ବାଣୀବିହାରରେ ବାହୁଡା ଯାତ୍ରା

ଭୁବନେଶ୍ବର :  ବାଣୀକ୍ଷେତ୍ର ବାଣୀବିହାର ପରିସରରେ ଆଜି କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ଆଜି ଶେଷ ହୋଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ପରିସର ଘଣ୍ଟ, ଘଣ୍ଟା, କାହାଳି, ବାଜାବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଚଳଚଞ୍ଚଳ ହୋଇଉଠିଥିଲା।ପ୍ରଥମେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ରଥକୁ ପହଣ୍ଡି ବିଜେ କଲା ପରେ ରଥାରୁଢ଼ ହୋଇଥିଲେ।
ସମଗ୍ର ପରିବେଶ ଜଗନ୍ନାଥମୟ ହେଲା ପରେ, ସମସ୍ତ ମନ୍ଦିର କର୍ମକର୍ତ୍ତା ଏବଂ ଜଗନ୍ନାଥ ସେବକ ମାନେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ପ୍ରଥମ ଥର ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଶ୍ରୀଜୀଉଙ୍କ ରଥ ଉପରେ ଛେରା ପହଁରା କରି ପୁଣି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନନ୍ଦିତ କରି ଦେଇଥିଲେ।  ଏହାପରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ରଥକୁ ବନ୍ଦାପନା କରି ବାହୁଡା ରଥଟଣା ଆରମ୍ଭ ହୋଇଥିଲା ।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଭକ୍ତର ଭାବ ଓ ଆବେଗରେ ବନ୍ଧା କାଳିଆଠାକୁରଙ୍କ ଆଗରେ ଭକ୍ତିର ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉନ୍ନତି, ସମସ୍ତ କର୍ମକର୍ତ୍ତା ଓ ପରିବାର, ଛାତ୍ର ଛାତ୍ରୀ ବୃନ୍ଦଙ୍କ ଶୁଭ କାମନା କରି ପ୍ରାର୍ଥନ କରିଥିଲେ । ଏହି ଅବସରରେ କୁଳସଚିବ ଅଭୟ କୁମାର ନାୟକ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ସମେତ ବାଣୀବିହାର ଜଗନ୍ନାଥ ମନ୍ଦିର ସଭାପତି, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଯୋଗଦେଇଥିଲେ।

kalyan agarbati

Comments are closed.