www.samajalive.in
Wednesday, December 10, 2025
16.1 C
Bhubaneswar

୨୦ରୁ ଶିଶୁ ସମ୍ପର୍କ ଯାତ୍ରା: ପୁରୀରୁ ଆରମ୍ଭ ହେବ କାର୍ଯ୍ୟକ୍ରମ, ସିଧାସଳଖ ଶିଶୁଙ୍କ ସହିତ ଯୋଡ଼ି ହେବ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଘର ଭିତରେ ବାନ୍ଧି ହୋଇ ଶିଶୁର ଶୈଶବ କଲବଲ ହେଉଥିବାବେଳେ ଏହା ଦୂର କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ଶିଶୁ ଆୟୋଗ। ଲକଡାଉନ ଏବଂ ବିଦ୍ୟାଳୟ ବନ୍ଦ ଥିବାରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଶିଶୁମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମାନସିକ, ଶାରୀରିକ ତଥା ଶିକ୍ଷା କ୍ଷେତ୍ରରେ ବହୁ ବାଧାବିଘ୍ନ ସହିଛନ୍ତି। ଶିଶୁମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ସହ ସିଧାସଳଖ ଯୋଡ଼ି ହେବ ଶିଶୁ ସୁରକ୍ଷା ଆୟୋଗ। ଶିଶୁମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସିଧାସଳଖ ଆୟୋଗଙ୍କୁ ଅଭିଯୋଗ କରିପାରିବେ। ଶିଶୁ ସମ୍ପର୍କ ଯାତ୍ରା ମାଧ୍ୟମରେ ଏସବୁ ସମସ୍ୟା ସମ୍ପର୍କରେ ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ସମାଧାନ ବାଟ ବାହାର କରାଯିବ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ଆସନ୍ତା ୨୦ରୁ ଆରମ୍ଭ ହେବ ଶିଶୁ ସମ୍ପର୍କ ଯାତ୍ରା। ପୁରୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରଯିବ। ୨୧ ଓ ୨୨ରେ ଡେଲାଙ୍ଗ, କଣାସ, ପିପିଲି ଅଞ୍ଚଳରେ ଶିଶୁଙ୍କ ଅଭିଯୋଗ ଶୁଣିବେ। ଏହାପରେ ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ଭଦ୍ରକ ଭଳି ଅଧିକ ସଂଖ୍ୟାର ଅଭିଯୋଗ ହେଉଥିବା ଅଞ୍ଚଳରେ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମରେ ଆକ୍ସନଏଡ, ଚିଲଡ୍ରେନ ଫଣ୍ଡ ଇଣ୍ଡିଆ ଏବଂ ନଲେଜ ପାର୍ଟନର ସଂସ୍ଥା ସହଯୋଗ କରିବେ। ପ୍ରାୟ ବର୍ଷକ ହେଲା ଶିଶୁମାନେ ଘରେ ରହୁଥିଲେ ସୁଦ୍ଧା ବିଭିନ୍ନ ପ୍ରକାର ଅତ୍ୟାଚାର, ବାଲ୍ୟବିବାହ ଓ ଅସଦାଚରଣର ଶିକାର ହେଉଛନ୍ତି। ଏଥିସହ କରୋନା ଦିନଠାରୁ ବହୁ ଅଭିଯୋଗର ସମାଧାନ ନ ହୋଇ ପଡିରହିଛି। ଏ ଗୁଡିକର ସମାଧାନ କରିବା ପାଇଁ ଆୟୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଠାରେ ଶିଶୁଙ୍କ ଶିକ୍ଷା ସମସ୍ୟା, କରୋନା ପରେ ବିଦ୍ୟାଳୟର ଭିତ୍ତିଭୂମି, ପାନୀୟ ସମସ୍ୟା, ଅସହାୟ ଅବସ୍ଥାରେ ଥିବା ଶିଶୁ, ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଭିକ୍ଷାବୃତ୍ତି କରୁଥିବା ଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ସହିତ ସମାଧାନ କରାଯିବ। କଟକଣା କୋହଳ ହେବାରୁ ଆୟୋଗ ପକ୍ଷରୁ ବିଭିନ୍ନ ଜିଲା ଏବଂ ବ୍ଲକସ୍ତରରେ ଶିଶୁ ସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଆଗାମୀ ପିଢ଼ିଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରାକ ବିଦ୍ୟାଳୟକୁ ସୁଗମ କରିବାର ଆବଶ୍ୟକତା ରହିଛି। ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଶୈଶବ ଶିକ୍ଷାକୁ ଗୁରୁତ୍ବ ଦିଆଯିବା ଦରକାର। ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର। ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଅସଦାଚରଣ କମ କରିବା ପାଇଁ ଏଭଳି ନିଆରା ବ୍ୟବସ୍ଥା କରାଯାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories