ଏମ୍ସରେ ବାଜପାୟୀ ; ସ୍ୱାସ୍ଥ୍ୟାବସ୍ଥା ସ୍ଥିର

0

ନୂଆଦିଲ୍ଲୀ, ୧୧ା୬: ଅଟଳ ବିହାରୀ ବାଜପାୟୀଙ୍କୁ ସ୍ଥାନୀୟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏବେ ୯୩ ବର୍ଷ ବୟସ। ଦୀର୍ଘ ବର୍ଷ ଧରି ଅସୁସ୍ଥ ସେ ରହିଥିବାବେଳେ ସୋମବାର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି।

ମୂତ୍ରନଳୀ ସଂକ୍ରମଣ ଓ ବୃକ୍‍କଜନିତ ସମସ୍ୟା ରହିଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ୱାଣୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ବହୁ ବରିଷ୍ଠ ନେତା ସନ୍ଧ୍ୟାରେ ଏମ୍ସ ଯାଇ ବାଜପାୟୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ଡାକ୍ତର ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କ ସ୍ୱାସ୍ଥ୍ୟର ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଯାଇଛି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ମହଲରେ ପ୍ରାର୍ଥନା ଚାଲିଛି। ବାଜପାୟୀ ପ୍ରଥମ ବିଜେପି ନେତା ଭାବେ ୧୯୯୬ ମସିହାରେ ଭାରତର ଦଶମ ପ୍ରଧାନମନ୍ତ୍ରୀ ହୋଇଥିଲେ।

Leave A Reply