ଭୋଟ୍‍ ବାକ୍ସରେ ୬୪୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ

ବାଙ୍କୀ: ଗୁରୁବାର ଦିନ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନ ୩ ଜିଲ୍ଲାପରିଷଦ ଜୋନର ୨୦ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ବ୍ଲକର ୩୩୩ ବୁଥରେ ୯୧ହଜାର ୭୮୩ଜଣ ମତଦାତା ନିର୍ଭୟରେ ମତଦାନ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ସୂଚନା ଅନୁଯାୟୀ ବାଙ୍କୀ ବ୍ଲକର ୩୪,୩୫ ଓ ୩୬ନଂ ଜିଲ୍ଲାପରିଷଦ ଜୋନରେ ମତଦାନ ୮୧.୫ପ୍ରତିଶତ ହୋଇଛି। ସମସ୍ତ ମତଦାନ କେନ୍ଦ୍ରକୁ ପରିଚାଳନା କରିବା ପାଇଁ ୩୩୩ଜଣ ୧ମ ପୁଲିଂ ଅଧିକାରୀ,୩୩୩ଜଣ ୨ୟ ପୁଲିଂ ଅଧିକାରୀ,୩୩୩ଜଣ ପ୍ରିଜାଇଡିଂ ଅଫିସର ଏବଂ ୩୩୩ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୧୩୩୨ଜଣ ଅଧିକାରୀ ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ। ସେହିପରି ନିର୍ବାଚନ କାର୍ଯ୍ୟକୁ ତଦାରଣ କରିବା ପାଇଁ ୨୦ଜଣ ସେକ୍ଟର ଅଫିସର ଏବଂ ୫ଜଣ ଅତିରିକ୍ତ ସେକ୍ଟର ଅଫିସରଙ୍କୁ ମିଶାଇ ମୋଟ ୨୫ଜଣ ସେକ୍ଟର ଅଧିକାରୀ ନିର୍ବାଚନ ପରିଚାଳନା କାର୍ଯ୍ୟକୁ ତଦାରଣ କରିଛନ୍ତି। ସେହିପରି ବୈଦେଶ୍ୱର ଥାନା ଅଧିନ ୩୬ଟି ଉତ୍ତେଜନାପୂର୍ଣ୍ଣା ଏବଂ ୨୩ଗୋଟି ଅତି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରକୁ କଡା ସୁରକ୍ଷା ମଧ୍ୟରେ ଭୋଟ ପ୍ରକ୍ରୀୟା ପରିଚାଳନା କରାଯାଇଥିବାରୁ ସମସ୍ତ ବୁଥ୍‍ରେ ନିର୍ବାଚନ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି।

ବାଙ୍କୀ ବ୍ଲକ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଶତପଥିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ନିର୍ବାଚନ ପ୍ରକ୍ରୀୟାକୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ପରିଦର୍ଶନ କରିଛନ୍ତି। ଅପରାହ୍ନ ଠାରୁ ପ୍ରତି ବୁଥ୍‍ରୁ ବାଲବକ୍ସ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଷ୍ଟ୍ରଙ୍ଗ ରୁମ୍‍ରେ ରଖାଯାଇଛି। ୬୪୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବିଭିନ୍ନ କେନ୍ଦ୍ରରେ ମତଦାତା ମାନେ ଧାଡିରେ ଭୋଟ ଦେଉଥିଲା ବେଳେ ବରିଷ୍ଠ ନାଗରିକ,ଭିନ୍ନକ୍ଷମ ମତଦାତାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି। କନ୍ତପହଁରା ପଞ୍ଚାୟତ ଅଧିନ ଘୋଳପୁର ମତଦାନ କେନ୍ଦ୍ରରେ ଜଣେ ୮୩ବର୍ଷ ବୟଷ୍କା ବିଧବା ବୃଦ୍ଧା ଉତ୍ସୁକତାର ସହ ମତଦାନ କେନ୍ଦ୍ରରେ ଭୋଟ ଦେଇ ଆନନ୍ଦ ପ୍ରକାଶ କରୁଥିବା ଜଣାପଡ଼ିଛି। ଆଗାମୀ ୨୬,୨୭ ଓ ୨୮ ତାରିଖରେ ୩ ଦିନ ଧରି ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଭୋଟ୍‍ ଗଣତି ବ୍ୟବସ୍ଥା ଓାର୍ଡ ଓାରି କରାଯିବାର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ନିର୍ବାଚନ ଅଧିକାରୀଙ୍କ ସୂଚନା କ୍ରମରେ ବ୍ରହ୍ମପୁରାରେ ୮୨.୭%, ଗୋଳାଗଣ୍ଡ ପଞ୍ଚାୟତରେ ୮୪.୨%,କଦଳୀବାଡି ପଞ୍ଚାୟତରେ ୮୫.୯%,ବନ୍ଦାଳ ୮୨.୨%,ଅନୁୟାରୀ ୮୦.୯%,କିଆପଲ୍ଲା ୮୨.୯%,ବରପୁଟ ୭୧.୧%,ସାମନ୍ତରାପୁର ୭୯.୯%,ରତାଗଡ଼ ୭୫.୧%,କନ୍ତପହଁରା ୮୨.୪%,ବାଉଁଶପୁଟ୍ଟ ୮୧.୫%,ଓସ୍ତିଆ ୮୫.୪%,କେନ୍ଦୁପଲ୍ଲୀ ୭୮.୯%,ନୁଆଗାଁ ୮୪.୩%,କଳାପଥର ୮୬.୮%,ବୈଦେଶ୍ୱର ୭୫%,ଜଗନ୍ନାଥପୁ ୮୧.୬%,ବଳଭଦ୍ରପୁର ୮୩.୬%,କାଳିପୋଇ ୮୬.୬%,ପୁଇଁଚା ୮୩.୧ ପ୍ରତିଶତ ମତଦାତା ନିଜର ନିତଦାନ ସାବ୍ୟସ୍ତ କରି ନିର୍ଣ୍ଣାୟକ ପ୍ରାର୍ଥୀ ଚୟନର ଭୂମିକା ଗ୍ରହଣ କରିଛନ୍ତି।

Comments are closed.