ଭୁବେନଶ୍ବର/ଚନ୍ଦ୍ରଶେଖରପୁର : ବିବାହର ୮ ବର୍ଷ ପରେ ପତ୍ନୀ ଅନ୍ୟ ଜଣଙ୍କ ସହିତ ବାହା ହେଉଥିବା ଖବର ପାଇ ସ୍ବାମୀ ମଣ୍ଡପ ନିକଟରେ ପହଞ୍ଚିଥିଲା। ସେଠାରେ ହଙ୍ଗାମା କରିବା ସହିତ ଶେଷରେ ପୁଲିସର ସହଯୋଗ ଲୋଡ଼ିଥିଲା। ପୁଲିସ ପହଞ୍ଚି ପତ୍ନୀର ବାହାଘର ବନ୍ଦ କରିଥିଲା। ଏଭଳି ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସ୍ବାମୀକୁ ଦେଖି ପତ୍ନୀ ମଣ୍ଡପ ଛାଡ଼ି ଫେରାର୍ ହୋଇଯାଇଥିଲା।
ପୁଲିସ ସୂଚନା ଅନୁସାରେ ଗୁରୁବାର ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ-ଇନ୍ଫୋସିଟି ରାସ୍ତାରେ ଏକ ମଣ୍ଡପରେ ଲୁଚାଛପାରେ ବାହାଘର ଅନୁଷ୍ଠିତ ହେଉଥିଲା। ଜଣେ ମହିଳା ଦ୍ବିତୀୟ ବିବାହ କରୁଥିବା ଖବର ପାଇ ପୁଲିସ ଉକ୍ତ ମଣ୍ଡପରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ପରେ ବର ଓ କନ୍ୟା ଦୁହେଁ କେଉଁଆଡ଼େ ଲୁଚି ଫେରାର୍ ହୋଇଯାଇଥିଲେ। ବାହାଘର ବନ୍ଦ ହୋଇଥିଲା। ତେବେ ଡାକିଥିବା ଯୁବକ ଜଣଙ୍କଠାରୁ ପୁଲିସ ଘଟଣା ସମ୍ପର୍କରେ ସବୁ ବୁଝିଥିଲା। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଧୀନ ବଳଭଦ୍ରପ୍ରସାଦ ଗ୍ରାମର ସୁଚିତ୍ର କୁମାର ରାଉତ ପଟ୍ଟାମୁଣ୍ଡାଇର ଜଣେ ଯୁବତୀଙ୍କୁ ୨୦୧୨ ଅଗଷ୍ଟ ୨୩ରେ ମନ୍ଦିରରେ ବିବାହ କରିଥିଲେ। ପରେ ନୋଟାରୀ ପାଖରେ ସେମାନେ ବାହା ହୋଇଥିଲେ। ସୁଚିତ୍ର କଟକରେ ଏକ କୋଚିଂ ସେଣ୍ଟର କରିଛନ୍ତି। ୨୦୧୪ ପର୍ଯ୍ୟନ୍ତ ତାଙ୍କ ପତ୍ନୀ ଗାଁରେ ରହୁଥିଲେ। ୨୦୧୫ରେ ପତ୍ନୀ ପଟ୍ଟାମୁଣ୍ଡାଇର ଏକ ଘରୋଇ ସ୍କୁଲରେ ଚାକିରି କରିଥିଲେ। ତେଣୁ ସେଠାରେ ଥିବାବେଳେ ସେ ବାପ ଘରେ ରହୁଥିଲେ।
୨୦୧୫ରେ ତାଙ୍କ ପତ୍ନୀ କୋରାପୁଟ ଜିଲାର ଏକ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସରକାରୀ ଚାକିରି ପାଇଗଲେ। ସୁଚିତ୍ରଙ୍କ କହିବା ଅନୁସାରେ ସେଠାରେ ଥିବା ସମୟରେ ଜଣେ ଶିକ୍ଷକଙ୍କ ସହିତ ତାଙ୍କ ପତ୍ନୀର ସମ୍ପର୍କ ଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ଶ୍ବଶୁର ଘର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ସାମାନ୍ୟ ମତାନ୍ତର ହୋଇଥିଲା। କେନ୍ଦ୍ରାପଡ଼ା ପରିବାର ଅଦାଲତରେ ଏକ ମାମଲା ୨୦୧୯ରୁ ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ତେବେ ସେ ହଠାତ୍ ବୁଧବାର କୋରାପୁଟର ଉକ୍ତ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଲେ ତାଙ୍କ ପତ୍ନୀର ଦ୍ବିତୀୟ ବିବାହ ଭୁବନେଶ୍ବରରେ ହେଉଛି।
ତେଣୁ ସକାଳୁ ସେ ଭୁବନେଶ୍ବର ଆସି ବିଭିନ୍ନ ମଣ୍ଡପ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଏକ ବୋଲେରୋ ଗାଡ଼ିରେ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ଦେଖିବା ପରେ ସେ ତାଙ୍କୁ ପିଛା କରିଥିଲେ। ରାଜଧାନୀ ସାରା ଚକ୍କର ମାରିବା ପରେ ଶେଷରେ ସେମାନେ ପଟିଆ ନିକଟସ୍ଥ ଉକ୍ତ ମଣ୍ଡପ ନିକଟରେ ପହଞ୍ଚିଥିଲେ। ସେଠାରେ ଜୋର୍ଜବରଦସ୍ତି ବାହାଘର କରାଯାଉଥିଲା। ସୁଚିତ୍ର ଶେଷରେ ପୁଲିସର ସହଯୋଗ ଲୋଡ଼ିବା ପରେ ବାହାଘର ବନ୍ଦ ହୋଇଥିଲା।



