ଭୋଟ ଗଣତି ଅଧିକାରୀଙ୍କୁ ପ୍ରଶିକ୍ଷଣ ; କଡା ସୁରକ୍ଷାରେ ହେବ ଗଣତି

ବାଙ୍କୀ : ତ୍ରିସ୍ତରୀୟ ପଞ୍ଚାୟତ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫେବ୍ରୁଆରୀ ୨୬ରୁ ୨୮ତାରିଖ ୩ଦିନ ଧରି ଜିଲ୍ଲାପରିଷଦ ଜୋନ ଅନୁଯାୟୀ ଭୋଟ ଗଣତି ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେଉଛି। ଗଣତି ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ନିର୍ଭୁଲ କରିବା ପାଇଁ ଡମପଡା ବ୍ଲକରେ ଗଣତି ଅଧିକାରୀ ମାନଙ୍କୁ ଶୁକ୍ରବାର ଦିନ ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଶନିବାର ଦିନ ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ ପରିସରରେ ୩୭ନଂ ଜିଲ୍ଲାପରିଷଦଜୋନର ପଞ୍ଚାୟତ ଦୁର୍ଗାପୁର,ନରଗାଙ୍ଗ,ତୂଳସୀପୁର,ଢଁସର,ଗୋପାଳପୁର,ରଗଡି,ବିଲିପଡା,ହରିରାଜପୁର ଓ ଶିମିଳିପୁର ଆଦି ୯ଟି ପଞ୍ଚାୟତର ମୋଟ ୧୨୫ଟି ବୁଥ୍ ଭୋଟ ଗଣତି କାର୍ଯ୍ୟକ୍ରମ ୧ମ ଦିନରେ ସଞ୍ଚାଳିତ ହେବା ପାଇଁ ଆଲୋଚନା କରାଯାଇଛି। ସକାଳ ୮ଘଟିକାରେ ଗଣତି ପ୍ରକ୍ରିୟା  ଆରମ୍ଭ ହେବ। ବାଙ୍କୀ-ଡମପଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଶ୍ୟାମଳ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଏବିଇଓ ଗଦାଧର ପ୍ରଧାନ,ଅଶୋକ କୁମାର ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ,ଗ୍ରାମପଞ୍ଚାୟତ ଅଧିକାରୀ ତ୍ରିନାଥ ଜେନା ପ୍ରମୁଖ ବିଧିବଦ୍ଧ ଭାବରେ ନିୟୋଜିତ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ୧ମ ଦିନରେ ୯ଟି ପଞ୍ଚାୟତ ପାଇଁ ୯ଗୋଟି ଗଣତି ଟେବୁଲ ଏବଂ ଗୋଟିଏ ସେଣ୍ଟ୍ରାଲ ଟେବୁଲର ବ୍ୟବସ୍ଥା କରାଯାଇଛି। ପରିଚାଳନା ପାଇଁ ପ୍ରତି ଟେବୁଲରେ ୪ଜଣ ଅଧିକାରୀ ରହିଛନ୍ତି। ପ୍ରଥମେ ଷ୍ଟ୍ରଙ୍ଗ ରୁମରୁ ବାଲାଟ ବକ୍ସ ଆସିଲା ପରେ ସୂଚନା ଓ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ବିଭିନ୍ନ ରଙ୍ଗର ୪ପ୍ରକାରର ବାଲାଟ ପେପରକୁ ୪ରଙ୍ଗର ଟ୍ରେରେ ଯଥାକ୍ରମେ ରଖାଯାଇ ବଣ୍ଡଲ କରାଯିବ। ପରେପରେ ଲଟେରୀ ବ୍ୟବସ୍ଥାରେ ଗଣତି କାର୍ଯ୍ୟ ଆରମ୍ଭ କରାଯିବା ସମ୍ପର୍କରେ ସୂଚନା ମିଳିଛି।  ଗଣତିର ପ୍ରଥମେ ୱାର୍ଡ ସଭ୍ୟ,ପରେପରେ ସରପଞ୍ଚ,ସମିତିସଭ୍ୟ ଏବଂ ଶେଷରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି କରାଯିବ। ସେହିପରି ଅନୁରୂପ ଭାବରେ ଏହି ଦିନ ବାଙ୍କୀ ବ୍ଲକର ଗଣତି ପ୍ରକ୍ରିୟା  ସ୍ଥାନୀୟ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହେବ।
ବାଙ୍କୀ ବ୍ଲକର ୩୪ନଂ ଜିଲ୍ଲାପରିଷଦ ଜୋନକଳାପଥର,ବୈଦେଶ୍ୱର,କେନ୍ଦୁପଲ୍ଲୀ,ଜଗନ୍ନାଥପୁର,ବଳଭଦ୍ରପୁର,କାଳିପୋଇ,
ନୂଆଗାଁ ପଞ୍ଚାୟତର ୧୨୫ଗୋଟି ବୁଥର ଭୋଟ ଗଣତି କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ପ୍ରଦୀପ୍ତ କୁମାର ଶତପଥି ସୂଚନା ଦେଇଛନ୍ତି। ୭ଗୋଟି ପଞ୍ଚାୟତ ପାଇଁ ୭ଟି ଟେବୁଲ ସହିତ ଗଣତି ପ୍ରକ୍ରିୟାକୁ ଅନୁଧ୍ୟାନ ଓ ପରାମର୍ଶ ଦେବାପାଇଁ ଗୋଟିଏ କେନ୍ଦ୍ରୀୟ ଟେବୁଲ ରହିଛି। ସୂଚନା ଅନୁଯାୟୀ ଫେବ୍ରୁଆରୀ ୨୭ତାରିଖ ଡମପଡା ବ୍ଲକର ୩୮ନଂ ଜୋନର ୮ଟି ପଞ୍ଚାୟତର ୧୩୭ବୁଥ୍ ଓ ବାଙ୍କୀ ବ୍ଲକର ୩୫ନଂ ଜୋନର ୬ଟି ପଞ୍ଚାୟତର ୧୦୫ଟି ବୁଥ୍ ଏବଂ ଫେବ୍ରୁଆରୀ ୨୮ତାରିଖରେ ବାଙ୍କୀ ବ୍ଲକର ୩୬ନଂ ଜିଲ୍ଲାପରିଷଦ ଜୋନର ୭ଟି ପଞ୍ଚାୟତର ୧୦୭ଟି ବୁଥର ଭୋଟ ଗଣତି ପ୍ରକ୍ରିୟା  ଶେଷ ହେବ। ଉଭୟ ଗଣତି କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଗଣତି କେନ୍ଦ୍ରରେ ପ୍ରାର୍ଥୀ ମାନଙ୍କର ଏଜେଣ୍ଟ ବ୍ୟବସ୍ଥିତ ସ୍ଥାନରେ ରହି ଭୋଟ ଗଣତି ପ୍ରକ୍ରିୟା  ଅନୁଧ୍ୟାନ କରିବେ। ଯେଉଁ ପଞ୍ଚାୟତର ଗଣତି ଶେଷ ହେଉଥିବ ସେହି ପଞ୍ଚାୟତର ପ୍ରାର୍ଥୀଙ୍କ ଏଜେଣ୍ଟ ମାନେ ଗଣତି ପ୍ରକୋଷ୍ଠ ତ୍ୟାଗ କରିବାର ନିୟମ ସମ୍ପର୍କରେ ଆଲୋଚନା କରାଯାଇଛି।

Comments are closed.