www.samajalive.in
Sunday, December 14, 2025
16.1 C
Bhubaneswar

ବଳଙ୍ଗା ଘଟଣାରେ ନୂଆମୋଡ଼; ପୁଲିସ ସ୍କାନରରେ ପରିବାର ଓ ସମ୍ପର୍କୀୟ

ଭୁବନେଶ୍ବର(ଆଲୋକ ପାତ୍ର): ବଳଙ୍ଗା ନାବାଳିକାଙ୍କ ପୋଡ଼ିଯିବା ଘଟଣା ନୂଆମୋଡ଼ ନେଇଛି। ଏବେ ପରିବାର ଓ ସମ୍ପର୍କୀୟଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଛି। ଗତିବିଧି ଜାଣିବା ପାଇଁ ପୁଲିସ ସେମାନଙ୍କୁ ସ୍କାନରରେ ରଖିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ପୀଡ଼ିତା ସୁସ୍ଥ ହେବା ପରେ ତାଙ୍କ ବୟାନ ପୁଣି ନେବା ଲାଗି ପୁଲିସ ଯୋଜନା କରିଛି। ପୀଡ଼ିତାଙ୍କ ବୟାନ ପରେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଅନୁଭବ କରୁଛି।
ଜଟଣୀ ଥାନା ଅଞ୍ଚଳରେ ବଳଙ୍ଗା ଥାନା ପୁଲିସ ପହଞ୍ଚି ଶନିବାର ତନାଘନା କରିଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ପୁଲିସ ଜେରା କରି ଫେରିଛି। ରାଜ୍ୟ ଓ ଜିଲା ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ବିତୀୟ ଥର ନମୁନା ସଂଗ୍ରହ କରିଛନ୍ତି। ଅଦାଲତଙ୍କ ଅନୁମତି ପରେ ସଂଗୃହୀତ ନମୁନାକୁ ନେଇ ସାଇଣ୍ଟିଫିକ ଦଳ ପରୀକ୍ଷାନିରୀକ୍ଷା କରିବ ବୋଲି ଜଣାପଡ଼ିଛି। ଡିଜିଟାଲ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ଗୁରୁତ୍ବ ଦେଇଛି। ସମସ୍ତ ପ୍ରମାଣ ହସ୍ତଗତ ହେବା ପରେ ପୁଲିସ ଘଟଣା ଉପରୁ ପରଦା ହଟାଇବ ବୋଲି ଜଣାପଡ଼ିଛି।
ବଜରରେ ପେଟ୍ରୋଲ ଓ ଡିଜେଲ ସହଜରେ ମିଳିଯାଉଛି; କିନ୍ତୁ କିରାସିନି ମିଳିବା କଷ୍ଟକର। ତାହା ପୁଣି ପେଟ୍ରୋଲ ଓ ଡିଜେଲ ଠାରୁ ଅଧିକ ମୂଲ୍ୟରେ କିଣିବାକୁ ପଡ଼ୁଛି। ପୀଡ଼ିତାଙ୍କ ଶରୀରରେ କି‌‌ରାସିନି ଢ଼ାଳି ନିଆଁ ଲାଗିଯାଇଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇଟି ବୋତଲ ଜବତ କରିଥିଲା। ଦିଆଶିଲି, ଏକ ବ୍ୟାଗ୍‌ ଓ ଚକୋଲେଟ ମଧ୍ୟ ପୁଲିସ ପାଇଥିଲା। ଦୁର୍ବୃତ୍ତ କିରାସିନି ଆଣିଲେ କେଉଁଠୁ, ତାହା ତଦନ୍ତ ସାପେକ୍ଷ। କିରାସିନି ନିର୍ଦିଷ୍ଟ ସ୍ଥାନରେ ମିଳିଥାଏ; କିନ୍ତୁ ପୀଡ଼ିତାଙ୍କ ବାପାଙ୍କର ଏକ ଗାଡ଼ି ଗ୍ୟାରେଜ ରହିଛି। ଗାଡ଼ି କାମ ପାଇଁ ତାଙ୍କ ବାପା ଘରେ ସବୁ ସମୟରେ କି‌ରାସିନି ସଂଗ୍ରହ କରି ରଖିଥାନ୍ତି ବୋଲି ତଦନ୍ତକାରୀ ଦଳ ଜାଣିବାକୁ ପାଇଛି। କିରାସିନି କେଉଁଠୁ ଆସିଲା, କିଏ ଆଣିଥିଲା, ଏଥିରେ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ପରିବାର ଓ ସମ୍ପର୍କୀୟ ଲୋକଙ୍କୁ ଶନିବାର ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି। ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବା ଲାଗି ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରିତ କରିଛି।
ପୁରୀ ହେଡ କ୍ୱାର୍ଟର ଏସଡିପିଓଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ପିଉସୀ, ବାନ୍ଧବୀ, ଗାଁର ଜଣେ ଯୁବକ ଓ ଅନ୍ୟ ଜଣେ ମହିଳାଙ୍କୁ ଶନିବାର ସନ୍ଧ୍ୟାରେ ନିମାପଡ଼ା ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥିତ କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାର ପୁରୀ ଏସପି ପୀନାକ ମିଶ୍ର ସାକ୍ଷୀ ଭାବେ ଉପରୋକ୍ତ ୪ ଜଣଙ୍କୁ ପଚରାଉଚରା କରିଥିଲେ। ପରେ ସେମାନଙ୍କୁ ନିମାପଡ଼ା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ଘଟଣା ଦିନ ସକାଳ ପ୍ରାୟ ୮ଟାରେ ଭାର୍ଗବୀନଦୀ ତେରହଳ ଗ୍ରାମ ନିକଟରେ ପୀଡ଼ତାଙ୍କୁ କେହି ଦୁର୍ବୃତ୍ତ ପୋଡ଼ି ହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ନୂଆଁଗୋପାଳ ବସ୍ତି ତଥା ନିଜ ଘର ନିକଟରେ ଦୁର୍ବୃତ୍ତ ଅପହରଣ କରି ନେଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ଘର ଠାରୁ ଘଟଣାସ୍ଥଳ ପର୍ଯ୍ୟନ୍ତ ଲାଗିଥିବା ସିସି କ୍ୟାମେରାକୁ ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ ପୀଡ଼ିତାଙ୍କୁ କେହି ଦୁର୍ବୃତ୍ତ ସେହି ରାସ୍ତାରେ ଅପହରଣ କରିବାର କୌଣସି ପ୍ରମାଣ ପୁଲିସ ପାଇନଥିଲା। ପୀଡ଼ିତା ରାସ୍ତାରେ ଚାଲି ଚାଲି ଯିବାର ଦୃଶ୍ୟ ମଧ୍ୟ ସିସି କ୍ୟାମେରାରେ ଦେଖିବାକୁ ମିଳିନଥିଲା। ଘଟଣାକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ପାଇଁ ୫ଟି ସ୍ବତନ୍ତ୍ର ଦଳ ଗଠନ କରିଥିଲା। ଉକ୍ତ ଦଳ ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ କିଛି ସୁରାକ୍‌ ମିଳିନଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଅଡ଼ୁଆରେ ପଡ଼ିଥିଲା। ଏହାକୁ ନେଇ ସରକାରଙ୍କୁ ମଧ୍ୟ ବିରୋଧୀ ଘେରିଥିଲେ। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ପରେ ଦିଲ୍ଲୀ ଏମ୍ସରେ କ୍ରାଇମବ୍ରାଞ୍ଚ ଓ ପୁଲିସ ଦଳ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ। ପୀଡ଼ିତାଙ୍କର ଉଭୟ ବୟାନରେ ତାଳମେଳ ନଥିବା ଜଣାପଡ଼ିଛି। ହେଲେ ତାଙ୍କ ବୟାନରୁ ତଦନ୍ତକାରୀ ଦଳ ହାତରେ ବଳିଷ୍ଠ ପ୍ରମାଣ ଲଗିଥିବା କୁହାଯାଉଛି। ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଏବେ ସୁଦ୍ଧା ପ୍ରଶ୍ନ ଉଠିଛି। ହେଲେ ପୁଲିସର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ପୁଲିସ ତରଫରୁ କୁହାଯାଇଛି। ଏ ସମ୍ପର୍କରେ ଏସ୍‌ପି ପୀନାକ ମିଶ୍ର କହିଛନ୍ତି, ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ ପାଇଁ ଆଉ ସମୟ ଲାଗୁଛି। ତଦନ୍ତରେ କୌଣସି ଖିଅ ଯେପରି ନଛାଡୁ ସେଥିପ୍ରତି ଧ୍ୟାନ ରଖିଛୁ। ମୂଲ୍ୟବାନ ପ୍ରମାଣ ଆମର ହସ୍ତଗତ ହୋଇଛି। ଆଗାମୀ ଦିନରେ ଏହା ଉପରେ ପ୍ରତିକ୍ରିୟା ରଖିବୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories