ଭୁବନେଶ୍ବର : ଚଳିତ ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କସମୂହରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ବେତନ ବୃଦ୍ଧି ଦାବିରେ ଏହି ଧର୍ମଘଟ ଡାକରା ଦେଇଥିଲେ। ସେମାନେ ନିଜ ନିଷ୍ପତ୍ତିରେ କାଏମ ରହିଥିଲେ ରାଜ୍ୟରେ ବ୍ୟାଙ୍କ ବାରବାର ଚଳିତ ମାସ ୮ ତାରିଖରୁ ନିରବଚ୍ଛିନ୍ନ ଭାବେ ୮ଦିନ ପାଇଁ ବନ୍ଦ ରହିଥାନ୍ତା। ସୂଚନାଯୋଗ୍ୟ ଯେ ଚଳିତ ମାସ ୮ ତାରିଖ ଓ ୧୫ତାରିଖ ରବିବାର ପଡ଼ୁଥିବାରୁ ସେହିଦିନ ବ୍ୟାଙ୍କ ବନ୍ଦ ରହିବ। ତାହା ସହିତ ୯ ଓ ୧୦ତାରିଖ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଇଁ ବ୍ୟାଙ୍କଗୁଡ଼ିକ ଛୁଟି ରହିବ। ତାହା ପରଦିନ ଅର୍ଥାତ୍ ଧର୍ମଘଟ କାରଣରୁ ୧୧ ରୁ ତିନିଦିନ ପାଇଁ ବ୍ୟାଙ୍କ ବନ୍ଦ ରହିଥାନ୍ତା। ୧୪ ତାରିଖ ଦ୍ବିତୀୟ ଶନିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଏହିଭଳି ଏକାଦିକ୍ରମେ ୮ଦିନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥାନ୍ତା। ଏହାଦ୍ବାରା ଅର୍ଥ ଦେଣନେଣ ଓ ବ୍ୟବସାୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା।



