www.samajalive.in
Sunday, December 7, 2025
23.1 C
Bhubaneswar

ମିଶନ ରବିବାର, ଗଛ ମଣିଷ ‘ସହଦେବ’

ବଲାଙ୍ଗିର: ସବୁବେଳେ ଚର୍ଚ୍ଚାରେ ଗଛ ଓ ଜଙ୍ଗଲ ପଦା ହେବା ପ୍ରସଙ୍ଗ। ଅନେକ ସମୟରେ ଲୋକ ଦେଖାଣିଆ ଭାବେ ବିଭିନ୍ନ ସଂଗଠନ ଗଛ ଲଗାନ୍ତି। ଫଟୋ ଉଠାନ୍ତି। ତା’ପରେ ସେ ଗଛ ଉଠିଲା କି ମରିଲା ତାହା ଆଉ କେହି ନଜର ଦିଅନ୍ତି ନାହିଁ। ତେବେ ବଲାଙ୍ଗିର ଜିଲାରେ ଗଛକୁ ପ୍ରେମ କରୁଥିବା ଅନେକ ଲୋକ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ସହଦେବ ପ୍ରଧାନ। ଘର ଇନ୍ଦିରା ନଗରରେ। ୬ ଭାଇ, ଭାଉଜ ଓ ଛୁଆ ପିଲାଙ୍କୁ ନେଇ ଏକାଠି ସମସ୍ତେ ରହନ୍ତି। 

ପାଠ ପଢିବା ବେଳେ ବାପା-ମା ତଥା ବଡ ଭାଇମାନଙ୍କର ଗଛ ଲଗାଇବା ପ୍ରତି ଢେର ସଉକ। ଘରୁ ହିଁ ଆରମ୍ଭ ହୋଇଥିଲା ଏହି ଗଛ ଲଗାଇବା ପରମ୍ପରା। ତେବେ ସପ୍ତମ/ଅଷ୍ଟମ ଶ୍ରେଣୀରେ ପଢିବା ବେଳେ ବଲାଙ୍ଗିର ଆର୍‍ଟିଓ ଅଫିସ ନିକଟ ଗୋରୁ ବଜାରକୁ ଯାଇ ସେ ଗଛ ଲଗାଇଥିଲେ। ନିୟମିତ ବ୍ୟବଧାନରେ ଗଛଗୁଡ଼ିକର ଯତ୍ନ ନେଇଥିଲେ। ଆଉ ଏହି ଗଛଗୁଡ଼ିକ ବଡ ହୋଇଯାଇଛି। ଛାଇ ଦେବା ସହ ଲୋକଙ୍କୁ ଅକ୍ସିଜେନ୍‍ ଦେଉଥିବା କହନ୍ତି ସହଦେବ। ଠିକାଦାର ଭାବେ କାମ କରୁଥିବା ୪୭ ବର୍ଷୀୟ ସହଦେବ ଗତ ୫/୬ ବର୍ଷ ହେଲା ମିଶନ ରବିବାର ଆରମ୍ଭ କରିଛନ୍ତି। ଏହି ଦିନ ଫୁରସତରେ ସେ ସକାଳୁ ଗଛ ଲଗାଇବା ଅଭିଯାନରେ ବାହାରି ଯାଆନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ କରନ୍ତି, ସେମାନେ ବି ତାଙ୍କ ସାଥୀରେ ଯାଆନ୍ତି। ସବୁଠୁ ଖାସ୍‍ କଥା ହେଉଛି ଯେ, ସେ ରାସ୍ତା କଡ଼ରେ ଗଛ ଲଗାନ୍ତି ନାହିଁ। ଜଙ୍ଗଲ ଭିତରେ ଗଛ ଲଗାନ୍ତି। ଅନ୍ୟ ଗଛ ତୁଳନାରେ ବେଶୀ ବର ଓ ପିପଳ ଗଛ ରହିଛି। କାହିଁକି ବର ଓ ପିପଳ ଗଛ ବୋଲି ପଚାରିବାରୁ ସେ କହନ୍ତି ଯେ, ବର ଓ ପିପଳ ଗଛ ପ୍ରତି ଲୋକଙ୍କର ଧାର୍ମିକ ବିଶ୍ୱାସ ରହିଛି। ତେଣୁ ଅନ୍ୟ ଗଛ ଅପେକ୍ଷା ଏହି ଗଛକୁ କାଟିବାକୁ ସଂକୋଚ କରନ୍ତି। ରାସ୍ତା କଡ଼ରେ ଗଛ ଲଗାଇଲେ ପ୍ରଶସ୍ତିକରଣ ନାଁରେ କାଟିବାର ସମ୍ଭାବନା ରହିଛି। କିନ୍ତୁ ଜଙ୍ଗଲରେ ଲଗାଇଲେ କିଏ ଗଛ କାଟିବ ବୋଲି କହନ୍ତି ସେ। ମିଶନ ରବିବାରରେ ସେ ଏକଲା ନୁହଁନ୍ତି, ଅନ୍ୟ ଲୋକଙ୍କୁ ଯୋଡିବାର ପ୍ରୟାସ ବି ଜାରି ରଖିଛନ୍ତି। ଏଥିସହିତ ସେ ନର୍ସରୀରୁ ଆମ୍ବ, ପଣସ, ବେଲ, କଦମ୍ବ ଭଳି ବିଭିନ୍ନ ଗଛ ବି ମନ୍ଦିରଗୁଡ଼ିକରେ ଲଗାଇବାକୁ ଭଲ ପାଆନ୍ତି। ଜଙ୍ଗଲରେ ମଞ୍ଜି ବୁଣିବା ସହ ଅନାବନା ଭାବେ ହେଲେ ବି ଗଛ ଉଠିବ। ତାହା ଉପକାରରେ ଲାଗିବ କହନ୍ତି ସହଦେବ। ଗଛ ମଣିଷ ସହଦେବ ଗଲା କିଛି ବର୍ଷ ହେଲା ଚର୍ଚ୍ଚାକୁ ଆସିଛନ୍ତି ମିଶନ ରବିବାର ପାଇଁ ଓ ତାଙ୍କୁ ଲୋକେ ଗଛ ମଣିଷ ବି କହୁଛନ୍ତି। ଯାହା ତାଙ୍କୁ ଖୁସି ଦିଏ, ତେବେ କେତେ ଗଛ ଲଗାଇଛନ୍ତି ତାହାର ହିସାବ କରି ନାହାନ୍ତି କେବେ। ଗଛ ଲଗାଇବା ଓ ଏହାର ରକ୍ଷଣାବେକ୍ଷଣ ହିଁ ତାଙ୍କ ଦାୟିତ୍ୱ। ଆଉ ଏହି ମିଶନରେ ଝିଅ ସିମମ୍‍ ଓ ସ୍ତ୍ରୀ ରୋଜିଙ୍କ ସମର୍ଥନ ବେଶୀ ରହିଥିବା ବେଳେ ଗଛ ନକାଟି ଲଗାଇବା ଉପରେ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories