www.samajalive.in
Saturday, December 6, 2025
14.1 C
Bhubaneswar

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ ’କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ସୁପ୍ରସିଦ୍ଧ ଗୀତିକାର ସୁବ୍ରତ ସ୍ବାଇଁଙ୍କ ପ୍ରଥମ ଗୀତ ସଂକଳନ ‘କେବେ ଶହେ କେବେ ଶୂନ‘ ସମ୍ବାଦ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମଣିଷ ଜୀବନରେ ସୂଚନା ଓ ଖବର ଭଳି ଗୀତର ମଧ୍ୟ ଆବଶ୍ୟକତା ରହିଛି। ସମ୍ଭାବନାର କୌଣସି ସୀମା ନାହିଁ ଓ ସୁବ୍ରତ ସବୁ ସମ୍ଭାବନାର ଶିଖରକୁ ଯାଆନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ସୁବ୍ରତଙ୍କ ଗୀତରେ ଥିବା ସାଂଗୀତିକତା ଓ ଶ୍ରୋତା-ଆକର୍ଷଣକାରୀ ମାଧୁର୍ୟ୍ୟ ବାବଦରେ ବଖାଣିଥିଲେ। ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ ଯେ ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ସାରଦା ପ୍ରସନ୍ନ ନାୟକଙ୍କ ପର୍ୟ୍ୟନ୍ତ ଲେଖାଯାଇଥିବା ଗୀତର ସମୟ ସୁବର୍ଣ୍ଣ ଯୁଗ ଥିଲା। ତେବେ ସବୁ ଲୋକପ୍ରିୟ ଗୀତ କ୍ଲାସିକ୍‌ ହୋଇ ନ ପାରେ। ଲୋକପ୍ରିୟ ହେବା ସହ କ୍ଲାସିକ୍‌ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଗୀତ କମ ଅଛି। ସାହିତ୍ୟରେ ଯେତେ କୃତି ଅଛି ଗୀତ ସବୁଠୁ ବେଶି ଦିନ ତିଷ୍ଠିରହେ ବୋଲି ଶ୍ରୀ ଦାସ କହିଥିଲେ।

- Advertisement -

ବିଶିଷ୍ଟ ଲେଖକ ଓ ଗବେଷକ ଅସିତ ମହାନ୍ତି ସୁବ୍ରତଙ୍କ ସଫଳତା ଓ କୃତିର ପ୍ରଶଂସା କରିଥିବା ବେଳେ ନିଜକୁ ଶୂନରେ ଅଛ ବୋଲି ମନେକରି ଶହେରେ ପହଞ୍ଚିବାର ଚେଷ୍ଟା କର ବୋଲି ପରାମର୍ଶ ଦେଇଥିଲେ।

‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର କହିଥିଲେ ଯେସମ୍ବେଦନଶୀଳତା ଗୀତକୁ ଜୀବନ୍ତ କରେ, ଯାହା ସୁବ୍ରତଙ୍କ ବହିରେ ରହିଛି। କେବଳ ଗୀତ ବହି ପଢ଼ିଲେ ଗୀତର ସମ୍ବେଦନା ସହଜରେ ବୋଧ ହେବନାହିଁ। ଗୀତ ବହିରେ ସାଧାରଣ ବା ନ୍ୟୁନ ଲାଗୁଥିବା ଗୀତଟିଏ ବି ସଂଗୀତର ରୂପ ନେବା ପରେ ଶ୍ରୋତାଙ୍କ ହୃଦୟକୁ ଛୁଇଁପାରେ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବାଦର ବାର୍ତ୍ତା ମୁଖ୍ୟ ମହାପ୍ରବନ୍ଧକ ତଥା ସ୍ତମ୍ଭକାର ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ ଓ ସ୍ତମ୍ଭକାର ଭବାନୀ ଶଙ୍କର ତ୍ରିପାଠୀ, ଉପ ମହାପ୍ରବନ୍ଧକ ଓ କଥାକାର ଗୌତମବୁଦ୍ଧ ଦାସ, ଉପ ମହାପ୍ରବନ୍ଧକ ଧୃତିକାମ ମହାନ୍ତି ପ୍ରମୁଖ ସୁବ୍ରତଙ୍କ ଗୀତ ବହି ଉପରେ ନିଜର ମତ ରଖିଥିଲେ।

ଓଡ଼ିଆ ଭାଷାରେ ଗୀତିକବିତାର ପରମ୍ପରା ବେଶ୍‌ ପୁରୁଣା। ତେବେ ପ୍ରସିଦ୍ଧ ଓଡ଼ିଆ ଗୀତକୁ ନେଇ ପରବର୍ତ୍ତୀ ସମୟରେ ବହି କରାଯିବାର ଉଦାହରଣ ବହୁତ କମ ଥିବା ବେଳେ ସୁବ୍ରତଙ୍କର ଏ ବହି ଏହି ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ମୂଳରୁ ଗୀତିକାର ହେବାର ଲକ୍ଷ୍ୟ ଥିଲା, ତେବେ ଗୀତ ଲେଖି ଅର୍ଥ ରୋଜଗାର କରିହେବନି ଜାଣିବା ପରେ ସମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କଲି ବୋଲି ନିଜର ଲେଖକୀୟ ବକ୍ତବ୍ୟରେ କହିଥିଲେ ସୁବ୍ରତ ସ୍ବାଇଁ। ଏବେ ସେ ଗୀତ ଲେଖି ବେଶ୍‌ ରୋଜଗାର କରିପାରୁଛନ୍ତି ବୋଲି କହିଥିଲେ। ତେବେ ସାମ୍ବାଦିକତା ତାଙ୍କୁ ଅଧିକ ସମ୍ବେଦନଶୀଳ କରିଛି, ନୂଆ ଅନୁଭବ ଦେବା ସହ ନୂଆ ସୃଜନ ପାଇଁ ସହାୟକ ହୋଇଛି ବୋଲି ଶ୍ରୀ ସ୍ବାଇଁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗ ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଓ ବହୁ ଶୁଭେଚ୍ଛୁ ତଥା ସାହିତ୍ୟପ୍ରେମୀ ଉତ୍ସବରେ ଉପସ୍ଥିତ ଥିଲେ। ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। ଉତ୍ସବ ଶେଷରେ ଧନ୍ୟବାଦ ବକ୍ତବ୍ୟ ବାଢ଼ିଥିଲେ ’କଥା’ର ସହ ସଂପାଦକ କ୍ଷେତ୍ରବାସୀ ନାଏକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories