣା କରନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories