ଅମର୍ଦ୍ଦାରୋଡ଼: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ବରଡ଼ା ଗାଁର ଜଣେ ବ୍ୟକ୍ତି ଅନଲାଇନରେ ବିଦ୍ୟୁତ ତାର ମଗାଇ ଠକାମିର ଶିକାର ହୋଇଛନ୍ତି। ଘରେ ଜିନିଷ ପହଞ୍ଚିବା ପରେ ଉକ୍ତ ଥଳିରୁ ଗ୍ରାନାଇଟ ଓ ପଥର ବାହାରିଛି। ଏହା ଦେଖି ଗ୍ରାହକ ତାଜୁବ ହେବା ସହିତ ଟଙ୍କା ଫେରସ୍ତ ଦାବିରେ ସମ୍ପୃକ୍ତ ଡେଲିଭରି ଯୁବକକୁ ଅଟକ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ବରଡ଼ା ଗାଁର ଶୁକଦେବ ପ୍ରଧାନ ଘରେ ବିଦ୍ୟୁତ ଓୟାରିଂ କରିବା ପାଇଁ ଗତ ୫ ତାରିଖ ଦିନ ଫ୍ଲିପକାର୍ଟ ଅନ ଲାଇନ ସଂସ୍ଥାରୁ ତାର ମଗାଇଥିଲେ। ଯାହାର ନିର୍ଦ୍ଧାରିତ ମୂଲ୍ୟ ମଧ୍ୟ ସେ ଅନଲାଇନ ମାଧ୍ୟମରେ କମ୍ପାନୀକୁ ପଇଠ କରିଥିଲେ। ସେ ମଗାଇଥିବା ପାର୍ସଲକୁ ଆଜି କମ୍ପାନୀର ଡେଲିଭରି ଯୁବକ ଆଣି ତାଙ୍କୁ ଦେଇଥିଲେ। ମାତ୍ର ଥଳି ଖୋଲିଲା ବେଳକୁ ତା ଭିତରେ ତାର ବଦଳରେ କିଛି ଗ୍ରାନାଇଟ, ପଥର, ପିଚୁ ଓ ଚିପ୍ସ ମିଶା ପଥର ଖଣ୍ଡ ବାହାରିଥିଲା। ଶ୍ରୀ ପ୍ରଧାନ ଠକାମିର ଶିକାର ହୋଇଥିବାରୁ ଜିନିଷ ନେଇ ଆସିଥିବା ଯୁବକକୁ ଅଟକ ରଖି ଜଳେଶ୍ବର ଇ-କାର୍ଟ ଅଫିସକୁ ଜଣାଇ ଅର୍ଡରଟିକୁ ବାତିଲ କରିଥିଲେ। ଜିନିଷ ବାତିଲର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଯଦି ଟଙ୍କା ଫେରସ୍ତ ନଆସେ ତାହେଲେ ଇ-କାର୍ଟ ଜଳେଶ୍ବର ଶାଖାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଧାନକୁ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେବା ପରେ ଅଟକ ଡେଲିଭରି ଯୁବକଙ୍କୁ ସେ ଛାଡ଼ି ଥିଲେ।
ଅନ୍ଲାଇନରେ ମଗାଇଲେ ବିଦ୍ୟୁତ୍ ତାର, ଥଳିରୁ ବାହାରିଲା ଗ୍ରାନାଇଟ ଓ ପଥର
Popular Categories



