ବାଙ୍କୀ; ସରକାର କୋମଳମତି ଶିଶୁମାନଙ୍କ ଯତ୍ନ, ପୁଷ୍ଟିକର ଖାଦ୍ୟ, ପୋଷାକ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଆଦି ଭଲ ପରିବେଶ ମଧ୍ୟରେ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ବିଡମ୍ବନାର ବିଷୟ ବାଙ୍କୀ ବ୍ଲକ ଅଧିନ କଦଳୀବାଡି ପଞ୍ଚାୟତର ୧ନଂ ଅଙ୍ଗନୱାଡି କେନ୍ଦ୍ରଟି ବିପଦସଂକୁଳ ପରିବେଶରେ ଚାଲିଛି। କେନ୍ଦ୍ର ପାଇଁ ସ୍ଥାନୀୟ କଦଳୀବାଡି ସେବାଶ୍ରମ ବିଦ୍ୟାଳୟ ପରିସରରେ ନୂତନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପ୍ରଭାବରେ ଅଙ୍ଗନୱାଡି କେନ୍ଦ୍ରଟି ଦୀର୍ଘ ଦିନ ହେବ ସେବାଶ୍ରମ ପରିସରରେ ଥିବା ବିପଦ ସଂକୁଳ ଆଜବେଷ୍ଟ ଘରେ ପରିଚାଳିତ ହେଉଛି।
ଉପର ଆଜବେଷ୍ଟ ଭଙ୍ଗା, କାନ୍ଥରୁ ପାଣି ଝରୁଛି, ବର୍ଷା ହେଲେ ପାଣିଗଳି ଘର ସନ୍ତସନ୍ତିଆ ରହୁଥିବାରୁ ଅସନ୍ତୁଳନ ଭାବରେ କେନ୍ଦ୍ର ପରିଚାଳନା କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ୁଛି। ଏ ସମ୍ପର୍କରେ ସିଡିପିଓ ରୂପାଲି ମିତ୍ରଙ୍କ ସହ ଯୋଗାଯୋଗ କରିବାରୁ ରଜ ଛୁଟି ପରେ ବିଦ୍ୟାଳୟର ଅନ୍ୟଗୃହରେ ସକାଳେ କେନ୍ଦ୍ର ଚଲାଇବା ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଡିଓଙ୍କ ଅନୁରୋଧ କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି।



