ବାସୁଦେବପୁର: ସଂକୀର୍ଣ୍ଣ ହୋଇ ଚାଲିଛି ଐତିହାସିକ କୋଷ୍ଟକେନାଲ। ପୂର୍ବରୁ କୋଷ୍ଟକେନାଲରେ ଷ୍ଟିମରଜାହାଜ ଚଳାଚଳ କରୁଥିଲା। ଏବେ ରହିଛି ୨୦ ଗୋଟି ବେଆଇନ ଚିଙ୍ଗୁଡ଼ି ପୋଖରୀ। ବାସୁଦେବପୁର ତହସିଲ ଅଧିନରେ କୃଷ୍ଣପୁର, ସାନକୃଷ୍ଣପୁର, ବିରସ, ବିଦେଇପୁର, ବାଲିମୁଣ୍ଡା, ଗୋପବନ୍ଧୁ ନଗର, ବିନୋବା ଭାବେନଗର, ଜଗନ୍ନାଥପ୍ରସାଦ, ପଦ୍ମପୁର, ଲକ୍ଷ୍ମୀଦାସପୁର, ଅଢୁଆଁ, ଇରମ, ନୂଆଗାଁ, ଚୂଡାମଣୀ ଅଞ୍ଚଳରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଚିଙ୍ଗୁଡି ପୋଖରୀ ରହିଛି। ଏମିତି ବି ୫ଶହରୁ ଅଧିକ ଚିଙ୍ଗୁଡି ପୋଖରୀ ଐତିହାସିକ କୋଷ୍ଟ କେନାଲର ଉଭୟ ପାର୍ଶ୍ବରେ ରହିଆସୁଛି। କୋଷ୍ଟ କେନାଲର ପୁନରୁଦ୍ଧାର ପରିବର୍ତ୍ତେ ଚିଙ୍ଗୁଡ଼ି ମାଫିଆମାନଙ୍କ କବ୍ଜାରେ ଏବେ ରହିଥିବା ଦେଖିବାକୁ ମିଳୁଛି। ଚାରିବାଟିଆ ଘାଟଠାରୁ ଚୂଡାମଣି ନଖପୋଲ ପର୍ଯ୍ୟନ୍ତ ଟିଙ୍ଗୁଡ଼ି ମାଫିଆମାନେ କୋଷ୍ଟ କେନାଲର କେତେକ ସ୍ଥାନରେ ଜବରଦଖଲ କରି ନିଜର ଚିଙ୍ଗୁଡ଼ି ପୋଖରୀ ସହ ସାମିଲ କରିସାରିଲେଣି। ସରକାରୀ ସ୍ତରରେ ଏହାର ତାଳମେଳ ରହୁନଥିବାବେଳେ ସ୍ଥାନୀୟ ମତ୍ସ୍ୟ ବିଭାଗରୁ ମିଳିଥିବା ସୂଚନାନୁଯାୟୀ ସମଗ୍ର ବାସୁଦେବପୁର ଅଞ୍ଚଳରେ ମୋଟ ୫୦ ଜଣଙ୍କ ନାମରେ ଚିଙ୍ଗୁଡ଼ି ପୋଖରୀ ୩୪ ହେକ୍ଟର ଜମିରେ ରହିଥିବା ଜାଣିବାକୁ ମିଳିଛି।
ଚଳିତବର୍ଷ ୪୩ଜଣ ମତ୍ସ୍ୟଚାଷୀ ୨୦ ହେକ୍ଟର ଜମିରେ ଚିଙ୍ଗୁଡ଼ି ପୋଖରୀର ଲାଇସେନ୍ସ ପାଇଁ ଆବେଦନ କରିଥିବା ସହକାରୀ ମତ୍ସ୍ୟ ଅଧିକାରିଣୀ ଲକ୍ଷ୍ମୀରାଣୀ ମାରାଣ୍ଡି ସୂଚନା ଦେଇଛନ୍ତି। ଏଥିସହିତ ପାଖାପାଖି ପ୍ରତି ହେକ୍ଟରକୁ ତିନିଗୋଟି ପୋଖରୀ ଭାବରେ ଗଣତି କରି ହିସାବ କରିବାକୁ କହିଛନ୍ତି। ମାତ୍ର ୫୪ ହେକ୍ଟର ଜମିରେ ଟିଙ୍ଗୁଡ଼ି ପୋଖରୀ ଥିବା ସରକାରୀ ଭାବରେ ଜାଣିବାକୁ ମିଳିଛି। ବିଗତ ତିନି ବର୍ଷରେ ଆନୁମାନିକ ପାଖାପାଖି ୯୨ ଗୋଟି ପୋଖରୀ କୋଷ୍ଟ କେନାଲର ଉଭୟ ପାର୍ଶ୍ବରେ ଥିବା ମତ୍ସ୍ୟ ବିଭାଗ ସୂଚନା ଦେଇଛି। ମୋଟ ଉପରେ ଚିଙ୍ଗୁଡ଼ି ପୋଖରୀକୁ ନେଇ ସଠିକ୍ ତଥ୍ୟ ମତ୍ସ୍ୟ ବିଭାଗ ନିକଟରେ ନଥିବା ବେଶ୍ ସ୍ପଷ୍ଟ ହୋଇଛି। ମହାପାତ୍ର ସାହି ବୁଢିମନ୍ଦାରୁଣି-ନଖପୋଲ ରାସ୍ତାଠାରୁ କୋଷ୍ଟ କେନାଲର ପଶ୍ଚିମ ପାର୍ଶ୍ବରେ ୩୬ଗୋଟି ପୋଖରୀ ରହିଥିବାବେଳେ ୨୦ ଗୋଟି ଚିଙ୍ଗୁଡି ପୋଖରୀ କୋଷ୍ଟ କେନାଲ ମଝାମଝିରେ ରହିଛି। ସେହିଠାରୁ ନିଜର ସତ୍ତା ହରାଇଛି କୋଷ୍ଟ କେନାଲ।
ଜବରଦଖଲକାରୀଙ୍କ ଅଧିନରେ ରହିଥିବା କାରଣରୁ ଏହାର ପୁନରୁଦ୍ଧାର ପାଇଁ ସାଧାରଣ ଜନତାଙ୍କ ଶାଣିତ ସ୍ବର ଏବେ ମାଫିଆମାନଙ୍କ ନିକଟରେ ବନ୍ଧା ପଡିଛି ବୋଲି ସାମଜିକ କର୍ମୀ କିଶୋର କୁମାର ମହାପାତ୍ର କହିଛନ୍ତି। ବାସୁଦେବପୁର ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା କୁହନ୍ତି, କୋଷ୍ଟ କେନାଲର ଉଭୟ ପାର୍ଶ୍ବ ଜବରଦଖଲକାରୀଙ୍କ ନିକଟରେ ଥିବା ନେଇ ପୂର୍ବରୁ କୌଣସି ସୂଚନା ନାହିଁ। ତେବେ ଏହି ଘଟଣାକୁ ନେଇ ତଦନ୍ତ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।



