ମନରେଗା ଯୋଜନାରେ ଶ୍ରମିକଙ୍କୁ କାମ

ବାଙ୍କୀ : କୋଭିଡ୍‍-୧୯ କଟକଣାରେ ସାଧାରଣ ମଣିଷର ଜୀବନ ଯାତ୍ରା ଓ ଜୀବନଧାରଣ ଶୈଳୀ ପ୍ରଭାବିତ ହୋଇଛି। ମାର୍ଚ୍ଚ ୨୪ତାରିଖରୁ ଅଦ୍ୟାବଧି ମଣିଷମାନେ ସୁସ୍ଥ ରହିବା ପାଇଁ ସରକାରୀ କଟକଣା ହାତଖୋଲା ହୋଇନାହିଁ। ସେହିପରି ଶ୍ରମ କ୍ଷେତ୍ରରେ ଏହାର ପ୍ରଭାବ ପଡିଛି। ଦିନ ମଜୁରିଆମାନେ ଶ୍ରମ ଭିତ୍ତିକ କାର୍ଯ୍ୟରେ ପରିବାର ପ୍ରତିପୋଷଣ ପାଇଁ ପ୍ରଭାବିତ ହେଉଥିବା ହେତୁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ମନରେଗା ଯୋଜନାରେ ଶ୍ରମିକ ତଥା ଜବକାର୍ଡ ଧାରୀମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ କରାଯାଇ ଦୈନିକ ସରକାରୀ ଧାର୍ଯ୍ୟ ମଜୁରୀ ୨୦୭ଟଙ୍କା ମଷ୍ଟର ରୋଲ ଜରିଆରେ ହିତାଧିକାରୀଙ୍କ ଜମାଖାତାକୁ ପ୍ରଦାନ କରାଯାଉଛି। ଏହାଦ୍ୱାରା ବହୁ ଶ୍ରମିକ ଏବଂ ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଥିବା ଶ୍ରମିକମାନେ ସାମୟିକ ଶ୍ରମ ପାଇଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଡମପଡା ବନ୍ୟଜୀବ ବନାଞ୍ଚଳ ଅନ୍ତର୍ଗତ ପଞ୍ଚପଡା କୁହାଯାଉଥିବା ଢୋଲକାଠ, ଡାହାଣିଗାଡିଆ, ବେହେଣ୍ଟାସାହି, ନୂଆ କୂଅ ଓ ପିଠାଖିଆ ପ୍ରଭୃତି ଅଭୟାରଣ୍ୟ ମଧ୍ୟରେ ଥିବା ୫ଟି ଗ୍ରାମର ବସବାସ କରୁଥିବା ପ୍ରାୟ ୩୦୦ପରିବାର ଶ୍ରମ ନପାଇ ଦୀର୍ଘଦିନ ଘରେ ରହିଥିଲେ। ଜଙ୍ଗଲ ଆଇନ୍ କଟକଣା ପରେ ଜାଳେଣି କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରମଜିବୀମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟ ଯୋଗାଇଦେବା ପାଇଁ ବନ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଗତ ଜୁଲାଇ ମାସରୁ କାମ କରିବାର ସୁଯୋଗ ମିଳିଛି। ଜଙ୍ଗଲ ଭିତରେ ଥିବା ବିଭିନ୍ନ ଗ୍ରାମକୁ ସଞ୍ଜୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବକୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଉଭୟ ପାର୍ଶ୍ବରୁ ଅନାବନା ଗଛ ତଥା ପୋକସୁଙ୍ଘା ଗଛକୁ ସଫେଇ କରାଯାଇ ପ୍ରାୟ ୧୦୦ରୁ ୨୫୦ଜଣ ଶ୍ରମିକଙ୍କୁ ଡିମାଣ୍ଡ ବଢାଇ ଶ୍ରମ ଯୋଗାଣ କରାଯାଇଛି। ଏହାଦ୍ୱାରା ପଞ୍ଚପଡା ସହିତ ଅଭୟାରଣ୍ୟ ନିକଟସ୍ଥ ଗୋବିନ୍ଦପୁର, ବାଗୁଆ, ଭଗିପୁର ଜାରିଆନାଳ ଆଦି ଗ୍ରାମର ଶ୍ରମିକମାନେ ଏହି କାର୍ଯ୍ୟରେ ନିୟୋଜିତ ଥିବା ହେତୁ ଦୈନିକ ୨୦୭ଟଙ୍କାର ମଜୁରୀ ସପ୍ତାହକୁ ଥରେ ଅନଲାଇନ ମାଧ୍ୟମରେ ଜମାଖାତାରେ ପାଉଥିବା ଶ୍ରମିକମାନେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଞ୍ଚଳର ଶ୍ରମିକମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ପଞ୍ଚପଡାର ଶ୍ରମିକମାନେ କର୍ମ ନିଯୁକ୍ତି ପାଇଁ ବନାଞ୍ଚଳ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିବା ସମ୍ପର୍କରେ ଡାହାଣିଗାଡିଆର ଉପେନ୍ଦ୍ର ବେହେରା, ପିଠାଖିଆର କ୍ଷେତ୍ରବାସୀ ନାୟକ ପ୍ରମୁଖ କହିଛନ୍ତି। ଫରେଷ୍ଟର ରାକେଶ କୁମାର ସ୍ୱାଇଁ ଓ ତାଳବସ୍ତ ଫରେଷ୍ଟର କମଳକାନ୍ତ ସୋରେନ ଯଥାକ୍ରମେ ମନରେଗା ଯୋଜନାର କାର୍ଯ୍ୟ ପରିଚାଳନା କରୁଥିବା ସୂଚନା ମିଳିଛି। ଶ୍ରମିକ ମାନଙ୍କୁ ପ୍ରାୟ ନଭେମ୍ବର ଶେଷ ପର୍ଯ୍ୟନ୍ତ କାମ ମିଳିବ ବୋଲି ଜଣାପଡିଛି।

Comments are closed.